ମୁମ୍ବାଇ: କ୍ରୁଜ ସିପ୍ ଡ୍ରଗ୍ସ ପାର୍ଟି ମାମଲାରେ ବଲିଉଡ ଷ୍ଟାର ଶାହରୁଖ ଖାନଙ୍କ ପୁଅ ଆରୟାନଙ୍କୁ ପଚରା ଉଚୁରା କରୁଛି ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(NCB) । ଏହି ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଆକ୍ସନ ହିରୋ ସୁନୀଲ ସେଟ୍ଟୀ । ଆରୟାନ ବର୍ତ୍ତମାନ ଛୋଟ ପିଲା । କିନ୍ତୁ ଏପର୍ଯ୍ୟନ୍ତ ମଧ୍ୟ ସଠିକ ରିପୋର୍ଟ ସାମନାକୁ ଆସିନାହିଁ । ଏଥିଲାଗି କୌଣସି ପ୍ରତିକ୍ରିୟା କରିବା ପୂର୍ବରୁ ସଠିକ ରିପୋର୍ଟକୁ ଅପେକ୍ଷା କରନ୍ତୁ ବୋଲି କହିଛନ୍ତି ସୁନୀଲ ।
ଏହି ମାମଲାରେ NCB ଲଗାତାର ଭାବରେ ଆରୟାନଙ୍କ ସମେତ ଅନ୍ୟ ୭ ଜଣଙ୍କୁ ପଚରାଉଚୁରା କରୁଛି । ଏହି ଘଟଣାରେ ସୁନୀଲ କହିଛନ୍ତି ଯେ ଯେତେବେଳେ ଏଭଳି ଚଢାଉ ହୁଏ ସେଥିରେ ଅନେକ ଲୋକ ଗିରଫ ହୋଇଥାନ୍ତି । ଏହାପରେ ଆମେ ଭାବିନେଉ ଏହି ଲୋକଟି ମଧ୍ୟ ଏପରି କିଛି କରିଥିବ । କିନ୍ତୁ ବର୍ତ୍ତମାନ ଏନସିବିର ଯାଞ୍ଚ ପ୍ରକ୍ରିୟା ଜାରି ରହିଛି । ଆରୟାନଙ୍କୁ ନିଶ୍ବାସ ମାରିବାକୁ ଦିଅନ୍ତୁ । ଯେତେବେଳେ ବି ବଲିଉଡ଼ରେ ଏଭଳି କିଛି ରିପୋର୍ଟ ଆସେ, ସେତେବେଳେ ଗଣମାଧ୍ୟମ ଅଧିକ ସକ୍ରିୟ ହୋଇଉଠେ । କିନ୍ତୁ ସମୟକୁ ଅପେକ୍ଷା କରନ୍ତୁ, ସତ ସାମାନାକୁ ଆସିବ ବୋଲି କହିଛନ୍ତି ସୁନୀଲ ।
ସୂଚନା ଥାଉ କି ଏପର୍ଯ୍ୟନ୍ତ ଆରୟାନଙ୍କ ପିତା ତଥା ଶାହରୁଖଙ୍କ କୌଣସି ପ୍ରତିକ୍ରିୟା ମିଳିନାହିଁ । ସେପଟେ 'ପଠାନ' ଫିଲ୍ମର ସୁଟିଂ ପାଇଁ ଦୀପିକାଙ୍କ ସହିତ ସ୍ପେନ ଗସ୍ତ କରିଥାନ୍ତେ ଶାହରୁଖ । କିନ୍ତୁ ଏହି ମାମଲା ପାଇଁ ସେ ଏହାକୁ ସ୍ଥଗିତ ରଖିବାର ସମ୍ଭାବନା ରହିଛି । ଆରୟାନଙ୍କ ମା’ ତଥା ଗୌରୀ ଖାନ ଚିନ୍ତିତ ଥିବା ଜଣାପଡ଼ିଛି । ସିପ୍ରେ ଯେଉଁମାନେ ଡ୍ରଗ୍ସ ସେବନ କରିଥିବେ, ସେମାନଙ୍କୁ ଗିରଫ କରାଯିବ ବୋଲି ସୂଚନା ମିଳିଛି ।
ଏହି ସିପ୍ଟି ଶନିବାର ଅପରାହ୍ନରେ ଗୋଆ ଅଭିମୁଖେ ବାହାରିଥିଲା । ଏଥିରେ ଲଗାତାର ୩ଦିନ ଧରି ପାର୍ଟି ହେବାର ଯୋଜନା ରହିଥିଲା । ଆସନ୍ତାକାଲି ଅର୍ଥାତ ଅକ୍ଟୋବର ୪ ତାରିଖରେ ପୁଣି ମୁମ୍ବାଇ ଫେରିଥାନ୍ତା ସିପ୍ । ଏହି ସିପ୍ରେ ୬୦୦ ହାଇପ୍ରୋଫାଇଲ ଲୋକ ରହିଥିବା ବେଳେ ପ୍ରାୟ ୨୦୦୦ ଯାତ୍ରୀ ରହିଥିଲେ । ଏନସିବି ବିଶେଷ ସୂତ୍ରରୁ ଖବର ପାଇବା ପରେ ମୁମ୍ବାଇରୁ ଗୋଆ ଯାଉଥିବା ଏହି ଲକ୍ସରୀ ସିପ୍ ଉପରେ ଯାତ୍ରୀ ଭାବେ ଛଦ୍ମବେଶରେ ସିପ ଉପରେ ଚଢାଉ କରିଥିଲା । ଏହାପରେ ଘଟଣାରେ ୮ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଏଥିରେ ୨ ଜଣ ମହିଳା ଓ ବଲିଉଡ଼ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆରୟାନ ଖାନ ମଧ୍ୟ ରହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ