ୱାଶିଂଟନ: 72 ଘଣ୍ଟା ମଧ୍ୟରେ ଆମେରିକା ବିରୋଧରେ ଡ୍ରାଗନର କାଉଣ୍ଟର ଆଟାକ୍ । ଚୀନର ଦକ୍ଷିଣ-ପଶ୍ଚିମ ସହର ଚେଙ୍ଗଡୁରେ ଥିବା ଆମେରିକାର କନସୁଲେଟ୍ ବନ୍ଦ କରିବାକୁ ଶୁକ୍ରବାର ନିର୍ଦ୍ଦେଶ ଦେଲା ଡ୍ରାଗନ ଚୀନ ।
ତେବେ ଦକ୍ଷିଣ ହ୍ୟୁଷ୍ଟନରେ ଥିବା ଚୀନ କନସୁଲେଟ୍ ବନ୍ଦ କରିବାକୁ ଆମେରିକା ନିର୍ଦ୍ଦେଶ ଦେବା ପରେ ଏହା ଚୀନର ପ୍ରତିଶୋଧ ବୋଲି ବିବେଚନା କରାଯାଉଛି । ଆମେରିକା ଚୀନକୁ ହ୍ୟୁଷ୍ଟନ୍ରେ ଥିବା କନସୁଲେଟ୍ ଜେନେରାଲ୍କୁ 72 ଘଣ୍ଟା ମଧ୍ୟରେ ବନ୍ଦ କରିବାକୁ କହିବା ପରେ ଉତ୍ତେଜନା ଦେଖାଦେଇଥିଲା। ଆମେରିକା ପକ୍ଷ ଦ୍ୱାରା ଏକପାଖିଆ ଭାବେ ଆରମ୍ଭ ହୋଇଥିବା ରାଜନୈତିକ ଉତ୍ତେଜନାକୁ ଜବାବ ଦେବାକୁ ଚୀନ ପ୍ରତିଶ୍ରୁତି ଦେଇଥିଲା। ତେବେ ଏହାର 72 ଘଣ୍ଟା ମଧ୍ୟରେ ଆମେରିକା ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ନେଇଛି ଚୀନ ।
ନିକଟ ଅତୀତରେ ଅନେକ ପ୍ରସଙ୍ଗକୁ ନେଇ ଦୁଇ ଦେଶ ମଧ୍ୟରେ ସମ୍ପର୍କ ବିଗିଡି ଯାଇଛି । ଚୀନରେ ଆମେରିକାର ପାଞ୍ଚଟି କନସୁଲେଟ ରହିଛି ଗୁଆଙ୍ଗଜୋ, ସାଂଘାଇ, ଶେଙ୍ଗୟାଙ୍ଗ, ଚେଙ୍ଗଡୁ ଏବଂ ଉହାନ୍ । ଏହା ବ୍ୟତୀତ ହଂକଂ ଏବଂ ମାକାଉ ପାଇଁ ଏକ କନସୁଲେଟ୍ ଜେନେରାଲ୍ ରହିଛି ।
ଏହାପୂର୍ବରୁ ଆମେରିକାର ବୈଦେଶିକ ବିଭାଗ ଚୀନକୁ ଟେକ୍ସାସର ହ୍ୟୁଷ୍ଟନ୍ରେ ଥିବା କନସୁଲେଟ୍କୁ ଶୁକ୍ରବାର ସୁଦ୍ଧା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲା । ହଂକଂରେ ଜାତୀୟ ସୁରକ୍ଷା ଆଇନ ଲାଗୁ କରିବାକୁ ଚୀନର ପଦକ୍ଷେପ, ଜିନଜିଆଙ୍ଗରେ ମାନବ ଅଧିକାରର ଉଲ୍ଲଂଘନ ଏବଂ ଦକ୍ଷିଣ ଚୀନ ସାଗରରେ ଆଞ୍ଚଳିକ ଆକ୍ରୋଶକୁ ନେଇ ଚୀନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ଦେଖାଦେଇଛି ।
ଆମେରିକା-ଚୀନର ଉତ୍ତେଜନା ବୃଦ୍ଧି ପାଇବା ପରେ ଆମେରିକାର ବୈଦେଶିକ ସଚିବ ମାଇକେଲ ପୋମ୍ପିଓ ଗୁରୁବାର କହିଥିଲେ, ବେଜିଂ ସହିତ ଆମେରିକା ନିଜର କାରବାରକୁ ନେଇ ନୂତନ ଆଭିମୁଖ୍ୟ ଗ୍ରହଣ କରିବ ।