ପୁରୀ: ଆସନ୍ତାକାଲିଠୁ ପୁରୀରୁ ବସ ଚଳାଚଳ ବନ୍ଦ ରହିବ। ପୁରୀର ଶ୍ରୀ ନୀଳଗିରି ମୋଟର କର୍ମଚାରୀ ସଂଘ ଆହ୍ବାନ କ୍ରମେ ଵସ କର୍ମଚାରୀ ବସ ଚଳାଇବେ ନାହିଁ। ଅଭିଯୁକ୍ତଙ୍କୁ ପୋଲିସ ଗିରଫ ନକରିବା ପ୍ରତିବାଦରେ ଏହି ଧର୍ମଘଟ ଡାକରା ଦେଇଛି ଶ୍ରୀ ନୀଳଗିରି ମୋଟର କର୍ମଚାରୀ ସଂଘ।
ଆଜି ପୁରୀରେ ଏକ ସାମ୍ବାଦିକ ସମ୍ମିଳନୀ ଏନେଇ ଜଣାଇ ଦିଆଯାଇଛି । ସଂଘର ଅଭିଯୋଗ ଅନୁଯାୟୀ ଗତ ଜାନୁଆରୀ 30 ତାରିଖରେ ପୁରୀ-କୋଣାର୍କ ରାସ୍ତାର ଚନ୍ଦ୍ରଭାଗା ନିକଟରେ ଏକ ବସ ଦୁର୍ଘଟଣା ହୋଇଥିଲା। ଯାତ୍ରୀବାହୀ ବସ ଷୋଳ ପୁଅ ମା ଓ ଏକ ଟୁରିଷ୍ଟ ବସ ମଧ୍ୟରେ ଦୁର୍ଘଟଣା ଘଟିଥିଲା।
ଉକ୍ତ ଟୁରିଷ୍ଟ ବସର କିଛି ବ୍ୟକ୍ତି ସଙ୍ଘବଦ୍ଧ ହୋଇ ଯାତ୍ରୀବାହୀ ବସ ଡ୍ରାଇଭର ଅର୍ଜୁନ ମହାକୁଡ଼ଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଫଳରେ ସେ ଗୁରୁତର ହୋଇ ମେଡ଼ିକାଲ ଯିବା ରାସ୍ତାରେ ପ୍ରାଣ ହରାଇଥିଲେ। ହେଲେ ଅଭିଯୁକ୍ତଙ୍କୁ କୋଣାର୍କ ପୋଲିସ ଗିରଫ କରିବା ପରିବର୍ତ୍ତେ କେଵଳ ପଚରାଉଚରା କରି ଛାଡି ଦେଇଥିଲା। ଯାହାକି ଏକ ଦୁର୍ଭାଗ୍ୟଜନକ ବିଷୟ ।
ପୋଲିସର ଅବହେଳା ବିରୋଧରେ ବାରମ୍ବାର ଏସପିଙ୍କୁ ସଙ୍ଘ ପକ୍ଷରୁ ଅବଗତ କରାଯାଇ ଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ। ଏହାର ପ୍ରତିବାଦରେ ମଙ୍ଗଳବାର ଠାରୁ କୌଣସି ବସର କର୍ମଚାରୀ ଯୋଗ ନଦେବାକୁ ସଙ୍ଘ ନିଷ୍ପତ୍ତି ନେଇଛି। ଏହା ଦ୍ବାରା ଯାତ୍ରୀ ଅସୁବିଧା ସମ୍ମୁଖିନ ହେଲେ ପ୍ରଶାସନ ଦାୟୀ ରହିବ ବୋଲି ସଂଘ ପକ୍ଷରୁ କୁହାଯାଇଛି। ତୁରନ୍ତ ଅଭିଯୁକ୍ତକୁ ଗିରଫ ସହ ମୃତ ଡ୍ରାଇଭରଙ୍କ ପରିବାରକୁ 20 ଲକ୍ଷ ଟଙ୍କା କ୍ଷତିପୂରଣ ରାଶି ପ୍ରଦାନ କରିବାକୁ ପୁରୀରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଦାବି କରିଛି ସଂଘ ।
ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ