ମୁମ୍ବାଇ: ବଲିଉଡର ସିନିୟର ଅଭିନେତ୍ରୀ ଜୟା ବଚ୍ଚନ ଦୀର୍ଘ ସମୟରୁ ସିଲଭର ସ୍କ୍ରିନଠୁ ଦୂରେଇ ଅଛନ୍ତି । ସେପଟେ ଫ୍ୟାନ୍ସ ମଧ୍ୟ ଅମିତାଭ ବଚ୍ଚନଙ୍କ ପରି ଜୟାଙ୍କୁ ପରଦାରେ ଦେଖିବାକୁ ଚାହୁଁଛନ୍ତି । ଇତିମଧ୍ୟରେ ତାଙ୍କୁ ନେଇ ସାମ୍ନାକୁ ଆସିଛି ଖୁସି ଖବର । ହୁଏତଃ ଯାହା ଫ୍ୟାନ୍ସଙ୍କୁ ଖୁସି କରିଦେବ । କାରଣ ପାଖାପାଖି 9 ବର୍ଷ ପରେ ଅଭିନୟ ଦୁନିଆକୁ କମବ୍ୟାକ କରିବାକୁ ଯାଉଛନ୍ତି ଜୟା ।
ଶେଷଥର ସେ 2012ରେ ‘ସନଗ୍ଲାସ’ ନାମଙ୍କ ଏକ ଫିଲ୍ମର ସୁଟିଂ କରିଥିଲେ । ଏହି ଫିଲ୍ମରେ ତାଙ୍କ ସହ ନଜର ଆସିଥାଆନ୍ତେ ନାସିରୁଦ୍ଦିନ ଶାହ । ହେଲେ ଫିଲ୍ମର ସୁଟିଂ ତ ପୂରଣ ହୋଇଯାଇଥିଲା କିନ୍ତୁ କେବେ ରିଲିଜ ହୋଇପାରିଲାନି । ଏବେ ସେ ପରଦାକୁ ଫେରିବାକୁ ନେଇ ଯୋଜନା କରିସାରିଛନ୍ତି। ଆଉ ପ୍ରଥମଥର ସେ ମରାଠୀ ଫିଲ୍ମରେ ଅଭିନୟ କରିବେ।
ଏହି ଫିଲ୍ମ ମରାଠୀ ନିର୍ଦ୍ଦେଶକ ଗଜେନ୍ଦ୍ର ଅହିରେଙ୍କ ନିର୍ଦ୍ଦେଶନାରେ ନିର୍ମାଣ ହେବ । ଗଜେନ୍ଦ୍ର ‘ଶେୱରୀ’, ‘ଅନୁମତି’ ଓ ‘ଦ ସାଇଲେନ୍ସ ବିଇଙ୍ଗ କ୍ରିଟିକାଲ’ ଭଳି ଫିଲ୍ମରେ ନିର୍ଦ୍ଦେଶନା ଦେଇଥିଲେ । ଏଯାବତ ସେ 50ଟି ମରାଠୀ ଫିଲ୍ମରେ ନିର୍ଦ୍ଦେଶନା ଦେଇସାରିଛନ୍ତି । ଆଉ ଏଥର ତାଙ୍କ ଆଗାମୀ ଫିଲ୍ମରେ ଅଭିନୟ କରିବେ ଜୟା । ଯାହାର ସୁଟିଂ ମାତ୍ର 20 ଦିନରେ ଶେଷ କରିବାକୁ ଯୋଜନା କରୁଛନ୍ତି ମେକର୍ସ।