ଗାନ୍ଧୀନଗର: "ଟି-20 କ୍ରିକେଟ ପାଇଁ ରୋହିତ ଶର୍ମାଙ୍କୁ ନିଜର ବ୍ୟାଟିଂ ଷ୍ଟାଇଲ ପରିବର୍ତ୍ତନ କରିବା ଆବଶ୍ୟକ ନାହିଁ।" ଏଭଳି ମନ୍ତବ୍ୟ ଦେଇଛନ୍ତି ଭାରତୀୟ ଦଳ ବ୍ୟାଟିଂ କୋଚ ବିକ୍ରମ ରାଠୋର। ମାର୍ଚ୍ଚ 12 ତାରିଖରେ ଭାରତ ଓ ଇଂଲଣ୍ଡ ମଧ୍ୟରେ 5 ଟିକିଆ ଟି-20 ସିରିଜ ଆରମ୍ଭ ହେବ। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ସମସ୍ତ ଖେଳାଯିବାକୁ ନିଷ୍ପତ୍ତି ହୋଇଛି।
ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜରେ ଭଲ ବ୍ୟାଟିଂ ପ୍ରଦର୍ଶନ କରିଥିଲେ ରୋହିତ ଶର୍ମା। ଭାରତ ପକ୍ଷରୁ ସେ ସର୍ବାଧିକ ରନ କରିଥିଲେ। 5ଦିନିଆ ଟେଷ୍ଟ କ୍ରିକେଟ ପରେ ସେ ତାଙ୍କ ବ୍ୟାଟିଂ କୌଶଳରେ କିଛିଟା ପରିବର୍ତ୍ତନ କରିବେ ଆଲୋଚନା ହୋଇଥିଲା। ଏହାକୁ ନେଇ ସ୍ପଷ୍ଟୀକରଣ ଦେଇଛନ୍ତି ଭାରତୀୟ ବ୍ୟାଟିଂ କୋଚ।
ସେ କହିଛନ୍ତି ଯେ, "ରୋହିତ ଶର୍ମାଙ୍କ ଭଳି କ୍ରିକେଟରଙ୍କ ପାଇଁ କୌଣସି କୌଶଳରେ ପରିବର୍ତ୍ତନ କରିବା ଆବଶ୍ୟକ ନାହିଁ। ସେ ଜାଣିଛନ୍ତି କେଉଁ ସମୟରେ କିଭଳି ବ୍ୟାଟିଂ କରିବାକୁ ହେବ। ଏଥିପାଇଁ ଦଳକୁ ମଧ୍ୟ ଲାଭ ହୋଇଛି। ସେ ଧିରେ ଆରମ୍ଭ କରି ପରବର୍ତ୍ତୀ ସମୟରେ ନିଜର ବ୍ୟାଟିଂ ଦକ୍ଷତା ଦେଖାଇ ଥାଆନ୍ତି। ତେଣୁ ଟି-20 ଭଳି ଫର୍ମାଟରେ ତାଙ୍କ କୌଶଳରେ ପରିବର୍ତ୍ତନ କିଛି ଆବଶ୍ୟକ ନାହିଁ। ଏହି କୌଶଳକୁ ନେଇ ସେ ଜଣେ ସଫଳ ବ୍ୟାଟସମ୍ୟାନ ହୋଇ ପାରିଛନ୍ତି।"
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ