ଇନ୍ଦ୍ରଶେଖର ସିଂ, ବରିଷ୍ଠ ସାମ୍ବାଦିକ
କାନାଡା ଜଣେ ଖଲିସ୍ତାନୀ ସମର୍ଥକଙ୍କ ହତ୍ୟା ଲାଗି 'ଭାରତୀୟ ଏଜେଣ୍ଟ'ଙ୍କୁ ଦାୟୀ କରିଛି । ଭାରତ ବିରୋଧରେ ଏଭଳି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ । ଏହାପରେ ଉଭୟ ରାଷ୍ଟ୍ର ମଧ୍ୟରେ କୂଟନୈତିକ ସ୍ତରରେ ସମ୍ପର୍କ ବିଗିଡ଼ିବାରେ ଲାଗିଛି । ତେବେ ଏହି ପୁରା ବିବାଦ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଭାରତ-କାନାଡାର ସମ୍ପର୍କ କୃଷି ଏବଂ କୃଷିଜାତ ଦ୍ରବ୍ୟ ଦୃଷ୍ଟିକୋଣରୁ ବେଶ ଗୁରୁତ୍ବ ବହନ କରେ । ଯଦି ଭାରତ ଓ କାନାଡା ମଧ୍ୟରେ ସମ୍ପର୍କ ପୂର୍ବ ସ୍ଥିତିକୁ ନ ଫେରେ, ତେବେ ଏହା ଭାରତର ଖାଦ୍ୟ ଅର୍ଥନୀତି ଉପରେ ଗମ୍ଭୀର ପ୍ରଭାବ ପକାଇବ।
କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଉଭୟ ସଂସଦ ତଥା ଗଣମାଧ୍ୟମ ସମ୍ମୁଖରେ ଖଲିସ୍ତାନୀ ସମର୍ଥକ ହରଦ୍ବୀପ ସିଂ ନିଜ୍ଜର ହତ୍ୟାକାଣ୍ଡ ଲାଗି ଭାରତ ସରକାରଙ୍କ ଉପରେ ଆଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି । ଏହି କାରଣରୁ ଉଭୟ ନାଗରିକଙ୍କ ଲାଗି ଭିସା ବାତିଲ ଓ ଅନ୍ୟାନ୍ୟ କୂଟନୈତିକ ପଦକ୍ଷେପ ନିଆଯାଇଛି । ଯେଉଁଥିରେ ଶୁଳ୍କ, ବାଣିଜ୍ୟ ପ୍ରତିବନ୍ଧକ ଏବଂ ଏପରିକି ରାଷ୍ଟ୍ରଦୂତଙ୍କୁ ପଠାଇ ଦିଆଯାଇଥିବା ଭଳି ପଦକ୍ଷେପ ମଧ୍ୟ ନିଆଯାଇଛି। କିନ୍ତୁ କୃଷି ସହିତ ଏହାର କ’ଣ ସମ୍ପର୍କ ରହିଛି ?
ଋଷ-ୟୁକ୍ରେନ ବିବାଦ ଆରମ୍ଭରୁ ହିଁ ସାର ମୂଲ୍ୟ ବୃଦ୍ଧି ପାଇଛି । ଏବେ DAPର ମୂଲ୍ୟ 25% ବୃଦ୍ଧି ପାଇଛି ଏବଂ NPK ସାରର ମୂଲ୍ୟ ମଧ୍ୟ ଏହା ସହିତ ମେଳ ଖାଉଛି । ହେଲେ ଏଭଳି ସ୍ଥିତିରେ ଭାରତ ପାଇଁ କାନାଡାର ଭୂମିକା ଗୁରୁତ୍ବପୂର୍ଣ୍ଣ । କୃଷି ଶିଳ୍ପ ଓ ଉନ୍ନକମାନର ସାର ଉତ୍ପାଦନ ପାଇଁ କାନାଡା ନିକଟରେ ବିଶ୍ବର ସର୍ବବୃହତ ପୋଟାଶ ଭଣ୍ଡାର ରହିଛି । ବିଶ୍ବର ପୋଟାଶ ସଂରକ୍ଷଣର 30% ରୁ ଅଧିକ ଏବଂ ସର୍ବାଧିକ ଉତ୍ପାଦକ ଭାବରେ କାନାଡା ଗତ ବର୍ଷ ପ୍ରାଥମିକ MOP (Muriate of Potash) ଯୋଗାଣକାରୀ ଥିଲା ।
ଯୁଦ୍ଧ ଯୋଗୁଁ ଭାରତକୁ ଋଷର ସାର ଯୋଗାଣ ବ୍ୟାହତ ହୋଇଛି। ଫଳରେ ଭାରତରେ ସୀମିତ ପୋଟାଶ ରହିଛି । ପ୍ରମୁଖ ପୋଟାସ ଉତ୍ପାଦନକାରୀ ରାଷ୍ଟ୍ର ଉଭୟ ଚୀନ ଏବଂ କାନାଡା ଭାରତର କୃଷି ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି । ସମ୍ପର୍କ ବିଗିଡିଯିବାରୁ କାନାଡା ଏହାର ସୁଯୋଗ ନେଇ ଭାରତଠାରୁ ରିହାତି ଦାବି କରି ଭାରତକୁ କାନାଡୀୟ ପୋଟାଶ ରପ୍ତାନି ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି କରିପାରେ । ଏଭଳି ପଦକ୍ଷେପ ଭାରତର ଖାଦ୍ୟ ସୁରକ୍ଷା ଏବଂ ଫସଲ ଉପରେ କ୍ଷତିକାରକ ପ୍ରଭାବ ପକାଇବାର ସମ୍ଭାବନା ରହିଛି ।
ତେବେ ସାର ବିପଦକୁ ଦୃଷ୍ଟିରେ ରଖି ଭାରତୀୟ ନୀତି ନିର୍ମାତାମାନେ ନିରବଚ୍ଛିନ୍ନ ପୋଟାଶ ଯୋଗାଣ ନିଶ୍ଚିତ କରିବାକୁ କାନାଡାକୁ ନିବେଦନ କରିଛନ୍ତି । ଯଦି ଭାରତ, ଋଷ ଏବଂ ବେଲାଋଷରୁ ସାର ପରିବହନ ବୃଦ୍ଧି କରିବାକୁ ଚେଷ୍ଟା ନକରେ, ତେବେ ଆଗାମୀ ଦିନରେ ଆମେ ସାର ଅଭାବର ସମ୍ମୁଖୀନ ହେବା । ଯାହା ରବି ଫସଲ ଓ ଗହମ ଫସଲକୁ ବିଶେଷ ପ୍ରଭାବିତ କରିବ । ଐତିହାସିକ ଭାବରେ କାନାଡା ଭାରତ ପାଇଁ ଏକ ନିର୍ଭରଯୋଗ୍ୟ ପୋଟାଶ ଉତ୍ସ ।
ଏହା ବି ପଢନ୍ତୁ- Sugar Production Reduces: ମିଠା ନୁହେଁ ପିତା ଲାଗିଲାଣି ଚିନି ! ଚିନ୍ତାରେ ସରକାର
ଏବେ ସାରରୁ ଖାଦ୍ୟ ଆଡକୁ ଯିବା । କାନାଡା ବହୁ ପୂର୍ବରୁ ଭାରତକୁ ମୂଲ୍ୟବାନ କୃଷିଜାତ ଦ୍ରବ୍ୟ ଯେପରିକି ଡାଲି, ତେଲ ମଞ୍ଜି, କାନୋଲା ତେଲ ଏବଂ ଖାଦ୍ୟ ଉପଯୋଗୀ ତେଲ ଯୋଗାଇ ଆସୁଛି । ପ୍ରାୟ 95% ଡାଲି, ବିଶେଷ କରି ମସୁର ଡାଲି କାନାଡାରୁ ଭାରତକୁ ଆସିଥାଏ । ନିକଟ ଅତୀତରେ ଡାଲିର ମୂଲ୍ୟ ସ୍ଥିର ରଖିବା ଦିଗରେ କାନାଡାରୁ ଭାରତକୁ ଆମଦାନୀ ହେଉଥିବା ମସୁର ପ୍ରମୁଖ ଭୂମିକା ଗ୍ରହଣ କରିଛି। ଏହାବାଦ ଅନ୍ୟ ଏକ ପ୍ରମୁଖ ପ୍ରୋଟିନ ଉତ୍ସ ଭାବେ କାବୁଲି ବୋଟ କାନାଡାରୁ ଭାରତକୁ ଆସିଥାଏ। ଏହାସହ ଧଳା ଓ ହଳଦିଆ ମଟର ଯୋଗାଣକାରୀ ଭାବେ କାନାଡାର ରହିଛି ଗୁରୁତ୍ବପୂର୍ଣ୍ଣ ଭୂମିକା ।
ଏହି ବିବାଦ ଲାଗି ଭାରତ ସମ୍ମୁଖୀନ କରିବାକୁ ଯାଉଥିବା କୃଷି ସମସ୍ୟା ମଧ୍ୟରେ ବିଶେଷ କରି ଡାଲି ଏବଂ ତେଲ ପ୍ରମୁଖ ରହିବ। ଭବିଷ୍ୟତ ଫସଲକୁ ଦୃଷ୍ଟିରେ ରଖିଲେ ଭାରତ ପ୍ରୋଟିନ ଏବଂ ତେଲ ଯୋଗାଣ ଉପରେ ପ୍ରାଥମିକତା ଦେବା ଉଚିତ । ଦିନକୁ ଦିନ ବୃଦ୍ଧି ପାଉଥିବା ଅଭାବକୁ ଦୃଷ୍ଟିରେ ରଖି 2 ଦେଶ ମଧ୍ୟରେ କୃଷି ବାଣିଜ୍ୟ ଲାଗି ଏକ ବିକଳ୍ପ ବଜାୟ ରଖିବା ନିହାତି ଆବଶ୍ୟକ ରହିଛି ।
ଅନ୍ତର୍ଜାତୀୟ ବାଣିଜ୍ୟ ଉପରେ ମିଳିତ ଜାତିସଂଘର COMTRADE ଡାଟାବେସ୍ ଅନୁଯାୟୀ କାନାଡାକୁ ରପ୍ତାନି ଦିଗରେ ଭାରତ 2022 ମସିହାରେ ପ୍ରାୟ 4.25 ବିଲିୟନ ଡଲାରର ରପ୍ତାନି ରେକର୍ଡ କରିଛି । ଯଦି ଉଭୟ ଦେଶ ମଧ୍ୟରେ ସ୍ଥିତି ନ ସୁଧୁରେ, ତେବେ ଏହି ଆଉଟଫ୍ଲୋ ମଧ୍ୟ ପ୍ରଭାବିତ ହୋଇପାରେ । ଯାହା ଶେଷରେ ଉଭୟ ଦେଶକୁ ମଧ୍ୟ ପ୍ରଭାବିତ କରିବ ।
ପରିଶେଷରେ, ଯଦି କୂଟନୈତିକ ପ୍ରୟାସ ବିଫଳ ହୁଏ ତେବେ ଭାରତ-କାନାଡା ସମ୍ପର୍କ ଏକ ଶୀତଳ ସ୍ତରରେ ପ୍ରବେଶ କରିପାରେ । ଏଠାରେ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏହି ବିବାଦ ଯେପରି ଆମ କୃଷି ଏବଂ ଖାଦ୍ୟ ସୁରକ୍ଷା ଉପରେ ପ୍ରଭାବ ପକାଇବ ନାହିଁ ସେଥିପ୍ରତି ଦୃଷ୍ଟି ଦେବା ଉଚିତ । କୃଷିକୁ ଅବହେଳା କରିବା କେବଳ ଉଭୟ ସରକାର ନୁହେଁ, ବରଂ ନିଜ ନିଜ ଦେଶରେ ଥିବା ଚାଷୀ ଏବଂ ଗ୍ରାହକଙ୍କୁ ମଧ୍ୟ ଗଭୀର ଭାବେ ପ୍ରଭାବିତ କରିବ, ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ ।
(ଏହି ଆଲେଖ୍ୟ ଲେଖକଙ୍କ ସମ୍ପୂର୍ଣ୍ଣ ନିଜସ୍ବ ମତ..)