ପୁରୀ/ ଭୁବନେଶ୍ବର : ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ କନ୍ୟାଙ୍କ ବିବାହ ଉତ୍ସବ । ମହାରାଜ ଦିବ୍ୟସିଂହ ଦେବଙ୍କ କନିଷ୍ଠ କନ୍ୟା ରାଜକୁମାରୀ ଦେବେଶୀ ଦେବୀଙ୍କ ଆଜି( ବୁଧବାର) ବିବାହ ଅନୁଷ୍ଠିତ ହେବାକୁ ଯାଉଛି। ଭୁବନେଶ୍ୱରର ଏକ ହୋଟେଲ କୋଭିଡ କଟକଣାରେ ସୀମିତ ସଂଖ୍ୟକ ଅତିଥିଙ୍କୁ ନେଇ ଏହି ବିବାହ ଉତ୍ସଵ ଅନୁଷ୍ଠିତ ହେଉଛି।
ହରିୟାଣା ଗୁରୁଗ୍ରାମର ରାଜୀବ କେହେରଙ୍କ ପୁଅ ତଥା ବର୍ଦ୍ଧମାନ ରାଜକୁମାର ଆଦିତ୍ୟ କେହେରଙ୍କ ସହ ଗଜପତି ମହାରାଜଙ୍କ କନ୍ୟାଙ୍କ ବିବାହ ହେଉଥିବା ଜଣାପଡ଼ିଛି। ଏ ଅବସରରେ ବ୍ୟାପକ ଆୟୋଜନ କରାଯାଇଛି। ଦେବେଶୀଙ୍କ ବିବାହ ଉପଲକ୍ଷେ ପୁରୀ ରାଜନଅର, ଅନ୍ୟସ୍ଥାନ ସହ ଭୁବନେଶ୍ବରର ଏକ ହୋଟେଲରେ ବିବାହ ଭୋଜିର ଆୟୋଜନ ମଧ୍ୟ କରାଯାଉଛି ।
ରାଜନଅରରେ ଶ୍ରୀମନ୍ଦିର କାର୍ଯ୍ୟାଳୟର ଅଧିକାରୀ, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ, ବରିଷ୍ଠ ସେବାୟତଙ୍କୁ ଭୋଜନ ପାଇଁ ନିମନ୍ତ୍ରଣ କରାଯାଇଛି। ରାଜନଅରରେ ସମସ୍ତଙ୍କ ପାଇଁ ମହାପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି। ଅନ୍ୟପଟେ ପରିଚିତଙ୍କ ପାଇଁ ଭୁବନେଶ୍ବର ସ୍ଥିତ ଏକ ପ୍ରତିଷ୍ଠିତ ହୋଟେଲରେ ଭୋଜିର ଆୟୋଜନ କରାଯାଇଛି।
ଏହାବି ପଢନ୍ତୁ: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି
ବର୍ଦ୍ଧମାନ ରାଜ ପରିବାର ସହ ବିଭିନ୍ନ ରାଜ୍ୟର ରାଜ ପରିବାର ସଦସ୍ୟମାନେ ମଙ୍ଗଳବାର କୋଭିଡ କଟକଣାରେ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ । ପୁରୀରେ ବରପକ୍ଷଙ୍କ ରହଣୀର ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ବରପକ୍ଷରୁ ଆସିଥିବା ଏହି ରାଜ ପରିବାର କୋଭିଡ ନିୟମ ଅନୁସରଣ ପୂର୍ବକ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ।
ମଙ୍ଗଳବାର ସାଢ଼େ ୫ଟାରେ ସିଂହଦ୍ବାର ଠାରେ ପହଞ୍ଚିବା ପରେ ରାଜ ପରିବାର ସଦସ୍ୟମାନେ କୋଭିଡ ପ୍ରମାଣପତ୍ର ଯାଞ୍ଚ କରାଯାଇଥିଲା । କିଓସ୍କରେ କୋଭିଡ ନେଗେଟିଭ ରିପୋର୍ଟ ଓ ଡବଲ୍ ଡୋଜ୍ ଟିକା ପ୍ରମାଣପତ୍ର ଦେଖାଇଥିଲେ। ପରେ ଭକ୍ତଙ୍କ ପାଇଁ ଥିବା ଧାଡ଼ିରେ ଯାଇ ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ଏହାସହ ପ୍ରାୟ ସାଢ଼େ ୬ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ସହ ପାର୍ଶ୍ବ ଦେବାଦେବୀ ଦର୍ଶନ କରିବା ପରେ ଶ୍ରୀନଅରକୁ ଫେରି ଯାଇଥିଲେ ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର ଓ ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ