ସମ୍ବଲପୁର: ଜିଲ୍ଲାରେ ଆଉ 2 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦୁଇ ଜଣ ମଧ୍ୟରୁ ଜଣେ 50 ବର୍ଷୀୟ ମଧ୍ୟ ବୟସ୍କ ପୁରୁଷ ହୋଇଥିବା ବେଳେ ଜଣେ 23 ବର୍ଷୀୟ ଯୁବକ ବୋଲି ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। 2 ଜଣ ଯାକ ସରକାରୀ ସଙ୍ଗରୋଧ କେନ୍ଦ୍ରରେ ଥିଲେ।
50 ବର୍ଷ ବୟସ୍କ ବ୍ୟକ୍ତି ଜଣକ କିଛି ଦିନ ତଳେ ତାମିଲନାଡୁର କାଞ୍ଚିପୁରମରୁ ଫେରିଥିବା ବେଳେ 23 ବର୍ଷୀୟ ଯୁବକ ଜଣକ ମଧ୍ୟ ତାମିଲନାଡୁରୁ ଫେରିଥିଲେ । ଉଭୟ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡର ଜମେନକିରା କ୍ବାରେଣ୍ଟାଇନ ସେଣ୍ଟରରେ ରହିଆସୁଥିଲେ। ବର୍ତ୍ତମାନ ରିପୋର୍ଟ ଆସିବା ପରେ ସେମାନଙ୍କୁ କୋଭିଡ ହସ୍ପିଟାଲକୁ ପଠାଯାଇଛି। 2 ଜଣଙ୍କ ପାଖରେ କୋରୋନାର କୌଣସି ଲକ୍ଷଣ ନଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।
ତେବେ ସେମାନଙ୍କ ଟ୍ରାଭେଲ ହିଷ୍ଟ୍ରି ଓ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି ବୋଲି ସମ୍ବଲପୁର ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି। ଏହା ସହ ସମ୍ବଲପୁର ଜିଲ୍ଲାରେ ଆଜି ପର୍ଯ୍ୟନ୍ତ ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତ ସରକାରୀ ସଙ୍ଗରୋଧ କେନ୍ଦ୍ରର ହୋଇଥିବାରୁ ସହରବାସୀଙ୍କୁ ଆତଙ୍କିତ ହେବାର କୌଣସି କାରଣ ନାହିଁ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ତେବେ ସରକାରୀ ନୀତି ନିୟମକୁ ଭଲ ଭାବେ ଅବଲମ୍ବନ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ସମ୍ବଲପୁର ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା 16 ଜଣ ସୁସ୍ଥ ହୋଇ ଫେରିଛନ୍ତି।
ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା,ଇଟିଭି ଭାରତ