ବ୍ରୁସେଲ(ବେଲଜିୟମ): ବେକ ଓ ପେଟରେ ଲାଗିଥିଲା ପ୍ରବଳ ଆଘାତ । ଧାର ଧାର ହୋଇ ବୋହିପଡୁଥିଲା ରକ୍ତ । ଦଶ ଥର ହୋଇଥିଲା ଆକ୍ରମଣ । ତଥାପି ହାର ମାନିନଥିଲେ । ଏକଘଣ୍ଟା ପର୍ଯ୍ୟନ୍ତ ଗାଡି ଚଲାଇ ଗନ୍ତବ୍ୟ ସ୍ଥଳ ଯାଇଥିଲେ ।
ଏହା ହେଉଛି ବେଲଜିୟମର ଜଣେ ବସ ଡ୍ରାଇଭରଙ୍କ କାହାଣୀ । ଗୁରୁବାର ଏହି ଘଟଣାଟି ଘଟିଥିବା ସୂଚନା ମିଳିଛି । ଏହା ଅନୁସାରେ ଡ୍ରାଇଭର ଜଣକ ସରକାରୀ ବସ ଚାଳକ । ସବୁଦିନ ଭଳି ସେ ନିଜ ବସ ଧରି କଣ୍ଟିକରେ ପହଞ୍ଚିଥିଲେ । ନିର୍ଦ୍ଧାରିତ ସମୟ ଆଗରୁ ପହଞ୍ଚିଥିବାରୁ ସେ ସିଗାରେଟ ଟାଣିବାକୁ ତଳକୁ ଓହ୍ଲାଇଥିଲେ । ଏହି ସମୟରେ ଅଭିଯୁକ୍ତ ତାଙ୍କୁ ଏକ ଛୁରୀରେ ଦଶ ଥର ଆକ୍ରମଣ କରିଥିଲେ ।
ଡ୍ରାଇଭରଙ୍କ ବେକ ଓ ପେଟରେ ଗୁରୁତର ଆଘାତ ଲାଗିଥିଲା । ଆକ୍ରମଣ ପରେ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ତେବେ ଘଟଣାରେ ଆଶ୍ଚର୍ଯ୍ୟ ହୋଇଥିଲେ 58 ବର୍ଷିୟ ଡ୍ରାଇଭର । ଆଘାତ ସତ୍ତ୍ବେ ସେ ନିଜ ବସ ଧରି ତାଙ୍କ ଗନ୍ତବ୍ୟସ୍ଥଳ ଅଭିମୁଖେ ଯାତ୍ରା କରିଥିଲେ । ସୂଚନାନୁସାରେ ସେ ପ୍ରାୟ ଏକ ଘଣ୍ଟା ଧରି 15 କିଲୋମିଟର ଗାଡି ଚଲାଇଥିଲେ ।
ପେଟରୁ ରକ୍ତ ବୋହିବାରେ ଲାଗିଥିଲେ ମଧ୍ୟ ହଠାତ ଆକ୍ରମଣରେ ଚକିତ ହୋଇପଡିଥିବା ଡ୍ରାଇଭର କିଛି ବୁଝିପାରିନଥିଲେ । ଗାଡି ଚଲାଇ ସେ ଡିପୋ ଅଭିମୁଖେ ଆଗେଇ ଚାଲିଥିଲେ । ସେ ଏପରି ଭାବେ ଭୟଭୀତ ହୋଇପଡିଥିଲେ ଯେ ହସ୍ପିଟାଲ ଯିବା କଥା ସୁଦ୍ଧା ଭାବିପାରିନଥିଲେ । ତେବେ ୱିଲେବ୍ରୋଏକରେ ପହଞ୍ଚିବା ପରେ ସେ ଅଚେତ ହୋଇପଡିଥିଲେ । ତାଙ୍କ ସହଯୋଗୀ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।