ସୁନ୍ଦରଗଡ: ଝିଅକୁ ପ୍ରେମ କରି ବିଫଳ ହେବା ପରେ ଝିଅର ବାପାକୁ ହତ୍ୟା କଲା ପ୍ରେମିକ । ସୁନ୍ଦରଗଡ ଜିଲ୍ଲା କୁତ୍ରା ଥାନା ପଞ୍ଚରାର ଶୁକ୍ରୁ ସୋରଙ୍ଗ ନାମକ ଜଣେ ବ୍ୟକ୍ତିଙ୍କୁ ହତ୍ୟା ଘଟଣା । ଝାରସୁଗୁଡ଼ା କଣ୍ଟାପାଲିରୁ ଗିରଫ ହୋଇଛି ମୁଖ୍ୟ ଅଭିଯୁକ୍ତ ।
ସୂଚନାନୁସାରେ, ବଜାରଦାଣ୍ଡ ପଡାରେ ଗତ 22 ତାରିଖ ରାତିରେ ଘଟିଥିବା ଶୁକ୍ରୁ ସୋରେଙ୍ଗ ହତ୍ୟାକାଣ୍ଡର ଅଭିଯୁକ୍ତ ତୁଳାରାମ ରୋହିଦାଶ ଝାରସୁଗୁଡା ଜିଲ୍ଲା କଣ୍ଟାପାଲିରୁ ଗିରଫ ହୋଇଛି । ତୁଳାରାମ ଶୁକ୍ରୁ ସୋରେଙ୍ଗର ବେକକୁ ଟାଙ୍ଗିଆରେ କାଟି ଅତି ନିର୍ମମ ଭାବେ ହତ୍ୟାକରି ଫେରାର ହୋଇଯାଇଥିଲା । ଶୁକ୍ରୁ ସୋରେଙ୍ଗର ପୁଅ ପ୍ରମୋଦ ସୋରେଙ୍ଗ ଏନେଇ କୁତ୍ରା ଥାନାରେ ଅଭିଯୋଗ କରିଥିଲା । ଅଭିଯୋଗ ଆଧାରରେ ପୋଲିସ ଘଟଣା ସ୍ଥଳକୁ ଯାଇ ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଥିଲା ।
ଗୁରୁବାର ବିଶେଷ ସୂତ୍ରରୁ ଖବର ପାଇ କୁତ୍ରା ପୋଲିସ ଅଭିଯୁକ୍ତ ତୁଳାରାମ ରୋହିଦାଶକୁ ଝାରସୁଗୁଡା ଜିଲ୍ଲା କଣ୍ଟାପାଲିରୁ ଗିରଫ କରି ଦଫା 302ରେ କୋର୍ଟ ଚାଲାଣ କରିଛି । ତୁଳାରାମ ଶୁକ୍ରୁ ସୋରଙ୍ଗର ଝିଅକୁ ପ୍ରେମ କରୁଥିଲା ମାତ୍ର ଶୁକ୍ରୁ ତାକୁ ସ୍ବୀକାର କରୁନଥିଲା । ଏଥିରେ ଉତ୍ୟକ୍ତ ହୋଇ ଏପରି କାଣ୍ଡ ଘଟାଇଥିବା ପୋଲିସ ନିକଟରେ ତୁଳାରାମ ପ୍ରକାଶ କରିଥିବା କହିଛନ୍ତି ଥାନା ଅଧିକାରୀ ସୁଶାନ୍ତ କୁମାର ପରିଡା ।
ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର,ଇଟିଭି ଭାରତ