ମହାପ୍ରଭୁ ଜଗନ୍ନାଥ। 4 କୋଟି ଓଡିଆଙ୍କ ଭାବାବେଗ ସହ ଜଡିତ ଏହି ଚାରି ଅକ୍ଷର ବିଶିଷ୍ଟ ନାମ। ବଡ ତାର ନେତ, ବଡ ତାର ଦାଣ୍ଡ, ବଡା ତା ଦେଉଳ, ଆଉ ବାଇଶି ପାହାଚରେ ବଡ ହୃଦରେ ଭକ୍ତ ଢାଳି ଦେଇଆସେ ତାର ସବୁ ଅନ୍ତରର ଦୁଃଖ। ସେଥି ପାଇଁ ତ ସେ ବଡ ଠାକୁର। ଜଗା କଥା ଭାବିଲେ ଆଖିଲେ ଲୁହ ଜକେଇ ଆସେ ଆଉ ଡୋରି ନଲାଗିଲେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ଦର୍ଶନ ଅଧୁରା ରହିଯାଏ।
ଭାବ ବିନୋଦିଆ କାଳିଆ ଠାକୁର ଯାହା ସହ ଥରେ ଭାବ ଲଗେଇ ଦିଏ ଜନ୍ମ ଜନ୍ନ ପର୍ଯ୍ୟନ୍ତ ସେ ସମ୍ପର୍କର ଡୋରି ରହିଥାଏ। ଶ୍ରୀ ମନ୍ଦିରରୁ ଗୁଣ୍ଡିଚା ଯାତ୍ରା ଓ ମାଉସୀ ମା ଘରୁ ବଡ ଦେଉଳରୁ ଯାତ୍ରା ଲକ୍ଷ ଲକ୍ଷ ଜଗନ୍ନାଥ ପ୍ରେମୀ ବର୍ଷେ ଧରି ଅପେକ୍ଷା କରି ବସିଥାନ୍ତି। କେବେ ହେବ ରଥଯାତ୍ରା କେବେ ବଡ ଦେଉଳରୁ ବାହାରକୁ ବାହାରିବ କପଟିଆ କଳା ଠାକୁର। ଆଉ କେବେ ଆସିବ ଭକ୍ତ ଏବଂ ଭଗବାନଙ୍କ ଏକାକାରର ସେ ଅମୃତ ମୁହୁର୍ତ୍ତ।
ଟାହିଆ ହଲାଇ ଝୁଲି ଝୁଲି ଆସୁଥିବା କାଳିଆର ଦିବ୍ୟ ଦର୍ଶନ ପାଇଁ ପୁରୀରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୁଏ। ହେଲେ ଜଗାର ସେ ଦୁର୍ଲଭ ଦର୍ଶନ ଏଥର ମିଳିବନି। ଚଳିତ ବର୍ଷ ଗଡିବନି ରଥ, ବାଜିବନି ଘଣ୍ଟ ଘଣ୍ଟା ଓ ଜଗନ୍ନାଥ ଧାମରେ ସୃଷ୍ଟି ହେବନି ସେ ଭକ୍ତିଭରା ପରିବେଶ। ମହାମାରୀର ମହାପ୍ରଭାବ ପାଇଁ ବନ୍ଦ ରହିବ ମହାପ୍ରଭୁଙ୍କ ଘୋଷ ଯାତ୍ରା। ଯାହାକୁ ଭଗବାନଙ୍କ ଭକ୍ତଙ୍କୁ ଗଭୀର ଆଘାତ ଓ ଦୁଃଖ ପହଁଞ୍ଚାଇଛି। ତେବେ ଦୀର୍ଘ 500 ବର୍ଷର ଇତିହାସର ପୁନରାବୃତ୍ତି ହୋଇଛି ବିଂଶ ଶତାଦ୍ଦୀରେ। ମହାମାରୀ ସଂକ୍ରମଣରେ ଜନତାଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଜୁନ୍ 23ରେ ହେବାକୁ ଥିବା ରଥ ଯାତ୍ରାକୁ ସୁପ୍ରିମକୋର୍ଟ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ 452 ବର୍ଷର ଇତିହାସରେ କେତେ ଥର ରଥଯାତ୍ରା ବନ୍ଦ ରହିଛି ଆସନ୍ତୁ ସେ ଅଜଣା ଇତିହାସର ପୃଷ୍ଟା ଲେଉଟାଇବା...
- ବଙ୍ଗଦେଶ ସୁଲତାନ ସୁଲେମାନୀଙ୍କ ସେନାପତି କଳାପାହାଡ ତାର ମୁସଲମାନ ସୈନ୍ୟମାନଙ୍କ ସହ ବିଭିନ୍ନ ହିନ୍ଦୁ ଦେବା ଦେବୀଙ୍କ ମନ୍ଦିର ଉପରେ ଆକ୍ରମଣ କରୁଥିଲା। ଯାହାକୁ ନେଇ ରଥଯାତ୍ରା 1568 ରୁ 1577 ନଅ ବର୍ଷ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇପାରି ନଥିଲା। ଏହାସହ କଳାପାହାଡ ଭୟରେ ଚିଲିକା ନିକଟରେ ଶ୍ରୀଜିଉଙ୍କୁ ପାତାଳୀ କରାଯାଇଥିଲା।
- ସେହିପରି 1601 ମସିହାରେ ବଙ୍ଗଳା ନବାବଙ୍କ ସେନାପତି ମିର୍ଜା ଖୁରୁମ୍ ଶ୍ରୀମନ୍ଦିର ଉପରେ ଆକ୍ରମଣ କରିଥିଲେ। ଯେଉଁଥି ପାଇଁ ପଣ୍ଡା ଓ ପୁରୋହିତମାନେ ପୁରୀଠାରୁ ପ୍ରାୟ 13-14 କିଲୋମିଟର ଦୂରରେ ଥିବା କପିଳେଶ୍ୱରର ପଞ୍ଚମୁଖୀ ଗୋସାଇଁ ମନ୍ଦିରକୁ ସ୍ଥାନାନ୍ତର କରି ମୂର୍ତ୍ତିଗୁଡ଼ିକୁ ଅବସ୍ଥାନ କରିଥିଲେ। ମୂର୍ତ୍ତିଗୁଡ଼ିକର ସ୍ଥାନାନ୍ତର ହେତୁ ରଥଯାତ୍ରା ସେ ବର୍ଷ ଅନୁଷ୍ଠିତ ହୋଇପାରିଲା ନାହିଁ ।
- 1607 ମସିହାରେ ଓଡିଶାର ମୋଗଲ ସୁବେଦାର ହାସୀମ ଖାନ ମନ୍ଦିର ଉପରେ ଆକ୍ରମଣ କରିଥିଲେ। ଏଥିପାଇଁ ମୂର୍ତ୍ତିଗୁଡ଼ିକୁ ଲୁଚାଇ ଖୋର୍ଦ୍ଧାର ଗୋପାଳ ଜିଉଙ୍କ ମନ୍ଦିରରେ ରଖାଯାଇଥିଲା।
- ୧୬୦୮ ଖ୍ରୀଷ୍ଟାବ୍ଦ ବାହୁଡ଼ା ବିଜେରେ ରତ୍ନ ସିଂହାସନରେ ଅଧିଷ୍ଠିତ ହୋଇଥିଲେ ଶ୍ରୀଜିଉ ।
- 1611 ମସିହାରେ କଲ୍ୟାଣ ମଲ୍ଲ ମନ୍ଦିର ଉପରେ ଆକ୍ରମଣ କରିଥିଲେ। ଯାହାଫଳରେ ରଥଯାତ୍ରାକୁ ବନ୍ଦ ରଖାଯାଇଥିଲା। ଏହାସହ ଠାକୁରଙ୍କୁ ଜଳପଥରେ ଚିଲିକାର ଚକାନାସି ସ୍ଥାନାନ୍ତର କରାଯାଇଥିଲା।
- ୧୬୧୭ ଖ୍ରୀଷ୍ଟାବ୍ଦରେ କଲ୍ୟାଣ ମଲ୍ଲ ୨ୟ ଥର ଶ୍ରୀମନ୍ଦିର ଉପରେ ଆକ୍ରମଣ କରିଥିଲା । ଫଳରେ ୧୬୧୭ ଖ୍ରୀଷ୍ଟାବ୍ଦରେ ମଧ୍ୟ ରଥଯାତ୍ରା ହୋଇପାରିନଥିଲା । ଆକ୍ରମଣ ପୂର୍ବରୁ ପୁରୋହିତମାନେ ମୂର୍ତ୍ତିଗୁଡ଼ିକୁ ଚିଲିକା ହ୍ରଦର ଗୁରୁବାଇଗଡକୁ ସ୍ଥାନାନ୍ତର କରିଥିଲେ।
- 1621 ମସିହାରେ ମୁସଲିମ ସୁବେଦାର ଅହମ୍ମଦ ବେଗ ଶ୍ରୀ ମନ୍ଦିର ଉପରେ ଆକ୍ରମଣ କରିଥିଲା। ଯାହାକୁ ନେଇ ପ୍ରଭୁଙ୍କ ମୂର୍ତ୍ତିକୁ ବାଣପୁରର ଆନ୍ଧ୍ରଗଡକୁ ସ୍ଥାନାନ୍ତର କରାଯାଇଥିଲା। ସେତେବେଳେ ଶ୍ରୀଜିଉଙ୍କୁ ଅନ୍ଧାରୀ ଘରକୁ ସ୍ଥାନାନ୍ତର କରାଯାଇଥିଲା । ମୂର୍ତ୍ତିଗୁଡ଼ିକର ସ୍ଥାନାନ୍ତର ହେତୁ ରଥଯାତ୍ରା 1621 ଏବଂ 1622 ରେ ଦୁଇ ବର୍ଷ ଧରି ଅନୁଷ୍ଠିତ ହୋଇପାରିଲା ନାହିଁ ।
- ୧୬୯୨ ଖ୍ରୀଷ୍ଟାବ୍ଦରେ ସୁବେଦାର ଏକ୍ରାମ ଖାଁ ଶ୍ରୀମନ୍ଦିର ଉପରେ ଆକ୍ରମଣ କରିଥିଲା । ଏହି ଆକ୍ରମଣ ପୂର୍ବରୁ ମୂର୍ତ୍ତିଗୁଡ଼ିକୁ ଖୋର୍ଦ୍ଧା ସ୍ଥିତ ବିମଳା ମନ୍ଦିର ପଛକୁ ସ୍ଥାନାନ୍ତର କରାଯାଇଥିଲା। ଫଳରେ ୧୬୯୨ରୁ ୧୭୦୭ ଯାଏଁ ୧୫ ବର୍ଷ ଧରି ଶ୍ରୀଜିଉ ଶ୍ରୀମନ୍ଦିର ବାହାରେ ଅବସ୍ଥାନ କରିଥିଲେ । ୧୫ ବର୍ଷରୁ ୧୩ ବର୍ଷ ରଥଯାତ୍ରା ଅନୁଷ୍ଠିତ ହୋଇପାରିନଥିଲା ।
- 1731 ଖ୍ରୀଷ୍ଟାବ୍ଦରେ ମହମ୍ମଦ ତକି ଖାଁ ଶ୍ରୀମନ୍ଦିର ଉପରେ ଆକ୍ରମଣ କରିଥିଲା । ଏହାପରେ ମୂର୍ତ୍ତିଗୁଡିକୁ ଖୋର୍ଦ୍ଧା ଚିଲିକାର କାନକାନସେଖରୀ କୁଦକୁ ନିଆଯାଇଥିଲା। ଫଳରେ ରଥଯାତ୍ରା ବନ୍ଦ ରହିଥିଲା।
- 1733 ମସିହାରେ ତାକି ଖାନ୍ ଦ୍ୱିତୀୟ ଥର ପାଇଁ ଜଗନ୍ନାଥ ମନ୍ଦିର ଉପରେ ଆକ୍ରମଣ କରିବା ପରେ ପ୍ରଭୁଙ୍କ ମୂର୍ତ୍ତି ହରିଶ୍ୱର ମଣ୍ଡପକୁ ଏବଂ ପରେ ଗଞ୍ଜାମ ଜିଲ୍ଲାର ପୋଲାସରାର ହାତିବାରୀ ପାହାଡ ନିକଟରେ ଥିବା ମାର୍ଡା ମନ୍ଦିରକୁ ସ୍ଥାନାନ୍ତର କରାଯାଇଥିଲା । ଯେଉଁଠାରେ ସେବାୟତମାନେ ଦୁଇରୁ ଅଧିକ ବର୍ଷ ଧରି ଗୁପ୍ତ ରୀତିନୀତି କରିଥିଲେ। ଫଳସ୍ୱରୂପ, 1733 ରୁ 1735 ପର୍ଯ୍ୟନ୍ତ ତିନି ବର୍ଷ ଧରି ରଥଯାତ୍ରା ଅନୁଷ୍ଠିତ ହୋଇପାରିଲା ନାହିଁ । ଏହିପରି ଭାବେ ୪୫୨ ବର୍ଷର ଇତିହାସରେ ୩୨ ଥର ବନ୍ଦ ହୋଇଛି ମହାପ୍ରଭୁଙ୍କ ଘୋଷଯାତ୍ରା ।