ହାଇଦ୍ରାବାଦ: ଗାଜାରେ ମାନବୀୟ ସଙ୍କଟ ଚରମ ସୀମାରେ ପହଞ୍ଚିଛି । ହସ୍ପିଟାଲ ଗୁଡିକରେ ବିଜୁଳି ଅଭାବରୁ ଏବେ ସର୍ବାଧିକ ସଙ୍କଟରେ ଗର୍ଭବତୀ, ନବଜାତ ଶିଶୁ ଓ ଆହତ ନାଗରିକ । ତେବେ ଏହାରି ମଧ୍ୟରେ ଆଜି ଗାଜା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ, ଅତି କମରେ ପ୍ରାୟ 30 ରୁ ଅଧିକ ପ୍ରିମ୍ୟାଚୋର ଶିଶୁଙ୍କୁ ସହରର ମୁଖ୍ୟ ହସ୍ପିଟାଲରୁ ସ୍ଥାନାନ୍ତରଣ କରାଯାଇଛି । ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ ଗମ୍ଭୀର ରହିଛି । ସେମାନଙ୍କୁ ଇଜିପ୍ଟ ସ୍ଥାନାନ୍ତରଣ କରାଯିବ ।
ଗାଜାର ଶିଫା ହସ୍ପିଟାଲରୁ ଦାରୁଣ ଚିତ୍ର ସାମ୍ନାକୁ ଆସିଥିଲା । ଏହି ହସ୍ପିଟାଲରେ ବହୁ ଆହତ ଓ ନବଜାତ ଶିଶୁ ଚିକିତ୍ସାଧୀନ ଥିବା ବେଳେ ପାଓ୍ବାର ବ୍ଲାକଆଉଟ (ବିଜୁଳି ନଥିବା) ସମସ୍ୟା ଚିକିତ୍ସାରେ ପ୍ରତିବନ୍ଧକ ସୃଷ୍ଟି କରିଛି । ଡାକ୍ତରମାନେ ନବଜାତ ଶିଶୁଙ୍କୁ ବଞ୍ଚାଇବା ପାଇଁ ସଂଘର୍ଷ କରୁଥିବା ଭିଡିଓ ମଧ୍ୟ ସାମ୍ନାକୁ ଆସିଥିଲା । ହସ୍ପିଟାଲରେ ବିଜୁଳି ନଥିବା କାରଣରୁ ମେଡିକାଲ ସରଞ୍ଜାମ କାର୍ଯ୍ୟକ୍ଷମ କରାଯାଇପାରୁନି । ଔଷଧ, ଖାଦ୍ୟ, ପିଇବା ପାଣି ମଧ୍ୟ ଗଚ୍ଛିତ ନାହିଁ । ହସ୍ପିଟାଲ ବାହାରେ ଇସ୍ରାଏଲୀ ଡିଫେନ୍ସ ଫୋର୍ସ ହମାସ ଆତଙ୍କୀଙ୍କ ଖୋଜିବାରେ ଅପରେସନ ଜାରି ରଖିଥିବା ମଧ୍ୟ ଭିଡିଓରେ ଦେଖିବାକୁ ମିଳିଥିଲା । ଯାହା ଗାଜାରେ ଜାରି ରହିଥିବା ମାନବୀୟ ସଙ୍କଟକୁ ପୁଣି ଥରେ ବିଶ୍ବବାସୀଙ୍କ ନଜରକୁ ଆଣିଛି । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ‘ହୁ’ର ଟିମ୍ ମଧ୍ୟ ଏହି ହସ୍ପିଟାଲ ଗସ୍ତ କରିସାରିଛନ୍ତି । ଏଠାରେ ଏବେ 32 ଶିଶୁଙ୍କ ସମେତ ମୋଟ 291 ଜଣ ଆହତ ଚିକିତ୍ସାଧୀନ ଥିଲେ । ଏହି ଆହତଙ୍କ ମଧ୍ୟରେ କିଛି ଗୁରୁତର ମଧ୍ୟ ରହିଛନ୍ତି । ଯେଉଁମାନଙ୍କୁ ଆବଶ୍ୟକ ସ୍ଥଳେ ଅନ୍ୟତ୍ର ସ୍ଥାନାନ୍ତର କରିବା ମଧ୍ୟ ଏତେ ସହଜ ହେବ ନାହିଁ ।
ଏହା ମଧ୍ୟ ପଢନ୍ତୁ:- ରାହୁଲଙ୍କୁ କଟାକ୍ଷ କରିଥିଲେ ନଡ୍ଡା, ହିମାଚଳ କଥା ମନେ ପକାଇ ପାଲଟା ଟାର୍ଗେଟ କଲା କଂଗ୍ରେସ
ସେପ୍ଟମ୍ବର 7 ତାରିଖରେ ହମାସ ଆକ୍ରମଣ ପରେ ଗାଜାରେ ଏକ ସ୍ବନ୍ତ୍ର ସାମରିକ ଅପରେସନ ଆରମ୍ଭ କରିଥିଲା ଇସ୍ରାଏଲ । ଯାହା ଏବେ ମଧ୍ୟ ଜାରି ରହିଛି । ଏବେ ଗାଜାରେ ଅତି ସଙ୍କଟମୟ ସ୍ଥିତି ସୃଷ୍ଟି ହୋଇଛି । ଉତ୍ତର-ଗାଜାରୁ ଲୋକେ ପଳାୟନ କରିଥିବା ବେଳେ ଦକ୍ଷିଣ ଗାଜା ଏବେ ଶରଣାର୍ଥୀ କ୍ୟାମ୍ପରେ ପରିଣତ ହୋଇଛି । ଲକ୍ଷାଧିକ ପାଲେଷ୍ଟାଇନ ନାଗରିକ ଏବେ ରିଲିଫ୍ କ୍ୟାମ୍ପରେ ଆଶ୍ରୟ ନେଇଛନ୍ତି । ଇସ୍ରାଏଲର ଏୟାର ଷ୍ଟ୍ରାଇକ ଓ ଗ୍ରାଉଣ୍ଡ ଅପରେସନ ହଜାର ହଜାର ଲୋକେ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଅଭିଯୋଗ ହୋଇଛି । ହେଲେ ହସ୍ପିଟାଲରେ ବିଜୁଳି ନଥିବା ସମସ୍ୟା ସେମାନଙ୍କ ଜୀବନକୁ ବିପଦ ମଧ୍ୟକୁ ଠେଲି ଦେଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ