କରାଚି: ପାକିସ୍ତାନ କରାଚିର ଭୟଙ୍କର ଅଗ୍ନିକାଣ୍ଡ । ଶନିବାର ଦିନ କରାଚି ସହରରେ ଥିବା ଏକ ବଡ ସପିଂ ମଲ୍ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏହି ଅଘଟଣରେ ଏବେସୁଦ୍ଧା ପାଖାପାଖି 10 ଜଣଙ୍କ ଜୀବନ ଯାଇଥିବା ବେଳେ 22 ଜଣ ଗୁରୁତର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଗୁରୁତରଙ୍କ ମଧ୍ୟରେ ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ଯୋଗୁଁ ଆଗକୁ ମୃତ୍ୟୁ ସଂଖ୍ୟାରେ ବୃଦ୍ଧି ଘଟିପାରେ ବୋଲି ଆଶଙ୍କା କରାଯାଉଛି । ତେବେ ଅଗ୍ନିକାଣ୍ଡର କାରଣ ଏବେସୁଦ୍ଧା ଜଣାପଡିନଥିବା ବେଳେ ସର୍ଟ ସର୍କିଟ ଯୋଗୁ ଏହା ହୋଇଥାଇପାରେ ବୋଲି ଆକଳନ କରାଯାଉଛି ।
ଶନିବାର ଦିନ ପାକିସ୍ତାନର କରାଚି ସହରରେ ଅବସ୍ଥିତ ଏକ ବଡ ସପିଂ ମଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ପ୍ରଥମେ ବିଲ୍ଡିଂର ଦ୍ବିତୀୟ ମହଲାରେ ନିଆଁ ଲାଗିଥିବା ବେଳେ ଚାହୁଁ ଚାହଁ ଚତୁର୍ଥ, ପଞ୍ଚମ ଓ ଷଷ୍ଠ ମହଲା ପର୍ଯ୍ୟନ୍ତ ନିଆଁ ବ୍ୟାପୀ ଯାଇଥିଲା । ନିଆଁ ଲିଭା କାର୍ଯ୍ୟରେ 12ଟି ଦମକଳବାହିନୀ ଓ ପାଖାପାଖି 50ଜଣ ଅଗ୍ନିଶମ କର୍ମଚାରୀ ନିୟୋଜିତ ହୋଇଥିଲେ । ତେବେ ନିଆଁ ଲାଗିବା ବେଳେ ବିଲ୍ଡିଂରେ 50ରୁ ଊର୍ଦ୍ଧ୍ୱ ଲୋକ ଫସି ରହିଥିବା ବେଳେ ଦୀର୍ଘ ଘଣ୍ଟାର ପରିଶ୍ରମ ପରେ ସେମାନଙ୍କୁ ଉଦ୍ଧାର କରାଯାଇଥିଲା ଏବଂ ନିଆଁକୁ ଆୟତ୍ତ କରାଯାଇଥିଲା ।
ଏହାମଧ୍ୟ ପଢନ୍ତୁ.. ହାଇଦ୍ରାବାଦରେ ବଢୁଛି ଅଗ୍ନିକାଣ୍ଡ; ଚଳିତ ବର୍ଷ ୧୩୨ ଅଘଟଣରେ ୩୭ ମୃତ
ଅନ୍ୟପଟେ ଏହି ଘଟଣା ନେଇ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟ ଅଗ୍ନିଶମ ବିଭାଗ ଅଧିକାରୀ । ସେ କହିଛନ୍ତି ଯେ, ଏହି ଅଘଟଣରେ 11 ଜଣଙ୍କ ଜୀବନ ଯାଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ଅଧିକାଂଶ ମୃତ୍ୟୁ ଧୂଆଁରେ ଶ୍ବାସରୁଦ୍ଧ ଯୋଗୁ ହୋଇଥିବା ଜଣାପଡିଛି । ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ କିଛି ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଅନ୍ୟପଟେ ଅଗ୍ନିକାଣ୍ଡକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଥିଲା । ନିଆଁ ଲିଭାଇବା ପାଇଁ ବିଦ୍ୟୁତ କାଟ କରିବାକୁ ପଡିଥିଲା । 42 ଜଣଙ୍କୁ ବିଲ୍ଡିଂ ଭିତରୁ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ କେହି ଫସିରହିଥିବା ନେଇ ତଦନ୍ତ କରାଯାଇଥିଲା ।
କରାଚି ମେୟର ମୁରତାଜା ଓ୍ବାହାବ ସିଦ୍ଦିକ୍ୟୁ ସୋସିଆଲ ମିଡିଆ ଏକ୍ସରେ ଏ ଘଟଣା ସମ୍ବନ୍ଧରେ ସୂଚନା ପ୍ରଦାନ କରିଛନ୍ତି । ଏହି ଅଗ୍ନିକାଣ୍ଡରେ 10ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 22 ଜଣ ଆହତ ହୋଇଥିବା କହିଛନ୍ତି ମେୟର ।
ଅନ୍ୟପଟେ ନିଆଁ ଲାଗିବାର କାରଣ ଏବେସୁଦ୍ଧା ଜଣା ପଡିନାହିଁ । ସର୍ଟ ସର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥାଇ ପାରେ ବୋଲି ଅନୁମାନ କରାଯାଉଛି । ପୋଲିସ ଓ ଅଗ୍ନିଶମ ବିଭାଗ ପକ୍ଷରୁ ତଦନ୍ତ ଜାରି ରହିଛି । ତେବେ କରାଚିରେ 90 ପ୍ରତିଶତ ରେସିଡେଣ୍ଟାଲ, କମର୍ସିଆଲ କିମ୍ବା ଇଣ୍ଡଷ୍ଟ୍ରିଆଲ୍ ବିଲ୍ଡିଂଗୁଡ଼ିକରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ନଥିବା ଦେଖିବାକୁ ମିଳିଛି । ଯେଉଁଥିପାଇଁ ଅନେକ ସମୟରେ ଏଭଳି ଭୟଙ୍କର ଅଗ୍ନିକାଣ୍ଡ ଘଟଣା ଘଟୁଥିବା କୁହାଯାଉଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ