ଡାମାସକସ୍: ସିରିଆ ଓ ତୁର୍କୀରେ ଶକ୍ତିଶାଳୀ ଭୂମିକମ୍ପ ମୃତ୍ୟୁର ତାଣ୍ଡବ ରଚିଛି । ବଡ ବଡ ଅଟ୍ଟାଳିକା ଧ୍ବଂସସ୍ତୁପ ପାଲଟିଛି । ଭଗ୍ନାବଶେଷ ତଳେ ଚାପି ହୋଇ ହଜାର ହଜାର ପ୍ରାଣବାୟୁ ଉଡିଯାଇଛି । ଏବେ ବି ଭଙ୍ଗା କୋଠା ତଳେ ଅନେକ ଜୀବନ ଫସିରହିଛି । ତେବେ ମୃତ୍ୟୁର ଏହି ବିଭୀଷିକା ମଧ୍ୟରେ ସିରିୟାରୁ ସାମ୍ନାକୁ ଆସିଛି ଏକ ଆଶ୍ଚର୍ଯ୍ୟଜନକ ଦୃଶ୍ୟ । ଏଠାରେ ମୃତାହତଙ୍କ ଆର୍ତ୍ତଚିତ୍କାର ମଧ୍ୟରେ ଭଗ୍ନସ୍ତୁପ ତଳୁ ଶୁଣାଯାଇଛି କୁଆଁ କୁଆଁ ରାବ । ଭୂମିକମ୍ପ ବେଳେ ଭଗ୍ନାବେଶଷ ତଳେ ଜଣେ ଶିଶୁକନ୍ୟା ନୂଆ ଦୁନିଆରେ ପାଦ ଦେଇଛି ।
ଭୂମିକମ୍ପ ସମୟରେ ଜଣେ ମାଆଙ୍କ ପ୍ରସବ ଯନ୍ତ୍ରଣା ହୋଇଥିଲା । ହେଲେ ମହିଳା ଜଣକ ମୃତ୍ୟୁ ପୂର୍ବରୁ ଭଗ୍ନସ୍ତୁପ ତଳେ ହିଁ ଶିଶୁକନ୍ୟାକୁ ଜନ୍ମ ଦେଇ ଆଖି ବୁଜି ଦେଇଥିଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ତେବେ ଧ୍ବଂସସ୍ତୁପ ତଳେ ଚାପି ହୋଇ ଶିଶୁଟିର ବାପାମାଆ ଶେଷ ନିଶ୍ବାସ ତ୍ୟାଗ କରିଥିବା ଜଣାପଡିଛି । ଯାହାଫଳରେ ଜନ୍ମ ହେଉ ହେଉ ଶିଶୁଟି ବାପାମାଆ ଛେଉଣ୍ଡ ହୋଇଯାଇଛି । ଉଭୟ ବାପାମାଆଙ୍କ ମୃତ୍ୟୁ ଘଟିଥିଲେ ହେଁ ନବଜାତ ଶିଶୁଟିର ଜୀବନ ବଞ୍ଚିଯାଇଥିବା ଭିଡିଓରେ ଦେଖିବାକୁ ମିଳୁଛି ।
ସୋମବାର ତିନୋଟି ଭୟଙ୍କର ଭୂମିକମ୍ପ ପରେ ଏବେସୁଦ୍ଧା ତୁର୍କୀରେ ୫,୮୯୪ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ୩୪,୮୧୦ ଆହତ ହୋଇଛନ୍ତି । କେବଳ ସିରିୟାରେ ୧,୮୩୨ ଜଣଙ୍କ ଜୀବନ ଯାଇଥିବା ବେଳେ ୩,୮୪୯ ଆହତ ହୋଇଛନ୍ତି । ତୁର୍କୀରେ ପ୍ରାୟ ୫,୭୭୫ ଟି ବିଲ୍ଡିଂ ସମ୍ପୂର୍ଣ୍ଣ ଭୁଶୁଡି ପଡିଛି । ଭୂକମ୍ପ ଅଞ୍ଚଳରେ ଭଗ୍ନାବଶେଷ ତଳେ ଏବେ ବି ଅନେକ ଲୋକଙ୍କ ଜୀବନ ଫସି ରହିଛି । ଯୁଦ୍ଧକାଳୀନ ଭିତ୍ତିରେ ସେମାନଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ପାଖାପାଖି ୭,୫୦୦ ତୁର୍କୀ ସେନା ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି । ତେବେ ପ୍ରବଳ ଥଣ୍ଡା ଓ ବରଫପାତ ଯୋଗୁଁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହେଉଛି । ସେପଟେ ମୃତ୍ୟୁସଂଖ୍ୟା ୮ ଗୁଣା ବୃଦ୍ଧି ପାଇବ ବୋଲି ହୁ ଆକଳନ କରିଛି ।
ଏହାମଧ୍ୟ ପଢନ୍ତୁ: Turkey-Syria earthquake: ଭୂମିକମ୍ପରେ ଛାରଖାର ତୁର୍କୀ-ସିରିୟା, ମୃତ୍ୟୁସଂଖ୍ୟା ୭୭୦୦କୁ ବୃଦ୍ଧି
ପ୍ରଥମେ ସୋମବାର ଭୋର ସମୟରେ ଏଠାରେ ୭.୮ ତୀବ୍ରତାର ଭୂମିକମ୍ପ ହୋଇଥିଲା । ଏହାପରେ ୭.୫ ଓ ପୁଣି କିଛି ସମୟ ପରେ ୬.୦ ତୀବ୍ରତାର ଭୂମିକମ୍ପ ତୁର୍କୀକୁ ଦୋହଲାଇ ଦେଇଥିଲା । ଗତକାଲିମଧ୍ୟ ତୁର୍କୀରେ ୫.୬ ତୀବ୍ରତାର ଆଉ ଏକ ଭୂମିକମ୍ପ ଅନୁଭୂତ ହୋଇଥିବା ଜଣାପଡିଛି ।