ଭୁବନେଶ୍ବର: ପୁଣି ଆସିଛି ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ । ଏଥିପାଇଁ ପଶ୍ଚିମ ଓଡିଶାର ପୁର ପଲ୍ଲୀରେ ଆନନ୍ଦ ଓ ଉତ୍ସାହର ମାହୋଲ । ନୂଆଁଖାଇକୁ ନବାନ୍ନ ଭାବେ ମଧ୍ୟ ଜଣାଯାଏ । ଏହି ପର୍ବ ପାଞ୍ଜି ଅନୁସାରେ ଭାଦ୍ରକ ଶୁକ୍ଲ ପକ୍ଷ ପଞ୍ଚମୀ ତିଥିରେ(ଗଶେଶ ଚତୁର୍ଥୀର ପରଦିନ) ପାଳିତ ହୋଇଥାଏ ।
ଚଳିତ ବର୍ଷ ନିରାଡମ୍ବର ଭାବେ ପାଳନ ହେବ ନୂଆଁଖାଇ । କାରଣ ପାଇଁ ଏ ବର୍ଷର ସମସ୍ତ ପର୍ବକୁ ଫିକା କରିଦେଇଛି କୋରୋନା । ବିନା ଦେବ ଦର୍ଶନରେ ସମ୍ବଲପୁରର ଇଷ୍ଟଦେବୀଙ୍କ ଠାରେ ଲାଗି ହେବ ନବାନ୍ନ । ସଂକ୍ରମଣ ଯୋଗୁଁ ମନ୍ଦିରକୁ ସାଧାରଣ ଲୋକଙ୍କୁ ଅନୁମତି ନାହିଁ । କେବଳ ସେବାୟତମାନେ ଧାର୍ଯ୍ୟ ଲଗ୍ନ ଅନୁସାରେ ଇଷ୍ଟ ଦେବୀଙ୍କୁ ନବାନ୍ନ ଲାଗି କରାଇବ।
ସେହିପରି ନୂଆଁଖାଇରେ ଘର ବାହୁଡା କରିଥାନ୍ତି ପରିବାରଲୋକେ । କିନ୍ତୁ କୋରୋନା ପାଇଁ ଏଥର କେହି ଘରକୁ ଫେରି ନାହାଁନ୍ତି । ଯିଏ ପୂର୍ବରୁ ଆସି ରହିଛନ୍ତି ସେମାନେ ପରିବାର ସହ ପାଳନ କରିବାର ସୁଯୋଗ ମିଳିବ । ଏଥର ଭେଟଘାଟ ଓ ନୂଆଁଖାଇ ଜୁହାର ମଧ୍ୟ ଦେଖିବାକୁ ମିଳିବ ନାହିଁ । ମା’ଙ୍କ ନିକଟରେ ନବାନ୍ନ ଲାଗି ପାଇଁ ସକାଳ ୯ଟା ୩୫ରୁ ୯ଟା ୫୦ ମଧ୍ୟରେ ସମୟ ନିର୍ଦ୍ଧାରିତ ହୋଇଛି। ଏହି ସମୟରେ ମଧ୍ୟରେ ମା’ଙ୍କ ନିକଟରେ ନବାନ୍ନ ଲାଗି ହେବା ପରେ ପରିବାର ସଦସ୍ୟ ଏକାଠି ବସି ନୂଆ ଖାଇବେ। କିନ୍ତୁ କରୋନା ପାଇଁ ଏକାଠି ହୋଇ ଉତ୍ସବ ପାଳିପାରିବେନି ଲୋକେ।
ପଶ୍ଚିମାଞ୍ଚଳର ଏକ ପାରମ୍ପିକ ପର୍ବ । ଧାନ ଅମଳର ଖୁସିରେ ଚାଷୀମାନେ ଏହାକୁ ପାଳନ କରିଥାନ୍ତି। ବର୍ଷା ଶେଷ ହେବା ପରେ ଶରତ ଋତୁ ଧରାପୃଷ୍ଠରେ ଅବତରଣ କରେ । ଏହି ସମୟରେ ଚାଷୀ ବେଉଷଣ କାର୍ଯ୍ୟ ଆରମ୍ଭ କରିଥାଏ ପରେ ସହଳ ଅମଳକ୍ଷମ ଧାନ ଗର୍ଭଧାରଣ କରି କେଣ୍ଡା ପକେଇବା କାର୍ଯ୍ୟ କରିଥାଏ । ଚାଷୀ ପ୍ରଥମ କରି ଅମଳକ୍ଷମ ଧାନକୁ ଇଷ୍ଟଦେବୀଙ୍କ ଠାରେ ଅର୍ପଣ କରିବା ହିଁ ନବାନ୍ନ ଭକ୍ଷଣ । ଏହାକୁ ପଶ୍ଚିମ ଓଡିଶାର ନୂଆଁଖାଇ କୁହାଯାଏ । ଏହା ପୂର୍ବରୁ ଲଗ୍ନ ବା ତିଥି ନିର୍ଣ୍ଣୟ କରାଯାଇଥାଏ ।
ଏହି ପର୍ବ ଭାଇଚାରର ନିଦର୍ଶନ ମଧ୍ୟ ଦିଏ । ଯିଏ ଯେଉଁଠି ଥାଆନ୍ତୁ ନା କାହିଁକି,ନୂଆଁଖାଇରେ ଘର ବାହୁଡା କରିଥାନ୍ତି । ବିଦେଶୀ ରହୁ କି ସହର ବାହାରେ, ସଭିଏଁ ମିଶି ପାଳନ କରିଥାନ୍ତି । ନୂଆଁଖାଇ ଦିନ ନବ୍ନାନ ଦେଇ ପୂଜା ବିଧି ସମାପ୍ତ ହେବା ପରେ ପରିବାରର ମୁଖ୍ୟଙ୍କ ହାତରୁ ସମସ୍ତେ ନବାନ୍ନ ଭୋଗ ଗ୍ରହଣ କରିଥାନ୍ତି । ତାହା ଖାଇ ସାରା ପରିବାରର ସମସ୍ତ ବ୍ୟକ୍ତି ନିଜର ବୟସ୍କମାନଙ୍କୁ ଭୂମିଷ୍ଠ ପ୍ରମାଣ ସହ ଆର୍ଶୀବାଦ ନେଇଥାନ୍ତି । ଏହାପରେ ଆରମ୍ଭ ବୟୋଜ୍ୟଷ୍ଠ ମାନଙ୍କୁ ଭୋଟି ନୂଆଁଖାଇ ଜୁହାର କରିଥାନ୍ତି । ଏହାକୁ ନୂଆଁଖାଇ ଭେଟଘାଟ ମଧ୍ୟ କହିଥାନ୍ତି । ପରିବାର ମଧ୍ୟରେ ଥିବା ମତଭେଦ ମଧ୍ୟ ଏହି ସମୟରେ ସମାଧାନ ହୋଇଥାଏ । ସମସ୍ତେ ପୁଣି ଏକଜୁଟ ହୋଇ ରହନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ