ମୁମ୍ବାଇ: ଏହି ସମୟରେ ସଲମାନ ନିଜ ଆଗାମୀ ଫିଲ୍ମ 'ଦବଙ୍ଗ-3'ର ସୁଟିଂରେ ଲାଗିଯାଇଛନ୍ତି । ନିକଟରେ ରିଲିଜ ହୋଇଥିବା ତାଙ୍କ ବହୁ ଚର୍ଚ୍ଚିତ ଫିଲ୍ମ 'ଭାରତ' ଦର୍ଶକଙ୍କ ମନ କିଣିବାରେ ସଫଳ ହୋଇପାରିଛି । ଇତିମଧ୍ୟରେ ଶୁଣିବାକୁ ମିଳୁଛି ଯେ ସଲମାନ ଏକ କାମ କରିବାକୁ ଯାଉଛନ୍ତି । ସେ ନିଜ ଶତ୍ରୁତା ଜଣେ ଅଭିନେତାଙ୍କ ସହ ଶେଷ କରିବାକୁ ଚାହୁଁଛନ୍ତି । ସେହି ଅଭିନେତା ଆଉ କେହି ନୁହଁନ୍ତି ସେ ହେଲେ ବିଶିଷ୍ଟ ଅଭିନେତା ଋଷି କପୁର ।
ଭାଇଜାନ ସଲମାନ ଯେମିତି ନିଜ ବନ୍ଧୁଙ୍କ ପାଇଁ ଜଣାଶୁଣା, ସେହିପରି ସେ ନିଜ ଶତ୍ରୁତା ପାଇଁ ମଧ୍ୟ ଖୁବ୍ ଫେମସ । ଦୀର୍ଘ ସମୟରୁ ଋଷିଙ୍କ ସହ ତାଙ୍କର ଶୀତଳ ଯୁଦ୍ଧ ଦେଖିବାକୁ ମିଳିଆସୁଛି । ଏହି ଶୀତଳ ଯୁଦ୍ଧ ଅଭିନେତ୍ରୀ ସୋନମ କପୁରଙ୍କ ବିବାହ ରିସେପ୍ସନ ସମୟରେ ଆରମ୍ଭ ହୋଇଥିଲା ।
କଥାଟି ହେଲା କି ସଲମାନ ରିସେପ୍ସନ ପାର୍ଟିରେ ଋଷିଙ୍କୁ ହାଲ୍ଲୋ ହାୟ କହିନଥିଲେ । ଏହାପରେ ଋଷି ନିଜର କ୍ରୋଧ ସଲମାନଙ୍କ ସାନ ଭାଇ ଅର୍ଥାତ୍ ଅଭିନେତା ସୋହେଲ ଖାନଙ୍କ ପତ୍ନୀ ସୀମାଙ୍କ ଉପରେ ଜାହିର କରିଥିଲେ ।
ସେହିପରି ସଲମାନଙ୍କୁ ଋଷିଙ୍କ ଏହି କଥା ଆଦୌ ପସନ୍ଦ ଆସିନଥିଲା । ଏହାପରେ ଋଷି ଓ ସଲମାନଙ୍କ ସମ୍ପର୍କରେ ପଡିଥିଲା ପୂର୍ଣ୍ଣଚ୍ଛେଦ । କିନ୍ତୁ ଏବେ ସଲମାନ ଏହି ଶୀତଳ ଯୁଦ୍ଧ ଶେଷ କରିବା ମୁଡରେ ଲାଗୁଛନ୍ତି । କାରଣ ନ୍ୟୁୟର୍କରେ ଚିକିତ୍ସିତ ହେଉଥିବା ଋଷିଙ୍କୁ ସେ ସାକ୍ଷାତ କରିବାକୁ ପ୍ଲାନ କରୁଛନ୍ତି ।
ଖାଲି ଏତିକି ନୁହେଁ ସଲମାନ ଋଷିଙ୍କ ପରିବାର ଏବଂ ସମ୍ପର୍କୀୟଙ୍କ ଠାରୁ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଷୟରେ ସବୁବେଳେ ବୁଝାବୁଝି କରୁଛନ୍ତି । ସେ ଅପେକ୍ଷା କରି ବସିଛନ୍ତି କେବେ ଋଷି ଭାରତ ଆସିବେ ଏବଂ ସେ ତାଙ୍କ ସହ ସାକ୍ଷାତ କରିବେ ବୋଲି ।
ଏହି ଖବର ଶୁଣିବା ପରେ ଏବେ ଦୁଇଜଣଙ୍କ ଫ୍ୟାନ୍ସ ମଧ୍ୟ ବେଶ ଖୁସି ଅଛନ୍ତି । ଏହାସହ ଦୁଇଜଣଙ୍କ ଏକାଠି ଫଟୋ ସୋସିଆଲ ମିଡିଆରେ ଦେଖିବାକୁ ବ୍ୟାକୁଳ ଅଛନ୍ତି ।