ମଞ୍ଚେଷ୍ଟର: ଗୁରୁବାର ଠାରୁ ମଞ୍ଚେଷ୍ଟରର ଓଲ୍ଡ ଟ୍ରାଫର୍ଡରେ #RaiseTheBat ସିରିଜର ଦ୍ବିତୀୟ ଟେଷ୍ଟରେ ୱେଷ୍ଟଇଣ୍ଡିଜ ସହ ମୁହାଁମୁହିଁ ହେବାବେଳେ ନିଜ ନିୟମିତ ଅଧିନାୟକ ଜୋ ରୁଟ୍ଙ୍କ ଉତ୍ସାହ ପାଇବ ଇଂଲଣ୍ଡ ।
ନିଜ ଦ୍ବିତୀୟ ସନ୍ତାନର ଜନ୍ମ ପାଇଁ ପ୍ରଥମ ଟେଷ୍ଟ ନଖେଳି ନିଜ ସ୍ତ୍ରୀଙ୍କ ପାଖକୁ ଯାଇଥିଲେ ରୁଟ୍ ।
ପ୍ରଥମ ଟେଷ୍ଟରେ ଉଭୟ ଇନିଂସରେ କମ ସ୍କୋର କରି ଆଉଟ ହୋଇଥିବା ଜୋ ଡେନଲିଙ୍କ ସ୍ଥାନରେ ରୁଟ୍ ଫେରିବେ ବୋଲି ଆଶା କରାଯାଉଛି। ଦ୍ବିତୀୟ ଇନିଂସରେ ଜାକ କ୍ରାଉଲିଙ୍କ 76 ହୁଏତ ତାଙ୍କ ପାଇଁ ସିରିଜର ଅନ୍ତିମ ଦୁଇଟି ମ୍ୟାଚ ଖେଳିବା ପାଇଁ ବାଟ ଫିଟାଇ ପାରେ ।
ୱିକେଟ କିପର ବ୍ୟାଟ୍ସମ୍ୟାନ ଜସ୍ ବଟଲର ଦୁଇଟି ଇନିଂସରେ ମାତ୍ର 35 ଓ 9 ସ୍କୋର କରି ନିଜ ପାଇଁ କୌଣସି ଭଲ ପ୍ରଦର୍ଶନ ଦେଖାଇ ନାହାଁନ୍ତି। ଏଥିସହ, ସେ ଜେରମାଇନ ବ୍ଲାକଉଡଙ୍କ କ୍ୟାଚ ମଧ୍ୟ ଡ୍ରପ କରିଥିଲେ ଯାହା ଦଳ ପାଇଁ ବେଶ ମହଙ୍ଗା ସାବ୍ୟସ୍ତ ହୋଇଥିଲା କାରଣ ବ୍ୟାଟ୍ସମ୍ୟାନ 95 ରନ ସ୍କୋର କରି ଇଣ୍ଡିଜ ଦଳକୁ ବିଜୟୀ କରାଇଥିଲେ ।
ସେପଟେ ମୁଖ୍ୟ କୋଚ କ୍ରିସ ସିଲଭରଉଡ୍ ଦ୍ବିତୀୟ ଟେଷ୍ଟ ପୂର୍ବରୁ ବଟଲରଙ୍କ ଉପରେ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି ଯାହା ବ୍ୟାକଅପ ଷ୍ଟମ୍ପର ବେନ ଫୋକ୍ସ ପାଇଁ ବାଟ ଫିଟାଇଛି ।
ସିଲଭରଉଡ୍ କହିଛନ୍ତି ଯେ, ‘‘ମୁଁ ଜୋସ୍ଙ୍କୁ ଚାପରେ ରଖିବା ଉପାୟ କରିବି ନାହିଁ କାରଣ ଏହା ତାଙ୍କୁ ସାହାଯ୍ୟ କରିବ ବୋଲି ମୁଁ ଭାବୁ ନାହିଁ।’’
ସେ ଆହୁରି ମଧ୍ୟ କହିଛନ୍ତି ଯେ, ‘‘ସର୍ବପ୍ରଥମେ ଆମେ ତାଙ୍କୁ ସଫଳ ହେବା ପାଇଁ ସର୍ବୋତ୍ତମ ସୁଯୋଗ ଦେବାକୁ ଚାହୁଁ କିନ୍ତୁ ହଁ, ବେନ ଫୋକ୍ସଙ୍କ ଭାବରେ ଆମର ବହୁତ ଭଲ କିପର ଅଛନ୍ତି।’’
ଇଂଲଣ୍ଡ ପାଇଁ ଅନ୍ୟ ଏକ ବଡ଼ ନିଷ୍ପତ୍ତି ସେମାନଙ୍କ ବୋଲିଂ ବିଭାଗରେ ହେବ। ଭେଟେରାନ୍ ପେସର୍ ଷ୍ଟୁଆର୍ଟ ବ୍ରଡ୍ ପ୍ରଥମ ଟେଷ୍ଟରୁ ବାଦ ପଡିଥିଲେ ଏବଂ ତାଙ୍କ ଭାବନାକୁ ଜାତୀୟ ଟେଲିଭିଜନରେ ଜଣାଇଥିଲେ । ସାଉଥମ୍ପଟନରେ ଦୁଇଟି ଇନିଂସରେ ଦୁଇଟି ୱିକେଟ ନେଇଥିବା ମାର୍କ ଉଡଙ୍କ ସ୍ଥାନରେ ହୁଏତ ବ୍ରଡ ଫେରି ପାରନ୍ତି ।