ଇସ୍ତାନବୁଲ: ତୁର୍କୀରେ କୋରୋନା ସ୍ଥିତି ଭୟଙ୍କର ପାଲଟିଛି । ମଧ୍ୟପ୍ରାଚ୍ୟରେ ଇରାନ ପରେ ଏହାର ପରିସ୍ଥିତି ଖରାପ ରହିଛି । ଗତ 24 ଘଣ୍ଟାରେ ଏଠାରେ 1141 ମାମଲା ବାହାରିଛି ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି ।
ଫଳରେ ତୁର୍କୀରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 1 ଲକ୍ଷ 56 ହଜାର 827 ପହଞ୍ଚିଛି । ସେହିପରି 24 ଘଣ୍ଟାରେ 32 ଜଣଙ୍କର ମୃତ୍ୟୁ ହୋଇଛି । ଏବେ ସୁଦ୍ଧା ମୋଟ 4340 ଲୋକଙ୍କର କୋରୋନାରେ ପ୍ରାଣ ଯାଇଛି ବୋଲି ରିପୋର୍ଟ ରହିଛି । ସେହିପରି 1 ଲକ୍ଷ 18 ହଜାରରୁ ଅଧିକ ଲୋକ ସୁସ୍ଥ ହୋଇସାରିଛନ୍ତି ।
ଜନ୍ସ ହପକିନ୍ସ ୟୁନିଭର୍ସିଟି ଅନୁସାରେ ଆକ୍ରାନ୍ତଙ୍କ ସଂଖ୍ୟା ହିସାବରେ ଏହା ବିଶ୍ବରେ ନବମ ସ୍ଥାନରେ ରହିଛି । ତେବେ ପ୍ରକୃତ ସଂଖ୍ୟା ଅଧିକ ରହିଛି ବୋଲି ବିଶେଷଜ୍ଞମାନେ ଆଶଙ୍କା ପ୍ରକାଶ କରିଛନ୍ତି । ନିକଟରେ ଇଦ୍ ଛୁଟି ମାନିବା ଉପରେ ସରକାର କଟକଣା ଜାରି କରିଛନ୍ତି । କାରଣ ଶେଷ ଛୁଟିରେ ଦେଶର ମୋଟ 81ଟି ଅଞ୍ଚଳରୁ 31ଟି ଅଞ୍ଚଳରେ କୋରୋନା ବ୍ୟାପିଥିଲା । ସେଥିପାଇଁ ଇଦ୍ ନ ପାଳିବାକୁ ସରକାର ଘୋଷଣା କରିଥିଲେ ।