ପୁରୀ: ପୁରୀ ଜିଲ୍ଲାରେ ଆସନ୍ତା ୨୩ରୁ ପୋଲିଓ ବୁନ୍ଦା କାର୍ଯ୍ୟକ୍ରମ ଆରମ୍ଭ ହେବ ।ଜାନୁଆରୀ ୨୩ ରୁ ୨୫ ତାରିଖ ପର୍ଯ୍ୟନ୍ତ ଜନ୍ମରୁ ୫ ବର୍ଷ ବୟସ ଶିଶୁ ମାନଙ୍କୁ ପୋଲିଓ ବୁନ୍ଦା ଦିଆଯିବ । ଏଥି ନିମନ୍ତେ ଜିଲ୍ଲା ସ୍ତରୀୟ ପୋଲିଓ ଟାସ୍କଫୋର୍ସ ବୈଠକ ଅତିରିକ୍ତ ଜିଲ୍ଲାପାଳ ସୁଭାଷ ଚନ୍ଦ୍ର ନାଥ ଶର୍ମାଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି । ଏହି ପୋଲିଓ ବୁନ୍ଦା ପ୍ରଦାନ କାର୍ଯ୍ୟକ୍ରମରେ ଜିଲ୍ଲାରେ ଜନ୍ମରୁ ୫ ବର୍ଷ ବୟସର ୧ଲକ୍ଷ ୮୫ ହଜାର ୯୦୧ ଜଣ ଶିଶୁ ସାମିଲ ହେବେ । ଆସନ୍ତା ୨୩ ତାରିଖରେ ବୁଥ ସ୍ତରରେ ଏବଂ ୨୪ ଓ ୨୫ ତାରିଖରେ ଘରକୁ ଘର ବୁଲି ଶିଶୁଙ୍କୁ ପୋଲିଓ ବୁନ୍ଦା ଦିଆଯିବ ।
ଏହି ଅଭିଯାନରେ ୩ ହଜାର ୬୪ ଜଣ ବୁନ୍ଦା ପ୍ରଦାନକାରୀ ଓ ୧୬୨ ଜଣ ସୁପରଭାଇଜରଙ୍କ ସମେତ ୩ ହଜାର ୩୮୬ ଜଣ ବ୍ୟକ୍ତି ଓ ଅଙ୍ଗନୱାଡି କର୍ମୀ ସାମିଲ ରହିବେ । ଏଥିସହ ୨୪ଟି ଭ୍ରାମ୍ୟମାଣ ଟିମ ଗଠନ କରାଯାଇଛି । ସକାଳ ୮ ଘଟିକାରୁ ଅପରାହ୍ନ ୪ ଘଟିକା ପର୍ଯ୍ୟନ୍ତ ବୁନ୍ଦାଦାନ କରାଯିବ । ସହରାଞ୍ଚଳରେ ୫୫ ହଜାର ୧୦୦ ଓ ଗ୍ରାମାଞ୍ଚଳରେ ୧ଲକ୍ଷ ୩୦ ହଜାର ୮୦୧ ଜଣଙ୍କୁ ପୋଲିଓ ବୁନ୍ଦା ଦିଆଯିବ । ଏଥିପାଇଁ ୭୬୬ଟି ବୁଥରେ ବୁନ୍ଦା ପ୍ରଦାନ କରାଯିବ । ଉକ୍ତ ଦିନ ଗୁଡିକରେ ଜିଲ୍ଲା ବାହାରୁ ଆସୁଥିବା ଶିଶୁ ମାନଙ୍କୁ ବୁନ୍ଦା ଦେବା ନିମନ୍ତେ ବସଷ୍ଟାଣ୍ତ, ଷ୍ଟେସନ, ଶ୍ରୀମନ୍ଦିର ଓ ଅନ୍ୟ ଜନଗହଳି ଭଳି ୫୬ଟି ସ୍ଥାନ ଚିହ୍ନଟ କରାଯାଇଛି ।
ଗତବର୍ଷ ପ୍ରାୟ ଏକ ଲକ୍ଷ ୫୭ ହଜାର ଶିଶୁଙ୍କୁ ବୁନ୍ଦା ପ୍ରଦାନ କରାଯାଇଥିଲା ଏବଂ ସେମାନଙ୍କ ମଧ୍ୟରୁ ୮୪ ପ୍ରତିଶତ ଟିକାଦାନ କେନ୍ଦ୍ରକୁ ବୁନ୍ଦା ଗ୍ରହଣ କରିଥିଲେ । ଚଳିତ ବର୍ଷ ବୁଥରେ ଅଧିକ ପ୍ରତିଶତ ପିଲାଙ୍କୁ ସାମିଲ କରାଯିବା ଲକ୍ଷ ରଖାଯାଇଛି । ଚଳିତ ବର୍ଷ ସମସ୍ତ ପ୍ରକାର କୋଭିଡ କଟକଣା କୁ ମାନି ଶିଶୁଙ୍କୁ ଟୀକୀକରଣ କରାଯିବ । ଶିଶୁ ମାନଙ୍କୁ ଟୀକାଦାତାଙ୍କ ବିନା ସ୍ପର୍ଶରେ ପୋଲିଓ ବୁନ୍ଦା ପ୍ରଦାନ କରାଯିବ । ଏଥିନିମନ୍ତେ ଅଭିଭାବକମାନେ ସହଯୋଗ କରିବେ । ପ୍ରତ୍ୟେକ ବୁଥରେ ଏକାଥରରେ ୫ ଜଣଙ୍କୁ ପ୍ରବେଶାନୁମତି ଦିଆଯିବ । ବୁନ୍ଦା ପ୍ରଦାନ ନିମନ୍ତେ କିଛି ସମସ୍ୟା ଥିଲେ ଜିଲ୍ଲା ନିୟନ୍ତ୍ରଣ କକ୍ଷକୁ ଜଣାଇ ପାରିବେ । ଏଥିପାଇଁ ଏକ ହେଲ୍ପଲାଇନ ନମ୍ବର ନଧ୍ୟ ଜାରିକରାଯାଇଛି । ୦୬୭୫୨- ୨୨୨୧୨୪ କୁ କଲ୍ କରି ନିଜର ଅଭିଯୋଗ ଜଣାଇପାରିବେ ।
ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ପ୍ରଣବ ଶଙ୍କର ଦାଶ, ଏଡିଏମଓ ଡଃ ଦେବୀ ପ୍ରସାଦ ମହାପାତ୍ର, ଜିଲ୍ଲାରେ ଟୀକାକରଣ ଅଭିଯାନର ପରାମର୍ଶଦାତା ଡଃ ସୁନୀଲ କୁମାର ଦାଶ, ଡିପିଏମ ଟି. ନାରାୟଣ ରାଓ, ଆଶା ସଂଯୋଜକ ଶ୍ରୀ ଅଶୋକ କୁମାର ସାହୁ, ଶ୍ରୀ ପ୍ରସନ୍ନ କୁମାର ବରାଳ, ଏପିଏମ ଶ୍ରୀ ସନ୍ତୋଷ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ରହିଥିଲେ ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ