ରାଉରକେଲା: ନକଲି ମହିଳା ଆଇପିଏସ ଅଫିସରଙ୍କୁ ବାନ୍ଧିଲା ଅସଲି ପୋଲିସ । ନିଜକୁ ଆଇପିଏସ ଅଫିସରର ପରିଚୟ ଦେଇ ଜଣେ ବାଇକ ଡିଲରଙ୍କ ଠାରୁ ବୁଲେଟ ନେବା ଏବଂ ପରେ ଅନ୍ୟ ସୁବିଧା ଦାବି କରିବା ଅଭିଯୋଗରେ ଜଣେ ମହିଳାଙ୍କୁ ରାଉରକେଲା ଉଦିତନଗର ପୋଲିସ ଗିରଫ କରିଛି ।
ମହିଳାଙ୍କ ନାମ ଶର୍ମିଷ୍ଠା ବେହେରା ବୋଲି ଜଣାପଡିଛି । ଗତ 11 ତାରିଖରେ ସେ ବାସନ୍ତୀ କଲୋନୀ ନିକଟରେ ଥିବା ଏକ ବାଇକ କମ୍ପାନୀରୁ ନକଲି ଆଇପିଏସ ପରିଚୟ ପତ୍ର ଦେଇ ଏହି ବାଇକ ନେଇଥିଲେ । ପୂର୍ବରୁ ମଧ୍ୟ ଏହି ମହିଳା ଜଣଙ୍କ ଭୁବନେଶ୍ବରରେ ନିଜକୁ ଆଇପିଏସ ଅଫିସରର ପରିଚୟ ଦେଇ କମିଶନରେଟ ପୋଲିସର ବିଭିନ୍ନ ଥାନାରୁ ସୁବିଧା ହାସଲ କରିବାକୁ ଉଦ୍ୟମ କରି ଧରା ପଡ଼ିଥିଲେ ।
ତାଙ୍କ ପାଖରୁ ସେତେବେଳେ ନକଲି ପୋଲିସ ପୋଷାକ ଓ ପରିଚୟ ପତ୍ର ଜବତ ହୋଇଥିଲା । କମିଶନରେଟ ପୋଲିସ ନୋଟିସ ଦେଇ ତାଙ୍କୁ ଛାଡିଦେଇ ଥିଲା । ଏବେ ଅନୁରୁପ ଭାବେ ପୁନର୍ବାର ଠକାମି ଉଦ୍ୟମ କରି ମହିଳାଜଣଙ୍କ ରାଉରକେଲା ଉଦିତନଗର ପୋଲିସ ହାତରେ ଧରାପଡିଛନ୍ତି । ପରେ ମହିଳାଙ୍କ ଅନ୍ୟ ଠକାମି କାରନାମା ନେଇ ଅଧିକ ତଦନ୍ତ ଆରମ୍ଭ ହୋଇଛି
ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ