ନୂଆଦିଲ୍ଲୀ: ଭୋଡାଫୋନ୍ ଆଇଡିଆ(Vi)ର ପ୍ରାୟ 20 ନିୟୁତ ଗ୍ରାହକଙ୍କ କଲ୍ ଡାଟା ରେକର୍ଡ ଲିକ୍ ହେବା ସହ ସାଇବର ଅପରାଧୀଙ୍କ ଦ୍ବାରା ଆକ୍ସେସ୍ ହୋଇଥିବା ନେଇ ସାଇବର ସୁରକ୍ଷା ଅନୁସନ୍ଧାନକାରୀ ସଂସ୍ଥା ଦାବି କରିବା ପରେ ଟେଲିକମ୍ ଅପରେଟର ଏହି ଉଲ୍ଲଂଘନକୁ ଅସ୍ୱୀକାର କରିଛନ୍ତି(Vodafone Idea denies data leak) । ସାଇବର ସୁରକ୍ଷା ଅନୁସନ୍ଧାନ ସଂସ୍ଥା CyberX9 ଏହାର ରିପୋର୍ଟରେ କହିଛି ଯେ, କମ୍ପାନୀର ସିଷ୍ଟମରେ ଦୁର୍ବଳତା ହେତୁ 20.6 ନିୟୁତ ପୋଷ୍ଟପେଡ୍ Vi ଗ୍ରାହକଙ୍କ କଲ୍ ଡାଟା ରେକର୍ଡ ଲିକ୍ ହୋଇଛି । ମାତ୍ର କମ୍ପାନୀ ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଛି ।
ରିପୋର୍ଟରେ ଦର୍ଶାଯାଇଛି ଯେ ଲିକ୍ ହୋଇଥିବା ତଥ୍ୟରେ କଲ୍ ସମୟ, କଲର ଅବଧି, କେଉଁଠାରୁ କଲ କରାଯାଇଥିଲା, ଗ୍ରାହକଙ୍କ ସମ୍ପୂର୍ଣ୍ଣ ନାମ, ଠିକଣା SMS ବିବରଣୀ ଏବଂ ରୋମିଂ ବିବରଣୀ ଅନ୍ତର୍ଭୁକ୍ତ । ତେବେ କୌଣସି ତଥ୍ୟ ଉଲ୍ଲଂଘନ ହୋଇ ନାହିଁ ଏବଂ ରିପୋର୍ଟ ମିଥ୍ୟା ବୋଲି ଦର୍ଶାଇ Vi ଏହି ଦାବିକୁ ଅସ୍ୱୀକାର କରିଛନ୍ତି । କମ୍ପାନୀ କହିଛି ଯେ, ଏହାର ବିଲିଂ ଯୋଗାଯୋଗରେ ଏକ ସମ୍ଭାବ୍ୟ ଦୁର୍ବଳତା ବିଷୟରେ ଜାଣିଛୁ ଏବଂ ତୁରନ୍ତ ଏହାକୁ ଠିକ୍ କରାଯାଇଛି । ଏଥିସହ କୌଣସି ତଥ୍ୟ ଉଲ୍ଲଂଘନ ନହେବା ପାଇଁ ପୁଙ୍ଖାନୁପୁଙ୍ଖ ଫରେନସିକ୍ ବିଶ୍ଳେଷଣ କରାଯାଇଛି ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।
ଭୋଡାଫୋନ୍ ଆଇଡିଆ କହିଛି ଯେ, କମ୍ପାନୀ "ନିୟମିତ ଯାଞ୍ଚ" କରାଇଥାଏ ଏବଂ ସୁରକ୍ଷା ଭିତ୍ତିଭୂମିକୁ ମଜବୁତ କରିବା ପାଇଁ ଅଡିଟ୍ କରାଯାଇଥାଏ । ସେପଟେ CyberX9, କହିଛି ଯେ ସେମାନେ ଫୋରେନସିକ୍ ଅଡିଟ୍ କରିଛନ୍ତି ବୋଲି କମ୍ପାନୀର ଦାବି ଅବୈଧ ଅଟେ । CyberX9 ଅନୁଯାୟୀ, ଗତ ଦୁଇ ବର୍ଷ ଧରି ଲକ୍ଷ ଲକ୍ଷ Vi ଗ୍ରାହକଙ୍କ କଲ୍ ଲଗ୍ ଏବଂ ଅନ୍ୟାନ୍ୟ ତଥ୍ୟ ଲିକ୍ ହୋଇଛି, ଯାହାକୁ ହ୍ୟାକର୍ସ ଆକ୍ସେସ୍ କରିଥିଲେ ।