କ୍ବିଟୋ: ଇକ୍ବାଡୋର ଜେଲରେ ରକ୍ତାକ୍ତ ସଂଘର୍ଷ । ଇକ୍ବାଡୋର ଗ୍ବାୟାକ୍ବିଲ(Guayaquil) ସହରସ୍ଥିତ ବୃହତ୍ କାରାଗାର ଭିତରେ ରକ୍ତର ହୋଲି ଖେଳିଲେ ଦୁଇ କଏଦୀ ଗ୍ୟାଙ୍ଗ । ଦୁଇ ଗ୍ୟାଙ୍ଗ ମଧ୍ୟରେ ପ୍ରବଳ ଗୁଳିମାଡ ଯୋଗୁଁ ଅତିକମରେ ୬୮ ଜଣେ ଅନ୍ତେବାସୀଙ୍କ ମୃତ୍ୟୁ ଘଟିଛି ଏବଂ ୨୫ରୁ ଅଧିକ ଆହତ ହୋଇଛନ୍ତି ।
ସୂଚନା ଅନୁଯାୟୀ, ଶୁକ୍ରବାର ରାତିରୁ ହିଂସାକାଣ୍ଡ ଆରମ୍ଭ ହୋଇ ଶନିବାର ସକାଳ ଯାଏଁ ଚାଲିଥିଲା । ପ୍ରାୟ ୮ ଘଣ୍ଟା ଧରି ଜେଲ ମଧ୍ୟରେ ଫୁଟିଥିଲା ଗୁଳି । ଜେଲରେ ମୋଟ ୭୦୦ କଏଦୀ ଥିଲେ । ଦୁଇ କଏଦୀ ଗୋଷ୍ଠୀଙ୍କ ମଧ୍ୟରୁ ୬୮ ଜଣ ପ୍ରାଣ ହରାଇଛନ୍ତି । ଡ୍ରଗ୍ ଟ୍ରାଫିକିଂ ସହ ଜଡିତ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଏହି ହିଂସାକାଣ୍ଡ ଘଟିଥିବା ପୋଲିସ କହିଛି । ଘଟଣାସ୍ଥଳରୁ ବହୁ ବନ୍ଧୁକ ସମେତ ବିସ୍ଫୋରକ ସାମଗ୍ରୀ ଏବଂ ବ୍ଲେଡ ଜବତ ହୋଇଛି । ପ୍ରାୟ ୯୦୦ ପୋଲିସ ଅଧିକାରୀ ଘଟଣାସ୍ଥଳରେ ମୁତୟନ ହୋଇ ସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିବା ସୂଚନା ମିଳିଛି ।
ବର୍ତ୍ତମାନ ସୁଦ୍ଧା ଇକ୍ବାଡୋରର ଜେଲରେ ଏଭଳି ସଂଘର୍ଷ ଘଟି ୩୦୦ ଜଣ କଏଦୀଙ୍କ ପ୍ରାଣ ଗଲାଣି । ଗତ ସେପ୍ଟେମ୍ବରରେ ଘଟିଥିବା କଏଦୀ ଗ୍ୟାଙ୍ଗଙ୍କ ହିଂସାକାଣ୍ଡ ଇକ୍ବାଡୋର ଇତିହାସର ସବୁଠୁ ବଡ ରକ୍ତିମ ଅଧ୍ୟାୟ । ଏଥିରେ ୧୧୯ ଜଣ କଏଦୀଙ୍କ ମୃତ୍ୟୁ ହୋଇଥିଲା ।