କ୍ବେଟ୍ଟା(ପାକିସ୍ତାନ): ବାଲୋଚିସ୍ତାନ ମୁକ୍ତ ଆନ୍ଦୋଳନ ସଙ୍ଗଠନ ପକ୍ଷରୁ ପାକିସ୍ତାନକୁ ମଙ୍ଗଳବାର ସମାଲୋଚନା କରାଯାଇଛି । ଏକ ପ୍ରେସ ବିଜ୍ଞପ୍ତିରେ ପାକ୍ ସେନାର ବର୍ବର କାଣ୍ଡକୁ ନିନ୍ଦା କରିଛନ୍ତି ସଙ୍ଗଠନର କର୍ମୀ । ଅନ୍ତର୍ଜାତୀୟ ନିୟମକୁ ଭାଙ୍ଗିବା ସହ ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇଥିବା କୁହାଯାଇଛି ।
ଗତ ସପ୍ତାହରେ ବାଲୋଚିସ୍ତାନର ପଞ୍ଜଗୁର ଜିଲ୍ଲା ପାରୋମ ଅଞ୍ଚଳରେ ପାକିସ୍ତାନ ଫୋର୍ସ ପକ୍ଷରୁ ଏକ ବର୍ବର କାଣ୍ଡ ହୋଇଥିବାର ବାଲୋଚିସ୍ତାନ କର୍ମୀ ଅଭିଯୋଗ କରିଛନ୍ତି । 4 ଜଣ ବାଲୋଚ କର୍ମୀଙ୍କୁ ହତ୍ୟା କରିବା ସହ ଗାଡି ପଛପଟେ ଜଣକର ମୃତଦେହକୁ ଘୋଷାଡି ନେଇଥିଲେ ସେନା । ଏହି ଘଟଣାରେ ପାକିସ୍ତାନ ସରକାରଙ୍କ ନୀରବ ରହିବାକୁ ସମାଲୋଚନା କରିଛି ଦଳ ।
ଏହା ପକ୍ଷରୁ କୁହାଯାଇଛି ଯେ ଯଦି କାଶ୍ମୀରରେ ଜଣେ ପଥର ଫିଙ୍ଗାଳୀକୁ ଭାରତୀୟ ସେନା ଗିରଫ କରିବେ ତେବେ ଏହାକୁ ସମଗ୍ର ପାକିସ୍ତାନରେ ନିନ୍ଦା କରାଯିବ । ପାକିସ୍ତାନର ସରକାରଙ୍କଠାରୁ ତଥାକଥିତ ଧର୍ମରକ୍ଷକ, ପାକିସ୍ତାନ ନାଗରିକ, ପୋଲିସ, ସାମ୍ବାଦିକ ସମସ୍ତେ ଭାରତ ସରକାରଙ୍କ ପଛରେ ପଡିଯିବେ । 24 ଘଣ୍ଟା କେବଳ ଭାରତ ସରକାରଙ୍କୁ ସମାଲୋଚନା କରିବେ । ହେଲେ ବାଲୋଚିସ୍ତାନ କିମ୍ବା ପିଓକେରେ ଜଣେ ସାଧାରଣ ନାଗରିକଙ୍କୁ ପାକିସ୍ତାନ ସେନା ହତ୍ୟା କରିଲେ ମଧ୍ୟ ଏହାକୁ କେହି କିଛି କହିବେ ନାହିଁ । ଘଟଣାରେ ଚୁପ ରହିବା ଶ୍ରେୟସ୍କର ମଣିବେ ।
ଦଳ ପକ୍ଷରୁ ଏହା ମଧ୍ୟ ଅଭିଯୋଗ କରାଯାଇଛି ଯେ ପାକ୍ ସମର୍ଥିତ ଆତଙ୍କବାଦୀ କେବଳ ଭାରତ ନୁହେଁ ବାଲୋଚ କର୍ମୀ ଏବଂ ପିଓକେରେ ରାଜନୈତିକ ବ୍ୟକ୍ତିଙ୍କୁ ମଧ୍ୟ ଟାର୍ଗେଟ କରୁଛନ୍ତି । ବିଦେଶରେ ଥିବା ଅନେକ ନିରପେକ୍ଷ ସାମ୍ବାଦିକ ଓ କର୍ମୀଙ୍କୁ ହତ୍ୟା କରିବାରେ ଏହା ପ୍ରମୁଖ ଭୂମିକା ନେଇଛନ୍ତି । ନିକଟରେ ଏକ ଗୁଇନ୍ଦା ସୂଚନା ଅନୁସାରେ ପାକ୍ ଆଇଏସଆଇ ଦ୍ବାରା ଏକ ହିଟ ଲିଷ୍ଟ ତିଆରି କରାଯାଇଛି ଯେଉଁଥିରେ ବିଦେଶରେ ରହୁଥିବା ବାଲୋଚ କର୍ମୀ ଓ ପିଓକେ ମାନବାଧିକାର କର୍ମୀଙ୍କ ନାମ ଥିବାର ଜଣାପଡିଛି ।