ପୁରୀ: ବାତ୍ୟା ‘ଫନି’ ପ୍ରଭାବରେ ଶ୍ରୀମନ୍ଦିର ନୀଳଚକ୍ର ବଙ୍କା ହୋଇଥିବା ଚର୍ଚ୍ଚାର ହେଲା ଅବସାନ । ନୀଳଚକ୍ରର ହୋଇନାହିଁ କୌଣସି କ୍ଷତି । ଆଜି(ମଙ୍ଗଳବାର) ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ ଏପରି ସୂଚନା ଦେଇଛନ୍ତି ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ।
ଏଏସଆଇ ପକ୍ଷରୁ ଡ୍ରୋନ କ୍ୟାମେରା ସାହାଯ୍ୟରେ ହୋଇଥିବା ଭିଡିଓ ଗ୍ରାଫି ଦେଖିବା ପରେ ସେ ଏପରି କହିଛନ୍ତି । ଏହା ସହ ସିଂହଦ୍ବାର ନିକଟରେ ଥିବା ଜୟ-ବିଜୟ ମୂର୍ତ୍ତି 16 ତାରିଖରେ କଢାଯାଇ ନୂଆ ଭାବେ ଲାଗିବ ବୋଲି ମଧ୍ୟ ସେ ଦର୍ଶାଇଛନ୍ତି ।
ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଆଜି (ମଙ୍ଗଳବାର) ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ସ୍ନାନ ପୂର୍ଣ୍ଣିମା ଠାରୁ ରଥଯାତ୍ରା, ବାହୁଡା ଯାତ୍ରା, ନିଳାଦ୍ରୀ ବିଜେ ଯାଏଁ ନୀତି ନିର୍ଘଣ୍ଟରେ ମୋହର ମରାଯାଇଛି । ଏହା ସହ ସେବାୟତମାନେ ଶୃଙ୍ଖଳାର ସହିତ ସମସ୍ତ ରୀତିନୀତି କରିବାକୁ ନିଷ୍ପତ୍ତି ହୋଇଛି ।
ଏଥିସହ ସମସ୍ତ ଟିଭି ଚ୍ୟାନେଲକୁ ପୂର୍ବବର୍ଷ ପରି ପ୍ରସାରଣ ଅଧିକାର ଦିଆଯିବ ବୋଲି ନିଷ୍ପତ୍ତି ହୋଇଛି । ତେବେ ଗୁଣ୍ଡିଚା ଦିନ ଚକଡା ଅଞ୍ଚଳରେ କୌଣସି ଗଣମାଧ୍ୟମ ରହିବେ ନାହିଁ ବୋଲି କୁହାଯାଇଛି । ପହଣ୍ଡିରେ ବିଳମ୍ବ ହେଉଥିବାରୁ ଏପରି ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି ।
ସେହିପରି ସିଧା ପ୍ରସାରଣ କରୁଥିବା ଚ୍ୟାନେଲ ଗୁଡିକ ଠାରୁ ରଥଯାତ୍ରା ଧାରା ବିବରଣୀ ଦେଉଥିବା ଭାସ୍ୟକାରଙ୍କ ଏକ ତାଲିକା ମଗାଯାଇ ଅନୁଧ୍ୟାନ କରାଯିବ। କାରଣ ଅନେକ ଚ୍ୟାନେଲ ରଥଯାତ୍ରା ବିଷୟରେ ଜ୍ଞାନ ନ ଥିବା ବ୍ୟକ୍ତି ମାନେ ଘୋଷକ ରହୁଛନ୍ତି । ଏହା ଦ୍ୱାରା ଭୁଲ ତଥ୍ୟ ପରିବେଷିତ ହେଉଛି । ଏହାକୁ କଡାକଡି କରାଯିବ। ତେବେ ନିଳାଦ୍ରୀ ବିଜେ ପରଦିନ ଗ୍ରହଣ ପଡୁଥିବାରୁ ନୀଳାଦ୍ରି ବିଜେ ଦିନ ଅପରାହ୍ନ 4 ଟାରେ ଠାକୁରଙ୍କ ପହଣ୍ଡି ବିଜେ ନୀତି ସହ ମଧ୍ୟ ରାତ୍ରିରେ ପହୁଡ କରାଯିବ । ପରଦିନ ଗ୍ରହଣ ପୂର୍ବରୁ ଶୀଘ୍ର ମଧ୍ୟାହ୍ନ ଧୂପନୀତି ଅନୁଷ୍ଠିତ ହେବ ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ