ହାଇଦ୍ରାବାଦ: ଆଜି(ଗୁରୁବାର) ଦେଖିବାକୁ ମିଳିବ ମହାଜାଗତିକ ଦୃଶ୍ୟ । ଆଜି ବର୍ଷର ସବୁଠାରୁ ଛୋଟ ଦିନ ଏବଂ ବଡ ରାତି ଅଟେ । ଆଉ ଦିନ କେଇଟା ପରେ 2023 ସରିବାକୁ ବସିଥିବା ବେଳେ ଆଜି ସବୁଠାରୁ ଛୋଟ ଦିନ ହେବ ।
ସାଧାରଣତଃ ଡିସେମ୍ବର 21 ତାରିଖରେ ଦିନ ସବୁଠାରୁ ଛୋଟ ହେଉଥିବା ବେଳେ ରାତି ବଡ଼ ହୋଇଥାଏ। କାରଣ ପୃଥିବୀ ସୂର୍ଯ୍ୟ ଚାରିପଟେ 23.5 ଡିଗ୍ରୀ ଢଳି ଏକ ଅଣ୍ଡାକୃତି ପଥରେ ପରିକ୍ରମା କରିଥାଆନ୍ତି । ଆଜିର ଦିନରେ ମକର ରେଖା ପୃଥିବୀର ନିକଟତମ ହୋଇଥାଏ । ଏହି କାରଣରୁ ଦିନର ଅବଧି କମ ହୋଇଥାଏ । ଏହାସହ ଡିସେମ୍ବର 22 ତାରଖରୁ ଦିନ ଲମ୍ବ ହୋଇଥାଏ । ତେବେ ଭାରତୀୟ ଜ୍ୟେତିଷ ଶାସ୍ତ୍ରରେ ଏହାକୁ ମକର ସାୟନ ବୋଲି ମଧ୍ୟ କୁହାଯାଇଥାଏ । ଅନ୍ୟପଟେ କିଛିଜଣ ଏହାକୁ ଓ୍ବିଣ୍ଟର ସୋଲଷ୍ଟିସ୍ ମଧ୍ୟ କହିଥାଆନ୍ତି । ପ୍ରତିବର୍ଷ ଡିସେମ୍ବର 21 କିମ୍ବା 22 ତାରିଖରେ ଉତ୍ତର ଗୋଲାର୍ଦ୍ଧରେ ଶୀତ ଋତୁ ଆରମ୍ଭ ହେବା ସହିତ ଦକ୍ଷିଣ ଗୋଲାର୍ଦ୍ଧରେ ଗ୍ରୀଷ୍ମଋତୁ ଆରମ୍ଭ ହୋଇଥାଏ । ଏହି ଦିନ ଉତ୍ତର ଗୋଲାର୍ଦ୍ଧରେ ସବୁଠାରୁ ଛୋଟ ଦିନ ହୋଇଥାଏ । ଏହା ପରଠାରୁ ଦିନର ଅବଧି ଲମ୍ବା ହେବା ସହିତ ରାତିର ଅବଧି ଛୋଟ ହୋଇଥାଏ । ଆଜିର ଦିନରେ ସୂର୍ଯ୍ୟ ପୃଥିବୀଠାରୁ ଅନେକ ଦୂରରେ ଅବସ୍ଥାନ କରିଥାଏ । ଆଉ ଜହ୍ନ କିରଣ ଅଧିକ ସମୟ ଧରି ପୃଥିବୀ ପୃଷ୍ଠରେ ପଡ଼ିବ । ଅନ୍ୟପଟେ ମାର୍ଚ୍ଚ 21 ଏବଂ ଡିସେମ୍ବର 23 ତାରଖରେ ଦିନରାତି ସମାନ ହୋଇଥାଏ । କାରଣ ଏହି ଦିନ ସୂର୍ଯ୍ୟ ବିଷୁବ ରେଖାରେ ରହିଥାଆନ୍ତି । ଫଳରେ ଦିନ ଏବଂ ରାତିର ସମୟ ସମାନ ଅର୍ଥାତ 12 ଘଣ୍ଟା ହୋଇଥାଏ ।
ଏହା ମଧ୍ୟ ପଢନ୍ତୁ: ଡୁଡୁଲ ପାଳୁଛି 'ଓ୍ବିଣ୍ଟର ସୋଲଷ୍ଟିସ': ଆଜିଠୁ ଦିନ ଛୋଟ, ରାତି ବଡ
ସୂଚନା ଅନୁସାରେ, ସୋଲଷ୍ଟିସ ଶବ୍ଦଟି ଲାଟିନ ଭାଷାରୁ ଆସିଛି । ଏହାର ଅର୍ଥ ହେଉଛି ବର୍ତ୍ତମାନ ସୂର୍ଯ୍ୟ ସ୍ଥିରବସ୍ଥାରେ ରହିଛନ୍ତି । କାରଣ ସୋଲିଷ୍ଟିସ ସମୟରେ ସୂର୍ଯ୍ୟ ଉତ୍ତର କିମ୍ବା ଦକ୍ଷିଣ ଆଡକୁ ଦିଗ ପରିବର୍ତ୍ତନ କରିବା ପୂର୍ବରୁ କିଛି କ୍ଷଣ ପାଇଁ ଅଟକି ଯାଇଥାଆନ୍ତି । ଅର୍ଥାତ ସ୍ଥିର ହୋଇ ରହିଥାଆନ୍ତି । ଅନେକ ଦେଶରେ ଏହାକୁ ଏକ ପର୍ବ ଭାବେ ମଧ୍ୟ ପାଳନ କରାଯାଇଥାଏ । ସେହିଭଳି ଆୟରଲାଣ୍ଡରେ କିଛି ଦିନ ପୂର୍ବରୁ 5 ହଜାର ପୁରୁଣା କବରସ୍ତାନରେ ଲୋକମାନେ ଜମା ରହୁଥିଲେ । କବରସ୍ତାନ ଉପରେ ସୂର୍ଯ୍ୟକିରଣ ପଡ଼ିବା ପର୍ଯ୍ୟନ୍ତ ଅପେକ୍ଷା କରି ରହୁଥିଲେ । ଏହି ଦିନର ଅର୍ଥାତ ଆଜିର ଧାର୍ମିକ ମହତ୍ତ୍ବ ମଧ୍ୟ ରହିଛି । ବିଶ୍ବାସ ରହିଛି ଯେ, ଏହି ଦିନକୁ ଧନୁମାସର ଶେଷ ଦିନ ଭାବେ ପାଳନ କରାଯାଏ । ପୂର୍ବକାଳରେ ଆଜିର ଦିନକୁ ମକର ସଂକ୍ରାନ୍ତି ଭାବେ ପାଳନ କରାଯାଉଥିଲା ।