ସମ୍ବଲପୁର: ସମ୍ବଲପୁରରେ ମାତିଲେ ଚୋର । ଦିନ ଦ୍ୱିପ୍ରହରରେ ଲୁଟ, ଗାଡି ଡିକିରୁ ୧୧ଲକ୍ଷ ଧରି ଚମ୍ପଟ ମାରିଲେ ଦୁର୍ବୃତ୍ତ । ଏଭଳି ଘଟଣା ଘଟିଛି ସମ୍ବଲପୁର ଟାଉନ ଥାନା ଅନ୍ତର୍ଗତ ମୋଦୀପଡା ଅଞ୍ଚଳରେ । ଏସି ଓ ରେଫ୍ରିଜେରେଟର ଦୋକାନ ମାଲିକଙ୍କ ଗାଡିରୁ ଦୃର୍ବୃତ୍ତ ଟଙ୍କା ନେଇଯାଇଥିବା ଅଭିଯୋଗ ହୋଇଛି ।
ମିଳିଥିବା ସୂଚନା ଅନୁଯାୟୀ ଆଜି ଅପରାହ୍ନ ପ୍ରାୟ 1ଟା ସମୟରେ ମ୍ୟୁନିସିପାଲିଟି ମାର୍କେଟ କମ୍ପ୍ଲେକ୍ସ ପରିସରରେ ଥିବା ଏସି ଓ ରେଫ୍ରିଜେରେଟର ଦୋକାନ ଖୋଲିବା ପାଇଁ ମାଲିକ ମହମ୍ମଦ ଜିସାନ ଆସିଥିଲେ । ତେବେ ସେ ଆସିବା ବେଳେ ବାଇକ ଡିକିରେ 11 ଲକ୍ଷ ଟଙ୍କାର ବ୍ୟାଗ ରଖିଥିଲେ । ମାଲିକ ମହମ୍ମଦ ଜିସାନ ଦୋକାନର ସଟର ଖୋଲିବାକୁ ଯାଇଥିବା ବେଳେ ୨ ଜଣ ଦୁର୍ବୃତ୍ତ ଆସି ଡ଼ିକିର ଚେନ ଖୋଲିଥିଲେ । ଏହାପରେ ଡିକିରୁ ଟଙ୍କା ବେଗ ବାହାର କରି ଫେରାର ହେବାକୁ ଉଦ୍ୟମ କରିବା ବେଳେ ଦୋକାନର ମାଲିକ ଛଡ଼ାଇବାକୁ ଉଦ୍ୟମ କରିଥିଲେ । କିନ୍ତୁ ଦୁଇ ଲୁଟେରା ମହମ୍ମଦ ଜିସାନଙ୍କୁ ଧକ୍କା ମାରି ଟଙ୍କା ବେଗ ଧରି ଫେରାର ହୋଇଯାଇଥିଲେ ।
ଏହା ମଧ୍ୟ ପଢନ୍ତୁ: ସୁବର୍ଣ୍ଣପୁରରେ ମାତିଛନ୍ତି ଲୁଟେରା, ବାଇକ ଡିକି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟ
ଏନେଇ ମହମ୍ମଦ ଜିସାନ ଟାଉନ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏହାର ତଦନ୍ତ ଜାରି ରଖିଛି । ସେପଟେ ଏହି ଘଟଣାରେ ପୋଲିସ ସନ୍ଦେହରେ ଜଣେ ଯୁବକଙ୍କୁ ଅଟକ ରଖି ପଚରା ଉଚରା କରୁଛି । ଏହି ଘଟଣା ନେଇ ସହରର ବିଭିନ୍ନ ଆଞ୍ଚଳରେ ପୋଲିସ ସିସିଟିଭି ଯାଞ୍ଚ କରୁଥିବା ଟାଉନ ଥାନା ଅଧିକାରୀ ସୂଚନା ଦେଇଛନ୍ତି ।
କିଛିଦିନ ତଳେ ଢେଙ୍କାନାଳ ଜିଲ୍ଲାରେ ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ଜଣେ ବ୍ୟବସାୟୀଙ୍କ ଘରୁ ବଡ ଧରଣର ଲୁଟ୍ ହୋଇଥିଲା । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପରଜଙ୍ଗର ଜଣେ ବ୍ୟବସାୟୀଙ୍କ ଘରେ ପଶି ୬ ଜଣ ଦୁର୍ବୃତ୍ତ ବନ୍ଧୁକ ମୁନରେ ୭ ଲକ୍ଷ ନଗଦ ଟଙ୍କା ସହ ୧୫ ଲକ୍ଷ ଟଙ୍କାର ସୁନା ଗହଣା ଲୁଟି ନେଇଥିଲେ ।
ଏ ସମ୍ପର୍କରେ ପରିବାର ଲୋକ ପରଜଙ୍ଗ ଥାନାରେ ଅଭିଯୋଗ କରିଥିଲେ । ଘଟଣାସ୍ଥଳରେ ପରଜଙ୍ଗ ପୋଲିସ ଟିମ ଓ ଡଗ୍ ସ୍କ୍ବାର୍ଡ ଜରିଆରେ ତଦନ୍ତ ଆରମ୍ଭ କରିଥିଲା । ତେବେ ବ୍ୟବସାୟୀ ବିନୟ କୁମାର ସାହୁ ଘରେ ନଥିବା ବେଳେ ଏହି ଚୋରି ହୋଇଥିଲା । ତାଙ୍କ ଅନୁପସ୍ଥିତି ନେଇ ଖବର ପାଇ ଦୁର୍ବୃତ୍ତ ଯୋଜନା କରୁଥିବା ସନ୍ଦେହ କରାଯାଉଛି । ବିନୟ ନଥିବା ସମୟରେ ଦୁର୍ବୃତ୍ତ ତାଙ୍କ ଯୋଜନା ମୁତାବକ ଲୁଟ କରିଛନ୍ତି ।
ଇଟିଭି ଭାରତ, ସମ୍ବଲପୁର