ନୂଆଦିଲ୍ଲୀ: ଦେଶରେ ଆପଲ୍ର ଆଉ ଏକ ଷ୍ଟୋର୍ ଖୋଲିଲା । ଦିଲ୍ଲୀ ସାକେତ ଅଞ୍ଚଳର ସିଲେକ୍ଟ ସିଟି ୱାଲ୍ ମଲ୍ର୍ ଆପଲ୍ ସିଇଓ ଟିମ୍ କୁକ୍ ଆଜି(ଅପ୍ରେଲ୍ 20) ଭାରତର ଦ୍ୱିତୀୟ ଆପଲ୍ ଷ୍ଟୋର୍ର ଉଦଘାଟନ କରିଛନ୍ତି । ଷ୍ଟୋରରେ ଏକ ସବୁଠୁ ଭଲ ସେବା ଆପଲ୍ ପିକଅପ୍ ଷ୍ଟେସନ୍ ରହିଛି, ଏହା ମାଧ୍ୟମରେ ଗ୍ରାହକ ଅନଲାଇନ୍ରେ ଆଇଫୋନ୍ ଅର୍ଡର କରି ଅଫ୍ଲାଇନରେ ଷ୍ଟୋରରୁ ଆସି ନେଇପାରିବେ । ଏହାପୂର୍ବରୁ କୁକ୍ 18 ତାରିଖରେ ମୁମ୍ବାଇରେ ଦେଶର ପ୍ରଥମ ଆପଲ୍ ଷ୍ଟୋର୍ର ଉଦ୍ଘାଟନ କରିଥିଲେ ।
ଆପଲ୍ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ, ଏହି ଷ୍ଟୋର୍ରେ 70ରୁ ଅଧିକ ଉଚ୍ଚ କୁଶଳୀ ବିକ୍ରେତା ଅଛନ୍ତି, ଯେଉଁମାନେ ଭାରତର 18ଟି ରାଜ୍ୟରୁ ଆସି ଥିବାବେଳେ ସେମାନଙ୍କର 15ରୁ ଅଧିକ ଭାଷାରେ ଯୋଗାଯୋଗ କରିପାରିବାର ଅଭ୍ୟାସ ରହିଛି । ଏହା ମାଧ୍ୟମରେ ଗ୍ରାହକ ଉପଯୁକ୍ତ ସେବା ପାଇପାରିବେ ବୋଲି ଆପଲ୍ ଏକ ବିବୃତ୍ତିରେ କହିଛି । ସେହିପରି ଆଇଫୋନ୍ ବାବଦରେ ସମସ୍ତ ସୂଚନା ଜାଣିବା ପାଇଁ ଷ୍ଟୋର୍ରେ ଏକ ଜିନିୟସ୍ ବାର୍ ରଖାଯାଇଛି । ସେଠାକୁ ଯାଇ ଗ୍ରାହକ ସେମାନଙ୍କର ସମସ୍ତ ଦ୍ବନ୍ଦ୍ବକୁ ଦୂର କରିପାରିବେ ।
ଏହା ମଧ୍ୟ ପଢନ୍ତୁ:- Apple Retail Store In India: ଭାରତରେ ପ୍ରଥମ ଷ୍ଟୋର୍ ଖୋଲିଲା ଆପଲ୍
ଏଥିରେ କୁହାଯାଇଛି ଯେ ଜିନିୟସ୍ ବାର୍ ନିଯୁକ୍ତି ଏକ ଡିଭାଇସ୍ ସେଟ୍ ଅପ୍, ଆପଲ୍ ଆଇଡି ପୁନରୁଦ୍ଧାର, ଆପଲ୍ କାର୍ ଯୋଜନା ବାଛିବା କିମ୍ବା ସବସ୍କ୍ରିପସନ୍ ବଦଳାଇବା ଠାରୁ ଆରମ୍ଭ କରି ସବୁକିଛି ସାହାଯ୍ୟ କରିପାରିବ । ରିଟେଲର ଆପଲର ବରିଷ୍ଠ ଉପସଭାପତି ଡିଆରଡ୍ରେ ଓ’ବ୍ରାଇନ୍ କହିଛନ୍ତି ଯେ, "ଭାରତରେ ଆମର ଦ୍ୱିତୀୟ ଷ୍ଟୋର୍ ଆପଲ୍ ସାକେତ୍ ଖୋଲିବା ସହିତ ଦିଲ୍ଲୀର ଗ୍ରାହକଙ୍କୁ ଆପଲ୍ର ସର୍ବୋତ୍ତମ ସାମଗ୍ରୀ ଯୋଗାଇ ପାରିଥିବାରୁ ବେଶ୍ ଆନନ୍ଦିତ ।"
ଏହା ମଧ୍ୟ ପଢନ୍ତୁ:- Apple CEO meets PM Modi: ମୋଦିଙ୍କୁ ଭେଟିଲେ କୁକ୍, କହିଲେ ଭାରତରେ କରିବେ ନିବେଶ
ସୂଚନା ଅନୁସାରେ, ମଙ୍ଗଳବାର(ଅପ୍ରେଲ 18)ରେ ମୁମ୍ବାଇର ବାନ୍ଦ୍ରା-କୁର୍ଲା କମ୍ପ୍ଲେକ୍ସ(ବି.କେ.ସି)ରେ ଟିମ୍ କୁକ୍ ଆପଲର ଭାରତର ପ୍ରଥମ ରିଟେଲ୍ ଷ୍ଟୋର୍ ଉଦ୍ଘାଟନ କରିଛନ୍ତି । ଏହା ପୂର୍ବରୁ ସେ ଭାରତର ବହୁ ନାମୀ ଦାମୀ ବ୍ୟବସାୟୀ, କ୍ରୀଡାବିତ୍ ଏବଂ ଅଭିନେତାଙ୍କୁ ଭେଟିଥିଲେ । ଗତକାଲି(ବୁଧବାର) ଦିଲ୍ଲୀରେ ଆପଲ୍ର ଦ୍ବିତୀୟ ଷ୍ଟୋର୍ ଉନ୍ମୋଚନ କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି କୁକ୍ । ଆପଲ୍ ସମଗ୍ର ଭାରତରେ ନିବେଶ କରିବା ପାଇଁ ପ୍ରତିଶୃତିବଦ୍ଧ ବୋଲି କୁକ୍ କହିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ସହ ଏକ ଫଟୋ ପୋଷ୍ଟ କରି କୁକ୍ ଟ୍ବିଟ୍ ମାଧ୍ୟମରେ ଧନ୍ୟବାଦ ଜଣାଇଛନ୍ତି । ତେବେ ଆପଲ୍ ଭାରତରେ ବ୍ୟବସାୟ ବିସ୍ତାର ପାଇଁ ସରକାରଙ୍କ ସହାୟତା ଲୋଡିଥିବା ଜଣାପଡିଛି । ତେବେ ଆଗକୁ ଆପଲ୍ର ଏହି ସୁବିଧା କେଉଁ କେଉଁ ସ୍ଥାନରେ ଖୋଲୁଛି ତାହା ଉପରେ ସମସ୍ତଙ୍କ ନଜର ରହିବ ନିଶ୍ଚୟ ।