ଭୁବନେଶ୍ବର: ରାଉରକେଲା ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀଙ୍କ 5ଟି ସଚିବ ଭିକେ ପାଣ୍ଡିଆନ ଓ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର। ଏହି ଅବସରରେ ସେ ରାଉରକେଲା ବିପିୟୁଟି ପରିସରରେ ନିର୍ମାଣ ହେବାକୁ ଥିବା ହକି ଷ୍ଟାଡିୟମର ସ୍ଥାନ ପରିଦର୍ଶନ କରିଛନ୍ତି। 2022 ସୁଦ୍ଧା ଏହି ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ସମ୍ପୁଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି।
ଗତବର୍ଷ ଡିସେମ୍ବର ମାସରେ ରାଉରକେଲାରେ ଏକ ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ନିର୍ମାଣ କରିବାକୁ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଷ୍ଟାଡିୟମ 2023ରେ ହେବାକୁ ଥିବା ପୁରୁଷ ବିଶ୍ବକପ ହକିର ଏକ ଭେନ୍ୟୁ ହେବ ବୋଲି ମଧ୍ୟ ଘୋଷଣା ହୋଇଥିଲା। ନିର୍ମାଣ ହେବାକୁ ଥିବା ଏହି ଷ୍ଟାଡିୟମରେ 20 ହଜାର ଦର୍ଶକ ବସି ପାରିବେ।
ରାଉରକେଲାରେ ନିର୍ମାଣ ହେବାକୁ ଥିବା ଏହି ଅନ୍ତର୍ଜାତୀୟ ଷ୍ଟାଡିୟମକୁ ନେଇ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ 5ଟି ସଚିବ ଭିକେ ପାଣ୍ଡିଆନ କ୍ରୀଡ଼ା ବିଭାଗର ସ୍ବତନ୍ତ୍ର ସଚିବ ଆର ଭିନିଲ କ୍ରୀଷ୍ଣାଙ୍କ ସହ ଆଲୋଚନା କରିଛନ୍ତି। ଏହି ଷ୍ଟାଡିୟମର ମୁଖ୍ୟ ପିଚ ସହ ଫ୍ଲଡ ଲାଇଟ, ଅଭ୍ୟାସ ପିଚ୍, ମିଡିଆ କ୍ଷେତ୍ର ଓ ବେତାର କେନ୍ଦ୍ରର ଅତ୍ୟାଧୁନିକ ବ୍ୟବସ୍ଥା ରହିବ। ଖେଳାଳୀ ଓ ଦର୍ଶକଙ୍କୁ ଯେପରି ବିଶ୍ବ ସ୍ତରୀୟ ଅନୁଭୁତି ପ୍ରଦାନ କରାଯାଇ ପାରିବ ତାହାକୁ ନେଇ ଡିଜାଇନ ପ୍ରସ୍ତୁତ କରାଯାଉଛି।
5ଟି ସଚିବ ଓ ମୁଖ୍ୟ ଶାସନ ସଚିବଙ୍କ ଗସ୍ତ ପରେ ଖୁବଶୀଘ୍ର ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଏହି ପ୍ରକଳ୍ପ ସମ୍ପର୍କରେ ବିସ୍ତୃତ ସୂଚନା ଉପସ୍ଥାପନ କରାଯିବ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ