ଭୁବନେଶ୍ବର: ଗତକାଲି ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ସରିଛି । 4ଟି ଲୋକସଭା ଏବଂ 28ଟି ବିଧାନସଭା ଆସନ ପାଇଁ ହୋଇଥିବା ଏହି ନିର୍ବାଚନରେ ମୋଟ 73.76 ପ୍ରତିଶତ ମତଦାନ ହୋଇଛି । ତେବେ ମାତ୍ର ଦିନକ ପରେ ବିଭିନ୍ନ ରାଜନୈତିକ ଦଳ ନିଜର ଜିତାପଟ୍ ଆକଳନ କରିସାରିଲେଣି । 4ଟି ଯାକ ଲୋକସଭା ହାସଲ କରିବେ ବୋଲି ବିଜେଡି, ବିଜେପି ଏବଂ କଂଗ୍ରେସ ତିନିହେଁ ଦମ୍ଭୋକ୍ତି ବାଢ଼ିଛନ୍ତି ।
ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି କହିଛି ଯେ ଦଳ ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ନେଇ ବେଶ ଆଶାବାଦୀ । 4ଟି ଲୋକସଭା(କଳାହାଣ୍ଡି, କୋରାପୁଟ, ବ୍ରହ୍ମପୁର ଓ ନବରଙ୍ଗପୁର) ଏବଂ 28ରୁ 27ଟି ବିଧାନସଭା ଆସନରେ ବିଜେଡି ଜିତିବା ସ୍ଥିତିରେ ଥିବା କହିଛନ୍ତି ଦଳୀୟ ମୁଖପାତ୍ର ସସ୍ମିତ ପାତ୍ର । ‘ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପରେ ବିଜେପିର ରାତିର ନିଦ ଭାଙ୍ଗିଯାଇଛି । ମିଶନ 120ର ସମ୍ପୁର୍ଣ୍ଣ ଫସର ଫାଟିଯାଇଛି । ଆଜି ଅମିତ ଶାହା କୌଣସି ମନ୍ତବ୍ୟ ଦେବାବେଳେ ନିଜର ଆତ୍ମବିଶ୍ବାସ ହରାଇଥିବେ’ ବୋଲି କହିଛନ୍ତି ସସ୍ମିତ ।
ଅନ୍ୟପଟେ ଦଳର ଖୁଫିଆ ସୁତ୍ରରୁ ଭଲ ସୂଚନା ଆସିଥିବା କହିଛନ୍ତି ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି । ତାଙ୍କର ମଧ୍ୟ ଦାବି ଯେ ବିଜେପି ପ୍ରଥମ ପର୍ଯ୍ୟାୟର ସମସ୍ତ 4ଟି ଲୋକସଭା ଏବଂ ଅଧାରୁ ଅଧିକ ବିଧାନସଭା ଆସନରେ ଜିତିବ । ମୋଦି ଲହର ସବୁଆଡ଼େ ବ୍ୟାପୁଥିବା ବେଳେ ମିଶନ 120 ପୂରଣ ହେବ ବୋଲି ସେ ଦର୍ଶାଇଛନ୍ତି ।
ସେହିଭଳି ପୂର୍ବରୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମଧ୍ୟ କହିସାରିଛନ୍ତି ଯେ କଂଗ୍ରେସ ଏହି 4ଟି ଲୋକସଭା ସମେତ 18 ରୁ 20 ବିଧାନସଭା ଆସନରେ ବିଜୟୀ ହେବ । ତେବେ କେଉଁ ଦଳର ଆକଳନ ସତ ହେଉଛି ଏବଂ କାହାର ପାଣିର ଗାର ପାଲଟୁଛି ତାହା ଆସନ୍ତା ମେ 23 ତାରିଖରେ ସ୍ପଷ୍ଟ ହେବ ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ