ନୂଆଦିଲ୍ଲୀ: ବିଶ୍ବର ଦୁଇ ଶୀର୍ଷ ନେତୃତ୍ବଙ୍କ ମଧ୍ୟରେ ହୋଇଯାଇଛି ସାକ୍ଷାତ । ଉତ୍ତର କୋରିଆର ଶାସକ କିମ ଜଙ୍ଗ ଉନ ଓ ଋଷିଆ ରାଷ୍ଟ୍ରପତି ଭ୍ଲାଦମିର ପୁତିନଙ୍କ ମଧ୍ୟରେ ପ୍ରଥମ ଥର ପାଇଁ ସାକ୍ଷାତକାର ହୋଇଛି । ଏହି ଅବସରରେ ଦୁହେଁ ଦୁଇ ଦେଶ ମଧ୍ୟରେ ସମ୍ବନ୍ଧକୁ ସୁଦୃଢ କରିବାର ଶପଥ ନେଇଛନ୍ତି ।
କିମ୍ ବୁଧବାର ଟ୍ରେନ ମାଧ୍ୟମରେ ଋଷିଆ ପହଞ୍ଚିଥିଲେ । ଦୁଇ ଶୀର୍ଷ ନେତୃତ୍ବଙ୍କ ମଧ୍ୟରେ ସାକ୍ଷାତ ଋଷିଆର ସହର ଭ୍ଲାଦିବୋସ୍ତାକ ନିକଟସ୍ଥ ରସ୍କୀ ଦ୍ବୀପରେ ହୋଇଛି । ଏହି ସାକ୍ଷାତକୁ ନେଇ ଋଷିଆ ତରଫରୁ କୁହାଯାଇଛି ଯେ ଦୁଇ ନେତାଙ୍କ ମଧ୍ୟରେ କୋରିଆ ଉପଦ୍ବୀପରେ ପରମାଣୁ ସମସ୍ୟା ଉପରେ ଚର୍ଚ୍ଚା ହୋଇଯାଇଛି । ତେବେ ଆଗାମୀ ଦିନରେ ଆମେରିକା ସହ କିମଙ୍କ ଆଲୋଚନା ବିଫଳ ହୁଏ, ଋଷିଆକୁ ସହଯୋଗ ପାଇଁ କିମ ଅନୁରୋଧ କରି ପାରନ୍ତି ବୋଲି ଚର୍ଚ୍ଚା ହେଉଛି ।
କିମ ଓ ପୁଟିନ ମଧ୍ୟରେ ସାକ୍ଷାତ ଏକ କଲେଜ କ୍ୟାମ୍ପସରେ ହୋଇଛି । ଏଥିପାଇଁ କଲେଜ କ୍ୟାମ୍ପସକୁ ଖାଲି କରାଯାଇଥିଲା । କିନ୍ତୁ କିଛି ବିଦ୍ୟାର୍ଥୀ ଦୁଇ ନେତାଙ୍କୁ ଦେଖିବା ପାଇଁ ସମ୍ମିଳନୀ ସ୍ଥଳରେ ଏକାଠି ହୋଇଥିଲେ । ଏହାପୂର୍ବରୁ କିମ ଋଷିଆ ଟିଭିକୁ କହିଛନ୍ତି ଯେ, ଆଶା କରୁଛି ଏହି ଗସ୍ତ ସଫଳ ରହିବ । ମୁଁ ଆଦରଣୀୟ ରାଷ୍ଟ୍ରପତି ପୁଟିନଙ୍କ ସହ କୋରିଆ ଉପଦ୍ବୀପର ପରିସ୍ଥିତି ସହ ଜଡିତ ବିଷୟ ଓ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଦୃଢ କରିବାକୁ ଆଲୋଚନା କରିଛୁ ।