ମୁମ୍ବାଇ: ହାଣ୍ଡୱାରା ଆକ୍ରମଣକୁ ସାରା ଦେଶ ନିନ୍ଦା କରୁଛି । ରାଜନେତାଙ୍କଠାରୁ ବଲିଉଡ ସେଲିବ୍ରିଟି ସମସ୍ତେ ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଏହି ଅବସରରେ ବଲିଉଡ ଅଭିନେତା ଆୟୁଷ୍ମାନ ଖୁରାନା ମଧ୍ୟ ଗୀତ ଦ୍ବାରା ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।
ଆକ୍ଟିଂ ଛଡା ନିଜ ଗୀତ ଓ କାବ୍ୟ ପାଇଁ ଲୋକପ୍ରିୟ ମଲ୍ଟିଟାଲେଣ୍ଟେଡ ଆକ୍ଟର ଆୟୁଷ୍ମାନ ଯବାନଙ୍କ ଉଦ୍ଦେଶ୍ୟରେ ଏକ ଗୀତ ଲେଖିଛନ୍ତି । ଯବାନଙ୍କ ପରିବାର ଓ କର୍ତ୍ତବ୍ୟନିଷ୍ଠାକୁ ସେ ଏଥିରେ ପ୍ରଶଂସା କରିବା ସହ ସାଲ୍ୟୁଟ କରିଛନ୍ତି । ଦେଶରେ ପ୍ରତିଟି ଯବାନ ଶେଷ ନିଶ୍ବାସ ପର୍ଯ୍ୟନ୍ତ ଦେଶ ସେବା କରିଥାନ୍ତି । ଦେଶ ମାଆ ପାଇଁ ସେମାନେ ନିଜ ପରିବାରକୁ ତ୍ୟାଗ କରିଥାନ୍ତି । ସେମାନଙ୍କ ମାଆଙ୍କ ଉପବାସ ଅନନ୍ତ । ପିଲାଛୁଆ କେବେ ଭାବନ୍ତି ନାହିଁ ତାଙ୍କ ବାପା ତାଙ୍କୁ ଛାଡି ଚାଲିଯାଇଛନ୍ତି । ପ୍ରତିଟି ଯବାନ ଦେଶ ପାଇଁ ଅମୂଲ୍ୟ ଓ ସ୍ବତନ୍ତ୍ର ବୋଲି ଟ୍ବିଟରରେ ସେ ଲେଖିଛନ୍ତି ।
ଏହାସହ ଆୟୁଷ୍ମାନ ଗୀତ ସହ ହ୍ୟାସଟାଗ୍ ଜୟ ହିନ୍ଦ, ଜୟ ଯବାନ ଓ ହାଣ୍ଡୱାରା ଦେଇଛନ୍ତି । ରବିବାର ଉତ୍ତର କାଶ୍ମୀରର କୁପୱାଡା ଜିଲ୍ଲାର ହାଣ୍ଡୱାରାରେ ଆତଙ୍କୀ ଆକ୍ରମଣରେ 5 ଜଣ ଯବାନ ଶହୀଦ ହୋଇଛନ୍ତି । ଏହାସହ 2 ଜଣ ଆତଙ୍କବାଦୀଙ୍କର ମଧ୍ୟ ମୃତ୍ୟୁ ହୋଇଛି ।