ବାଲେଶ୍ୱର: ନିର୍ବାଚନ ଆସିଲେ ନେତା ଆସନ୍ତି, ଆଉ ଦେଇଯାଆନ୍ତି ଅନେକ ପ୍ରତିଶୃତି । ନିର୍ବାଚନ ସରିଗଲେ କେହି ଆସନ୍ତିନି କି ଚିହ୍ନିପାରନ୍ତିନି । ଆଉ ଅବସ୍ଥା ଯଥା ପୂର୍ବଂ ତଥା ପରଂ। ମୁଣ୍ଡ ଗୁଞ୍ଜିବା ପାଇଁ ଘର ଖଣ୍ଡେ ନଥିବାବେଳେ ଶୋଷ ମେଣ୍ଟାଇବା ପାଇଁ ନାହିଁ ଉପଯୁକ୍ତ ପାନୀୟ ଜଳ। ଏମିତି କିଛି ଅବସ୍ଥାରେ ଦିନ କାଟୁଛନ୍ତି ବାଲେଶ୍ୱର ଔପଦା ବ୍ଲକ ଗଡ଼ସାହି ପଞ୍ଚାୟତର ଲୋକେ ।
ବାଲେଶ୍ବରରେ ଗଡ଼ସାହି ପଞ୍ଚାୟତରେ ବସବାସ କରନ୍ତି ମାଙ୍କିଡ଼ିଆ ଜନଜାତି । ଯାହାଙ୍କୁ ଭେଟି ସ୍ଥିତି ପରଖିଥିଲେ ଆମ ପ୍ରତିନିଧି । କାହିଁ କେଉଁ କାଳରୁ ଏହି ଆଦିବାସୀମାନେ ବସବାସ କରିଆସୁଛନ୍ତି ଏହି ଅଞ୍ଚଳରେ । ହେଲେ ଆଜିଯାଏଁ ସମସ୍ତ ମୌଳିକ ସୁବିଧାରୁ ବଞ୍ଚିତ ଏଠାକାର ଲୋକେ । ଏହି ବସ୍ତିରେ 50ରୁ ଊର୍ଦ୍ଧ୍ବ ପରିବାର ବସବାସ କରୁଥିବାବେଳେ ମାତ୍ର 2 ରୁ 3 ଜଣଙ୍କୁ ସରକାରୀ ଭାବେ ଘର ଦିଆଯାଇଛି ।
ବର୍ଷା ହେଲେ ଘର ଭିତରେ ଜମି ରୁହେ ଆଣ୍ଠୁଏ ପାଣି । ଆଉ ଖରାଦିନେ ପାନୀୟ ଜଳର ଘୋର ଅଭାବ । ବିଗତ ଦିନମାନଙ୍କରେ ଏହି ବସ୍ତିରେ ଶିଶୁମାନେ ଅପପୃଷ୍ଟିର ଶିକାର ହୋଇଥିବା ନଜିର ରହିଛି। ମାତ୍ର ନିର୍ବାଚନ ସମୟରେ ନେତାଏଁ ଆସନ୍ତି, ସବୁକିଛି ସୁଧାରିବାର ପ୍ରତିଶ୍ରୁତି ମଧ୍ୟ ଦିଅନ୍ତି । ହେଲେ ସେମିତି ଅଟକି ଯାଇଥାଏ ଏମାନଙ୍କ ବିକାଶ। ଆଉ ଭାଗ୍ୟକୁ ନିନ୍ଦି ପଡ଼ିଥାନ୍ତି ସେମିତି ଭଙ୍ଗା ଚାଳିଆରେ ।
ଆଗକୁ ନିର୍ବାଚନ ଥିବାବେଳେ ଏମାନଙ୍କ ବିକାଶ ପାଇଁ କୌଣସି ନେତା ଦୃଷ୍ଟି ଦେଉନଥିବା ଅଭିଯୋଗ ହେଉଛି । ଇଚ୍ଛା ନଥିଲେ ବି ଏମାନେ କିନ୍ତୁ କେବେ ଭୋଟ ଦାନ ପାଇଁ ମନା କରିନାହାଁନ୍ତି । ଆଦିବାସୀ ହେଲେ ବି ମତଦାନର ଉଦ୍ଦେଶ୍ୟ ଭଲ ଭାବେ ବୁଝିଛନ୍ତି । ହେଲେ ଏମାନଙ୍କ ଅସୁବିଧାକୁ ସୁଧାରିବା ପାଇଁ ନେତାଏଁ ଆଜି ଯାଏଁ ଦୃଷ୍ଟି ହୋଇନଥିବା ଅଭିଯୋଗ ହୋଇଛି।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ