କାବୁଲ: ଆଫଗାନିସ୍ତାନ ଓ ତାଲିବାନ ମଧ୍ୟରେ ଶାନ୍ତି ଚୁକ୍ତିର ଆଧାରରେ ରବିବାର ମୁକୁଳିବେ ଆଫଗାନ କଏଦୀ । ଏନେଇ ସୂଚନା ଦେଇଛନ୍ତି ତାଲିବାନୀ ମୁଖପାତ୍ର ସୁହୈଲ ଶାହୀନ । ଏକ ଟ୍ବିଟର ପୋଷ୍ଟ ଜରିଆରେ ସେ କହିଛନ୍ତି କି ରବିବାର 20 ଜଣ ଆଫଗାନ କଏଦୀଙ୍କୁ ତାଲିବାନୀ କାରାଗାରରୁ ମୁକ୍ତ କରାଯିବ ।
ସେ ଏହା ମଧ୍ୟ କହିଛନ୍ତି କି ମୁକ୍ତ ଆଫଗାନ କଏଦୀମାନଙ୍କୁ ଦକ୍ଷିଣାଞ୍ଚଳର କନ୍ଦାହାର ସହରରେ ରେଡକ୍ରସ ମୁଖ୍ୟଙ୍କୁ ହସ୍ତାନ୍ତର କରାଯିବ । ତେବେ ଏହି ନାଗରିକ ହସ୍ତାନ୍ତର ପ୍ରକ୍ରିୟାକୁ ନେଇ ଉଭୟ ପକ୍ଷ ମଧ୍ୟରେ ଭୁଲ ବୁଝାମଣା ହୋଇଥିଲା । ଫଳରେ ନିର୍ଦ୍ଧାରିତ ସମୟର ଢେର ପରେ ରବିବାର ପ୍ରଥମେ ତାଲିବାନ ପଦକ୍ଷେପ ସ୍ବରୂପ ଆଫଗାନି କଏଦୀଙ୍କୁ ମୁକ୍ତ କରିବା ପାଇଁ ସୂଚନା ଦେଇଛି ।
ପ୍ରତି ବଦଳରେ ଆଫଗାନ ମଧ୍ୟ ଶତାଧିକ ତାଲିବାନୀ କଏଦୀଙ୍କୁ ମୁକ୍ତ କରିବା ପାଇଁ ଦେଇଛି ସବୁଜ ସଙ୍କେତ । ତେବେ ଗତ ଫେବୃଆରୀରେ ୱାଶିଂଟନ ତାଲିବାନ ସହିତ ଏକ ଚୁକ୍ତି ସ୍ବାକ୍ଷର କରିଥିଲା । ଯେଉଁଥିରେ ୱାଶିଂଟନ ଆଫଗାନରେ ନିୟୋଜିତ ୟୁଏସ ଓ ବିଦେଶୀ ସୈନିକଙ୍କୁ ଫେରାଇ ଆଣିବା ପାଇଁ ପ୍ରତିଶୃତି ଦେଇଛି ।