ଅବୁଧାବି: ଆଜିକାଲି ବିବାହ ବିଚ୍ଛେଦ ଏକ ସାଧାରଣ କଥା । ଆଇନ ଅନୁଯାୟୀ, ସ୍ବାମୀ ପତ୍ନୀଙ୍କୁ ଛାଡପତ୍ର ଦେବା ସମୟରେ ତାଙ୍କ ଭରଣପୋଷଣ ବାବଦରେ କିଛି ଅର୍ଥ ଦେଇଥାନ୍ତି । ସମାଜରେ ଅନେକ ଦାମୀ ଛାଡପତ୍ରର ମଧ୍ୟ ନଜିର ରହିଛି । ହେଲେ ଆପଣ କେବେ ୫୫୦୦ କୋଟିର ବିବାହ ବିଚ୍ଛେଦ କଥା ଶୁଣଛନ୍ତି କି ? ଦୁବାଇ ଶାସକ ଶେଖ୍ ମହମ୍ମଦ ବିନ ରାସିଦ ଅଲ ମକତୁମ ନିଜ ଷଷ୍ଠ ପତ୍ନୀ ହୟାଙ୍କ ଠାରୁ ଏଭଳି ଦାମୀ ତଲାକ୍ ନେଇଛନ୍ତି । ଯାହା ବର୍ତ୍ତମାନ ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି ।
ଦୁବାଇ ଶାସକ ମହମ୍ମଦ ବିନ ରାସିଦ ଅଲ ମକତୁମ ନିଜ ପତ୍ନୀ ରାଜକୁମାରୀ ହୟାଙ୍କଠାରୁ ତଲାକ ନେଇଛନ୍ତି । ଏଥିପାଇଁ ସେ ପତ୍ନୀ ହୟାଙ୍କୁ ୫୫୦୦ କୋଟି ଟଙ୍କା ଭରଣପୋଷଣ ଦେବେ । ଛାଡପତ୍ର ଏବଂ ତାଙ୍କ ପିଲାଙ୍କ ଭବିଷ୍ୟତ ପାଇଁ ବ୍ରିଟେନ ହାଇକୋର୍ଟ ରାଜା ମକତୁମଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି । ଏହା ବିଟ୍ରେନର ସବୁଠୁ ମହଙ୍ଗା ଛାଡପତ୍ର ବୋଲି କୁହାଯାଉଛି ।
ରାଣୀ ହୟା ଜୋର୍ଡାନର ପୂର୍ବତନ ରାଜା ହୁସେନଙ୍କ ଝିଅ । ରାଜା ମକତୁମ ରାଣୀ ହୟାଙ୍କୁ ମାନସିକ ଏବଂ ଶାରୀରିକ ନିର୍ଯାତନା ଦେଉଥିଲେ । ଦୀର୍ଘ ବର୍ଷ ହେବ ଅତ୍ୟାଚାର ସହିବା ପରେ ଶେଷରେ ରାଣୀ ତାଙ୍କଠୁ ଅଲଗା ହୋଇଥିବା କୋର୍ଟ ଜଣାଇଛନ୍ତି । ଓକିଲଙ୍କ ଅନୁଯାୟୀ, ରାଜା ବିନ ରାସିଦ ଅଲ ମକତୁମ ଏକକାଳୀନ ୨୫୦୦ କୋଟି ଟଙ୍କା ଦେବେ । ଏହାସହ ତାଙ୍କ ପିଲମାନଙ୍କ ସୁରକ୍ଷା ପାଇଁ ସ୍ବତନ୍ତ୍ର ନିରାପତ୍ତା ବ୍ୟବସ୍ଥା କରିବା ସହ ଅଧିକ ୨୯୦୦ କୋଟି ଦେବେ । ରାଣୀ ଏହି ଅର୍ଥରାଶି ବ୍ୟାଙ୍କରେ ଜମା କରିବେ। ଛାଡପତ୍ର ପରେ ଭରଣପୋଷଣ ପାଇଁ ରାଣୀ ହୟା ରାଜାଙ୍କୁ ପ୍ରାୟ ୧୪ ହଜାର କୋଟି ଟଙ୍କା ଦାବି କରିଥିଲେ । କିନ୍ତୁ କୋର୍ଟ ୫୫୦୦ କୋଟି ଟଙ୍କା ପ୍ରଦାନ କରିବାକୁ ରାଜାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ