ରାଉରକେଲା: ଜୀବନଜୀବିକା ପାଇଁ ଭରା ନଈ ପାର୍ । ବିପଦ ସଙ୍କୁଳ ଅବସ୍ଥାରେ କୋଏଲ ନଦୀ ପାର କରୁଛନ୍ତି ଶହ ଶହ ଲୋକେ । କାରଣ ନଦୀ ପାର ନ କଲେ ପିଲାଛୁଆ ଉପାସ ରହିବେ । ସେଥିପାଇଁ ତ ବିପଦପୂର୍ଣ୍ଣ ନଦୀ ଏମାନଙ୍କ ଯାତାୟତକୁ ରୋକି ପାରୁନି । ବାଉଁଶପୋଲ ଭାସି ଯିବା ପରେ ଏହେଉଛି କୋଏଲ ନଦୀ ମିଟକୁନ୍ଦରୀ ଘାଟର ଦୃଶ୍ୟ । ଆଖିରେ ନ ଦେଖିଲେ ବିଶ୍ବାସ ହେବନି । ଲୋକେ କେମିତି ଜୀବନକୁ ବାଜି ଲଗାଇ କରୁଛନ୍ତି ନଦୀ ପାର ।
ଲଗାଣ ବର୍ଷାରେ ମିଟକୁନ୍ଦରୀ ଘାଟ ନିକଟରେ ଥିବା ଦୁଇଟି ବାଉଁଶପୋଲ ଭାସିଗଲା । ଡଙ୍ଗା ବ୍ୟବସ୍ଥା ପ୍ରଶାସନ ପକ୍ଷରୁ ହୋଇପାରିଲା ନାହିଁ । ଫଳରେ ଏହି ବାଉଁଶ ପୋଲ ଉପରେ ନିର୍ଭର କରୁଥିବା ଶହଶହ ଲୋକେ ଏବେ ଅସହାୟ । ବାଧ୍ୟ ହୋଇ ସେମାନେ ବିପଦ ସଙ୍କୁଳ ଅବସ୍ଥା ନଦୀ ପାର କରନ୍ତି । ତେବେ ଏହି ପୋଲଟି ରାଉରକେଲାରୁ ନୂଆଗାଁ ଏବଂ କୁଆରମୁଣ୍ଡା ବ୍ଲକର କେତେକ ଗ୍ରାମକୁ ସଂଯୋଗ କରୁଥିଲା । ଏହି ପୋଲ ଦେଇ ପ୍ରତ୍ୟେକ ଦିନ ବହୁ ବେପାରୀ ଯାତାୟତ କରି ଦୁଇ ପଇସା ରୋଜଗାର କରନ୍ତି ।
ତେବେ ଦୀର୍ଘ 10 ବର୍ଷ ହେଲା ରାଜ୍ୟ ସରକାର କୋଏଲ ନଦୀ ଉପରେ ବ୍ୟାରେଜ ନିର୍ମାଣର କେବଳ ସ୍ବପ୍ନ ଦେଖାଇ ଚାଲିଛନ୍ତି । ନା ବ୍ୟାରେଜ ନିର୍ମାଣ ହେଉଛି, ନା ପୋଲ ନିର୍ମାଣ ହେଉଛି । ଫଳରେ ଦୁଇ ବ୍ଲକର ନାନା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ପ୍ରଶାସନକୁ ଏନେଇ ଅଭିଯୋଗ କଲେ ମଧ୍ୟ କିଛି ସୁଫଳ ମିଳୁ ନଥିବା ଅଭିଯୋଗ ହୋଇଛି । କେବେ ପ୍ରଶାସନ ଏମାନଙ୍କ ଦୁଃଖ ଶୁଣିବ ତାହାକୁ ଅପେକ୍ଷା ।
ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ