ସମ୍ବଲପୁର: ଉତ୍କଟ ହେଉଛି ମହାନଦୀ ଜଳ ପ୍ରଦୂଷଣ । ଜହର ପାଲଟିଛି ଓଡିଶାର ଜୀବନ ରେଖା। ପାନୀୟ ଜଳର ଚାହିଦା ମେଣ୍ଟାଉଥିବା ଏହି ମହାନଦୀରେ ଜମୁଛି ବର୍ଜ୍ୟବସ୍ତୁ । ଫଳରେ ପାନୀୟ ଜଳ ସାଙ୍ଗରେ ପ୍ରଭାବିତ ହେଉଛି ଜୀବନ ଜୀବିକା । ଆଉ ବିପଦରେ ଜନ-ଜୀବନ । ମଣିଷ ତ ମଣିଷ ପଶୁପକ୍ଷୀ ପାଇଁ ଉପଯୋଗୀ ନୁହେଁ ମହାନଦୀର ଜଳ ।
ସହରର ସମସ୍ତ ଅଳିଆ-ଆବର୍ଜନା ବଡ ବଡ ନାଳ ଦେଇ ସମ୍ବଲପୁର ସିଧାସଳଖ ମହାନଦୀରେ ମିଶୁଛି । ତା ସାଙ୍ଗକୁ ଛୋଟ ବଡ ନାଳ ଦେଇ ମେଡିକାଲ ୱେଷ୍ଟ ଓ ବିଭିନ୍ନ ପ୍ରକାରର କେମିକାଲ ଯୁକ୍ତ ବର୍ଜ୍ୟବସ୍ତୁ ବି ପ୍ରଦୂଷିତ କରୁଛି ନଦୀ ଜଳକୁ । କେବଳ ସେତିକି ନୁହେଁ, ହୀରାକୁଦ ଜଳ ଭଣ୍ଡାରର ଉପର ମୁଣ୍ଡରେ ବିଭିନ୍ନ ଶିଳ୍ପ ପ୍ରତିଷ୍ଠାନର ପ୍ରଦୂଷିତ ଜଳ ଇବ ନଦୀ ଦେଇ ମହାନଦୀରେ ପ୍ରବେଶ କରୁଥିବାର ଅଭିଯୋଗ ହୋଇଛି । ଅନ୍ୟପଟେ ବାହ୍ୟ ମଳ ତ୍ୟାଗ ଯୋଗୁଁ ମହାନଦୀ ଜଳ ଆହୁରି ପ୍ରଦୂଷିତ ହୋଇ ଚାଲିଛି ।
ସେପଟେ, ପ୍ରତିବର୍ଷ ଏହି ପାନୀୟ ଜଳକୁ ବ୍ୟବହାର କରି ସମ୍ବଲପୁରରେ ସହରରେ ଶହ ଶହ ଲୋକେ ଜଣ୍ଡିସରେ ଆକ୍ରାନ୍ତ ହେଉଛନ୍ତି । ଏପରିକି ପ୍ରଦୂଷଣ ଯୋଗୁଁ ମତ୍ସ୍ୟଜୀବୀଙ୍କ ବେଉସା ବୁଡିବା ଉପରେ । ତଥାପି ମହାନଦୀ ଜଳ ପ୍ରଦୂଷଣକୁ ନେଇ ମୁହଁ ଖୋଲୁନି ଜିଲ୍ଲାପ୍ରଶାସନ । ଯାହାକୁ ନେଇ ପରିବେଶବିତମାନେ ଚିନ୍ତା ପ୍ରକଟ କରିଛନ୍ତି । ଏହି ପ୍ରଦୂଷଣକୁ ରୋକିବାକୁ ମହାନଗର ନିଗମ ସକ୍ରିୟ ହେବା ଉଚିତ । ଏହା ସହ ଡିସେଣ୍ଟ୍ରାଲାଇଡ ୱେଷ୍ଟ ମ୍ୟାନେଜମେଣ୍ଟ ବ୍ୟବସ୍ଥା କରିବାକୁ କହିଛନ୍ତି ପରିବେଶବିତ ରଞ୍ଜନ ପଣ୍ଡା । ଏପଟେ, ମହାନଦୀ ଜଳ ପ୍ରଦୂଷିତ ହେଉଛି ବୋଲି ସମ୍ବଲପୁର ବିଧାୟକ ସ୍ବୀକାର କରିଛନ୍ତି । ଆଉ ଆଗାମୀ ଅଧିବେଶନରେ ରାଜ୍ୟ ସରକାରଙ୍କ ନିକଟରେ ଏନେଇ ଆଲୋଚନା କରିବେ ବୋଲି ସେ କହିଛନ୍ତି । ତେବେ 10ଟି ଜିଲ୍ଲାର 1 କୋଟି ଲୋକଙ୍କ ଜୀବନ ଜୀବିକା, ପାନୀୟ ଜଳ ଯୋଗାଣ ଏବଂ ଚାଷବାସ ନିର୍ଭର କରୁଥିବାବେଳେ ଏହାକୁ ପ୍ରଦୂଷଣ ମୁକ୍ତ କରିବାର ନିହାତି ଆବଶ୍ୟକ ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ