ଇସଲାମାବାଦ: ପାକିସ୍ତାନରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଗମ୍ଭୀର ପାଲଟିଛି । ଲଗାତାର ପଜିଟିଭ ସଂଖ୍ୟାରେ ବୃଦ୍ଧି ପାଉଛି । ଯାହାକୁ ନେଇ ପାକ୍ ଗୁଇନ୍ଦା ସଂସ୍ଥା ଏକ ନୂଆ ଉପାୟ ବାହାର କରିଛି ।
କୋରୋନା ଆକ୍ରାନ୍ତଙ୍କୁ ଧରିବାକୁ ଏହା ଅତ୍ୟାଧୁନିକ ଜ୍ଞାନକୌଶଳର ବ୍ୟବହାର କରୁଛି । ଗୁପ୍ତ ନିରୀକ୍ଷଣ ଟେକ୍ନୋଲୋଜି ବ୍ୟବହାର କରି ଏହା କୋରୋନା ଆକ୍ରାନ୍ତ ଏବଂ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଧରୁଛି । ତେବେ ଏହି ଟେକ୍ନୋଲୋଜି ସାଧାରଣତଃ ଆତଙ୍କବାଦୀଙ୍କୁ ଧରିବାରେ ପାକ୍ ସେନାକୁ ସାହାଯ୍ୟ କରେ । କୋରୋନା ପଜିଟିଭଙ୍କୁ ଧରିବାରେ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇକୁ ନିୟୋଜିତ କରିଛନ୍ତି ପାକ୍ ସରକାର । ସଂସ୍ଥା ଏବେ ଏହି ଆତଙ୍କବାଦୀଙ୍କୁ ଧରିବା ଟେକ୍ନୋଲୋଜିର ବ୍ୟବହାର କରୁଛି ।
ଏହି ବ୍ୟବସ୍ଥା ସମ୍ପର୍କରେ ଯଦିଓ ସମ୍ପୂର୍ଣ୍ଣ ସୂଚନା ମିଳିନାହିଁ ତେବେ ଆଇଏସଆଇ ଜିଓ ଫେନସିଂ ଏବଂ ଫୋନ ମନିଟରିଂ ସିଷ୍ଟମ ବ୍ୟବହାର କରୁଛି ବୋଲି ଜଣାପଡିଛି । ଏହାଦ୍ବାରା ଗୁଇନ୍ଦା ସଂସ୍ଥା ଆତଙ୍କବାଦୀଙ୍କୁ ଧରିଥାଏ । ଏହି ବ୍ୟବସ୍ଥା ଦ୍ବାରା କୌଣସି ଆକ୍ରାନ୍ତ ନିଜ ଅଞ୍ଚଳରୁ ବାହାରିଲେ ଆପ୍ ଦ୍ବାରା ଜଣାପଡିବ । ସେହିପରି ସେମାନଙ୍କ ଫୋନ କଲକୁ ମଧ୍ୟ ଟ୍ରେସ କରାଯାଉଛି । ନିଜ ସମ୍ପର୍କୀୟ ଅବା ବନ୍ଧୁ ବାନ୍ଧବଙ୍କ ସହ ଯଦି ସେମାନେ ଏହି ମହାମାରୀର ଲକ୍ଷଣ ବିଷୟରେ କଥା ହେଉଛନ୍ତି ତେବେ ସେମାନଙ୍କୁ ଖୋଜି ହସ୍ପିଟାଲରେ ଭର୍ତ୍ତି କରାଯାଉଛି ।
ତେବେ ପାକିସ୍ତାନରେ ଅନେକ ଲୋକ କୋଭିଡ 19 ଲକ୍ଷଣରେ ଆକ୍ରାନ୍ତ ହୋଇ ସୁଦ୍ଧା ହସ୍ପିଟାଲ ଯାଉନାହାନ୍ତି । ଆଉ ଏମାନଙ୍କ ସଂସ୍ପର୍ଶରେ ଆସୁଥିବା ଲୋକ ନିଜକୁ ସେଲଫ ଆଇସୋଲେସନରେ ରଖୁନାହାନ୍ତି । ଫଳରେ ସରକାର ଏପରି ବ୍ୟବସ୍ଥା ଆପଣାଇଛନ୍ତି । ଏହା ଅନେକ ଫଳପ୍ରଦ ହୋଇଥିବା ଆଇଏସଆଇର କିଛି ଅଧିକାରୀ ନାମ ଗୁପ୍ତ ରଖିବା ସର୍ତ୍ତରେ କହିଛନ୍ତି । ସେହିପରି ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ମଧ୍ୟ ଏହି ଉପାୟକୁ ପ୍ରଶଂସା କରିଛନ୍ତି । ଏହାଦ୍ବାରା ଅନେକ ପଜିଟିଭ ଥିବା ସତ୍ତ୍ବେ ରିପୋର୍ଟ କରିନଥିବା ଲୋକଙ୍କୁ ଠାବ କରି ସରକାର ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି ।