ହାମିଲଟନ: ଆଇସିସି ମହିଳା ବିଶ୍ବକପରେ ଆଜି (ମଙ୍ଗଳବାର) ଭାରତ- ବାଂଲାଦେଶ ପରସ୍ପରକୁ ଭେଟିଥିଲେ । ଟସ ଜିତି ଭାରତ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ବ୍ୟାଟିଂରେ ଭଲ ପ୍ରଦର୍ଶନ କରିଛି ଟିମ ଇଣ୍ଡିଆ । ଦଳ ପକ୍ଷରୁ ୟସ୍ତିକା ଭାଟିଆ ସର୍ବାଧିକ ରନ କରିଛନ୍ତି । ୫୦ ଓଭରରେ ଦଳ ୭ଟି ୱିକେଟ ହରାଇ ୨୨୯ ରନ ସଂଗ୍ରହ କରିଛି । ବାଂଲାଦେଶକୁ ୨୩୦ରନର ଟାର୍ଗେଟ ଦେଇଛି ଟିମ ଇଣ୍ଡିଆ ।
ଭାରତ ପକ୍ଷରୁ ସ୍ମୃତି ମାନ୍ଧାନା ଓ ଶେଫାଳି ବର୍ମା ପାଳି ଆରମ୍ଭ କରିଥିଲେ । ଉଭୟ ଭଲ ପ୍ରଦର୍ଶନ କରିଥିଲେ । ସ୍ମୃତି ଓ ଶେଫାଳିଙ୍କ ବ୍ୟାଟରୁ ଖାଲି ଚୌକା ଛକା ବର୍ଷା ହୋଇଥିଲା । ୧୦ ଓଭର ସୁଦ୍ଧା ଦଳ ୫୨ ରନ ସଂଗ୍ରହ କରିଥିଲା । ଦଳୀୟ ସ୍କୋର ୭୪ ବେଳକୁ ଟିମ ଇଣ୍ଡିଆର ପ୍ରଥମ ୱିକେଟ ପତନ ହୋଇଥିଲା । ସ୍ମୃତି ମାନ୍ଧାନା ୫୧ ବଲରେ ୩୦ ରନ କରି ନାହିଦା ଅକତେରଙ୍କ ବଲରେ କ୍ୟାଚ ଆଉଟ ହୋଇଥିଲେ । ପରେ ପରେ ୪୨ ରନ କରି ରିତୁ ମୋନିଙ୍କ ବଲରେ ଷ୍ଟମ୍ପିଙ୍କ ହୋଇଥିଲେ ଶେଫାଳି । ରନ ଗତି ଧିମା ପଡିଯାଇଥିଲା । ଅଧିନାୟିକା ମିଥାଲି ରାଜ ଖାତା ଖୋଲି ନ ପାରି ପାଭିଲିୟନ ଫେରିଥିଲେ । ଏହାପରେ ଦଳ ସଙ୍କଟରେ ପଡିଯାଇଥିଲା । ୧୬ ଓଭର ବେଳକୁ ଦଳ ୩ଟି ୱିକେଟ ହରାଇଥିଲା ।
ଏହାପରେ ୟସ୍ତିକା ଓ ହରମନ ପ୍ରୀତ ସ୍ଥିତି ସମ୍ବାଳିଥିଲେ । ସ୍ଥିତି ଟିକେ ସୁଧୁରିଛି କି ନାହିଁ ହରମନପ୍ରୀତ ୩୩ଟି ବଲରେ ୧୪ ରନ କରି ଆଉଟ ହୋଇଥିଲେ । ୟସ୍ତିକାଙ୍କ ସାଥ ଦେଇଥିଲେ ରିଚା ଘୋଷ । ଉଭୟ ରନ ଗାଡି ଆଗକୁ ନେଇଥିଲେ । ୨୬ ରନ କରି ନାଦିଆ ଅକତାରଙ୍କ ବଲରେ ଆଉଟ ହୋଇଥିଲେ ରିଚା । ଦଳୀୟ ସ୍କୋର ୧୬୫ରେ ୫ ୱିକେଟ ହରାଇଥିଲା ଟିମ ଇଣ୍ଡିଆ । ପଛକୁ ୟସ୍ତିକା ୮୦ ବଲରେ ଅର୍ଦ୍ଧଶତକ ହାସଲ କରି ରିତୁ ମୋନିଙ୍କ ବଲରେ ଆଉଟ ହୋଇଛନ୍ତି । ଦଳ ପକ୍ଷରୁ ସେ ସର୍ବାଧିକ ରନ ସଂଗ୍ରହ କରିଛନ୍ତି ।
ଏହାପରେ ସ୍ନେହା ରାଣା ଓ ପୂଜା ବସ୍ତ୍ରାକାର ମଇଦାନରେ ଥିଲେ । ୪୯ ଓଭର ବେଳକୁ ସ୍ନେହା ରାଣା ୨୭ ରନ କରି ଆଉଟ ହୋଇଥିଲେ । ନିର୍ଦ୍ଧାରିତ ୫୦ ଓଭରରେ ୭ଟି ୱିକେଟ ହରାଇ ୨୨୯ ରନ କରିବାକୁ ସକ୍ଷମ ହୋଇଥିବା ଭାରତ । ବାଂଲାଦେଶକୁ ୨୩୦ ରନ ବିଜୟ ଲକ୍ଷ୍ୟ ଦେଇଛି ଭାରତ ।