ହାଇଦ୍ରାବାଦ: କୋରୋନା ଲଢେଇ ଭିତରେ ହନ୍ଦୱାଡା ଆତଙ୍କବାଦୀ ଆକ୍ରମଣ ସାରା ଦେଶକୁ ସ୍ତବ୍ଧ କରିଦେଇଛି । 2 ଆତଙ୍କୀଙ୍କ ନିପାତ ସହ 5 ଜଣ ଯବାନ ଶହୀଦ ହୋଇଛନ୍ତି । ରାଜନେତାଙ୍କଠାରୁ ସେଲିବ୍ରିଟି ସମସ୍ତେ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି ।
ଟ୍ବିଟରରେ ଟଲିଉଡ ସୁପରଷ୍ଟାର ମହେଶ ବାବୁ ମଧ୍ୟ ଆକ୍ରମଣରେ ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ନିକଟରେ ଭାରତୀୟ ଆର୍ମି ଉପରେ ନିର୍ମିତ ଫିଲ୍ମରେ ମେଜର ଭୂମିକାରେ ଅଭିନୟ କରିଥିବା ମହେଶ ଏହି ଆଟାକକୁ ଦେଶର କଳା ସମୟ ବୋଲି କହିଛନ୍ତି । ଯବାନଙ୍କ ତ୍ୟାଗ ଓ ବଳିଦାନ ସବୁବେଳେ ଅପୂରଣୀୟ । କର୍ତ୍ତବ୍ୟ ବେଳେ ଶହୀଦ ହୋଇଥିବା ଯବାନଙ୍କ ପାଇଁ ସେ ନୀରବ ପ୍ରାର୍ଥନା କରୁଥିବା କହିଛନ୍ତି । ଏହାସହ ସେମାନଙ୍କ ପରିବାରକୁ ସମବେଦନା ଦେବା ସହ ଏପରି ସମୟରେ ସାରା ଦେଶ ସେମାନଙ୍କ ସହ ଥିବା ସେ ଲେଖିଛନ୍ତି ।
ତେଲୁଗୁ ଷ୍ଟାରଙ୍କ ସମେତ ବଲିଉଡର ଷ୍ଟାର ମଧ୍ୟ ଘଟଣାକୁ ନିନ୍ଦା କରିବା ସହ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଆକ୍ରମଣରେ କର୍ନଲ ଆଶୁତୋଷ ଶର୍ମା, ମେଜର ଅନୁଜ ସୁଦ, ପୋଲିସ ସବଇନ୍ସପେକ୍ଟର ସକିଲ କାଜିଙ୍କ ସମେତ ଜଣେ ଲାନ୍ସନାଏକ ଓ ଜଣେ ରାଇଫଲମ୍ୟାନ ଶହୀଦ ହୋଇଛନ୍ତି । ଘଟଣାରେ ଲସ୍କର କାଶ୍ମୀର ମୁଖ୍ୟ ହାଇଦର ନିହତ ହୋଇଥିବା ସେନା ସୂଚନା ଦେଇଛି ।