ମୁମ୍ବାଇ: ଅଭିନେତ୍ରୀ କଙ୍ଗନା ରଣାୱତ ମୁମ୍ବାଇର ପାଲିହିଲରେ ଥିବା ବିଏମସି ଦ୍ବାରା ଭଙ୍ଗାଯାଇଥିବା ନିଜ ମଣିକର୍ଣ୍ଣିକା ଅଫିସରେ ପହଞ୍ଚିଥିବାର ନଜର ଆସିଛନ୍ତି । ବୁଧବାର ଉଚ୍ଛେଦ ପ୍ରକ୍ରିୟା ସମୟରେ ବିଏମସି ଦ୍ବାରା ହୋଇଥିବା କ୍ଷୟକ୍ଷତିର ଯାଞ୍ଚ କରିବାକୁ ସେ ଅଫିସ୍କୁ ଯାଇଛନ୍ତି । ତାଙ୍କ ପୂର୍ବରୁ ଭଉଣୀ ତଥା ତାଙ୍କ ମ୍ୟାନେଜର ରଙ୍ଗୋଲୀ ଚାନ୍ଦେଲ ଅଫିସ୍ ଭଙ୍ଗାରୁଜାର ଯାଞ୍ଚ କରିଥିଲେ ।
ସେହିପରି ଶିବସେନା ନେତା ସଞ୍ଜୟ ରାଉତ ଓ ତାଙ୍କ ବିବାଦ ପରେ ସୋମବାର ଅଭିନେତ୍ରୀଙ୍କୁ ୱାଇ ପ୍ଲସ ସୁରକ୍ଷା ଦିଆଯିବାର ଘୋଷଣା କରାଯାଇଥିଲା । ମଙ୍ଗଳବାର ତାଙ୍କୁ କଡା ସୁରକ୍ଷା ସହ ମୁମ୍ବାଇ ଅଣାଯାଇଥିଲା । ମୁଖ୍ୟ କଥା ହେଲା ଯେ ସେ ମୁମ୍ବାଇରେ ପହଞ୍ଚିବା ପୂର୍ବରୁ ତାଙ୍କ ଅଫିସ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିଦେଇଥିଲା ବିଏମସି । ହେଲେ ତାଙ୍କ ଆବେଦନ ଶୁଣାଣିରେ ବମ୍ବେ ହାଇକୋର୍ଟ ବିଏମସିର ଏହି କାର୍ଯ୍ୟ ଉପରେ ବ୍ୟାନ ଲଗାଇଥିଲା । ଯାହାପରେ କଙ୍ଗନାଙ୍କୁ ଆଶ୍ବସ୍ତି ମିଳିଥିଲା ।
ପ୍ରକାଶ ଥାଉକି ଗୁରୁବାର ଅପରାହ୍ନ 3ରେ ତାଙ୍କ ଆବେଦନର ଦ୍ବିତୀୟ ଶୁଣାଣି ହୋଇଯାଇଛି । ଯେଉଁଥିରେ ବିଏମସି ନିଜ ପକ୍ଷ ରଖିବ ବୋଲି ଆଦେଶ ଦେଇଥିଲେ ବିଚାରପତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ