ହାଇଦ୍ରାବାଦ: ଦୁନିଆର ପ୍ରାୟ ପ୍ରତ୍ୟେକ ଦେଶର ନାଗରିକ ନିଜ ଆୟ ଅନୁଯାୟୀ ସରକାରଙ୍କୁ ଟିକସ୍ ଦେଇଥାଆନ୍ତି । ଏହା ବ୍ୟତୀତ ପ୍ରତ୍ୟେକ ଦେଶର ସରକାର ମଧ୍ୟ ସାମଗ୍ରୀ କିଣାବିକା ଉପରେ ଟିକସ୍ ଆଦାୟ କରନ୍ତି । ଦେଶର ସମସ୍ତ ନାଗରିକ ସରକାରଙ୍କ ଦ୍ବାରା ଲାଗୁ ହୋଇଥିବା ଟ୍ୟାକ୍ସ ଦେବା ନିହାତି ଆବଶ୍ୟକ । କାରଣ ଦେଶର ବିକାଶ ପାଇଁ ଏହା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଅନେକ ଦେଶ ଏମିତି ରହିଛି ଯେଉଁଠି ବରଫର ଏକ ଖଣ୍ଡ କିଣିବା ପାଇଁ ମଧ୍ୟ ସେଠାକାର ନାଗରିକ ସରକାରଙ୍କୁ ଟିକସ୍ ଦେଇଥାଆନ୍ତି । ଆଜି ଆମେ ଆପଣଙ୍କୁ ବିଶ୍ବର ସେମିତି କିଛି ସ୍ବତନ୍ତ୍ର ଟ୍ୟାକ୍ସ ବିଷୟରେ ଜଣାଇବୁ ।
ଆଜିକାଲି ଟାଟୁ କରିବା ଏକ ଟ୍ରେଣ୍ଡ ପାଲଟିଛି । କିନ୍ତୁ ଯଦି ଆପଣଙ୍କୁ ନିଜ ଶରୀରରେ ଟାଟୁ କରିବା ପାଇଁ ସରକାରଙ୍କୁ ଟ୍ୟାକ୍ସ ଦେବାକୁ ପଡିବ ତେବେ ଆପଣ କଣ କହିବେ ? ଆଜ୍ଞା ହଁ, ଆମେରିକାର ଆରକାନାସ୍ ସିଟିରେ ଲୋକଙ୍କୁ ଟାଟୁ କରିବା ପାଇଁ ନିଜ ଆୟର 6 ପ୍ରତିଶତ ସରକାରଙ୍କୁ ଟ୍ୟାକ୍ସ ଆକାରରେ ଦେବାକୁ ପଡିଥାଏ । ଆପଣ କେବେ ଭାବିଛନ୍ତି କି ଆପଣଙ୍କୁ ଟଏଲଟ୍ ଫ୍ଲସ୍ କରିବା ପାଇଁ ଯଦି ଟ୍ୟାକ୍ସ ଦେବାକୁ ପଡିବ? କାରଣ ଆମେରିକାର ମେରିଲ୍ୟାଣ୍ଡ ସହରରେ ମଧ୍ୟ ସମାନ ସ୍ଥିତି ରହିଛି । ଏଠାରେ ନାଗରିକଙ୍କ ଟଏଲଟ୍ ଫ୍ଲସ୍ ବ୍ୟବହାର ଉପରେ ସରକାର ମାସକୁ ପ୍ରାୟ 355 ଟଙ୍କା ଟିକସ୍ ଆଦାୟ କରନ୍ତି । ଅବଶ୍ୟ ଏହାର ଭଲ ଉପଯୋଗ ହୋଇଥାଏ । ଏହି ପାଣ୍ଠିକୁ ଡ୍ରେନ୍ ସଫା କରିବା ପାଇଁ ଖର୍ଚ୍ଚ କରାଯାଏ ।
ଆପଣ କେବେ ଶୁଣିଛନ୍ତି କି ଆପଣଙ୍କୁ କଖାରୁ ପାଇଁ ଟ୍ୟାକ୍ସ ଦେବାକୁ ପଡିବ? ଆମେରିକାର ନ୍ୟୁ ଜର୍ସିରେ ଏହା ଘଟିଥାଏ । ଏଠାରେ କଖାରୁ କିଣିବା ପାଇଁ ଲୋକଙ୍କୁ ଟ୍ୟାକ୍ସ ମଧ୍ୟ ଦେବାକୁ ପଡେ । ଆମେରିକାର ଆଲାବାମାର ନାଗରିକଙ୍କୁ ମଧ୍ୟ ତାସ୍ କାର୍ଡ କିଣିବା କିମ୍ବା ବିକ୍ରୟ ପାଇଁ ଟିକସ୍ ଦେବାକୁ ପଡିଥାଏ । ଗ୍ରାହକଙ୍କୁ କାର୍ଡ ପ୍ରତି 10 ପ୍ରତିଶତ ଦେବାକୁ ପଡିଥାଏ । ସେହିପରି ବିକ୍ରେତାଙ୍କୁ ବାର୍ଷିକ ଲାଇସେନ୍ସ ହିସାବରେ 71 ଟଙ୍କା ଏବଂ 213 ଟଙ୍କା ଦେବାକୁ ପଡିବ । ଆମେରିକାର ଆରିଜୋନାରେ ବରଫ କ୍ୟୁବ୍ କିଣିବା ପାଇଁ ଲୋକଙ୍କୁ ଟ୍ୟାକ୍ସ ଦେବାକୁ ପଡିଥାଏ ।