କାଲିଫର୍ଣ୍ଣିଆ: ବିମାନ ଭିତରେ ଥିବାବେଳେ ଫୋନରେ ଲାଗିଲା ନିଆଁ । ଆମେରିକା ଆଲାସ୍କା ଏୟାରଲାଇନ୍ସର ବିମାନ କେବିନରେ ଜଣେ ଯାତ୍ରୀଙ୍କ ସାମସଙ୍ଗ ସ୍ମାର୍ଟଫୋନରେ ନିଆଁ ଲାଗିଛି । ସିଟେଲ-ଟାକୋମା ଅନ୍ତର୍ଜାତୀୟ ବିମାନବନ୍ଦରରେ ବିମାନଟି ଅବତରଣ କରିବା ସମୟରେ ଏହି ଅଘଟଣ ଘଟିଛି ।
ବିମାନ ବନ୍ଦର ପରିଚାଳନା କରୁଥିବା ପୋର୍ଟ ଅଫ୍ ସିଟେଲର ମୁଖପାତ୍ର ପେରି କପୁର୍ କହିଛନ୍ତି ଯେ, ଏହି ଉପକରଣ ସାମସଙ୍ଗ ଗାଲାକ୍ସି ଏ21 ହୋଇଥିବା ଜଣାପଡିଛି । କେବିନରେ ଫୋନରେ ନିଆଁ ଲାଗିବା କ୍ଷଣି ପାଖାପାଖି ୧୨୮ ଯାତ୍ରୀଙ୍କ ସମେତ ୬ କ୍ରିଉ ସଦସ୍ୟଙ୍କୁ ବସ ଯୋଗେ ଟର୍ମିନାଲକୁ ସ୍ଥାନନ୍ତରଣ କରାଯାଇଥିଲା । ଅଘଟଣରେ କେହି ଆହତ ହୋଇନାହାନ୍ତି ।
ଫୋନରେ ନିଆଁ ଲାଗିବା ମାତ୍ରେ ବିମାନର କର୍ମଚାରୀମାନେ ନିଆଁକୁ ଲିଭାଇଦେଇଥିଲେ । ନିଆଁର ଧୂଆଁ ଏତେ ଥିଲା ଯେ କିଛି ସମୟ ପାଇଁ ତାହା ଏକ ଧୂଆଁ ମେସିନ ପରି ଦେଖାଯାଉଥିଲା । ବିମାନ କର୍ମଚାରୀମାନେ ନିଆଁକୁ ଆୟତ୍ତ କରି ଭଲ କାର୍ଯ୍ୟ କରିଥିବା କହିଛନ୍ତି ଜଣେ ଯାତ୍ରୀ । ଦୁର୍ଘଟଣା କାରଣକୁ ବିମାନସେବା ବାଧାପ୍ରାପ୍ତ ହୋଇନାହିଁ ।
@IANS