ପୁରୀ: ଜିଲ୍ଲାବାସୀଙ୍କ ପାଇଁ ନୂଆ ବର୍ଷରେ ଖୁସି ଖବର। ଚଳିତ ବର୍ଷଠାରୁ ହିଁ ପୁରୀ ମେଡିକାଲ କଲେଜରେ ପାଠପଢ଼ା ଆରମ୍ଭ ହେବ । ଶହେଟି ସିଟରେ ଆଡମିଶନ ପାଇଁ ଅନୁମତି ମିଳିଛି । ଏଣୁ ଚଳିତ ବର୍ଷରୁ ପାଠପଢ଼ା ଆରମ୍ଭ ହେବ ବୋଲି ଡିଏମ୍ଇଟି ସିବିକେ ମହାନ୍ତି କହିଛନ୍ତି ।
ନବ ନିର୍ମିତ ମେଡିକାଲ କଲେଜର ଭିତ୍ତିଭୂମି ଯାଞ୍ଚ କରିବା ପରେ ଡିଏମ୍ଇଟି ଏହି ସୂଚନା ଦେଇଛନ୍ତି । କେବଳ ଏତିକି ନୁହେଁ ବରଂ ଡିଏମ୍ଇଟି ମେଡିକାଲ କଲେଜର ଭିତ୍ତିଭୂମି ବୁଲି ଦେଖିବା ସହ ପୁରୀ ଜିଲ୍ଲା ମୁଖ୍ୟ ହସ୍ପିଟାଲ ମଧ୍ୟ ଯାଞ୍ଚ କରିଛନ୍ତି। ଏହି ଗସ୍ତବେଳେ ମେଡିକାଲ କଲେଜ ଡିନ୍ ଓ ଅଧୀକ୍ଷକ ସାମିଲ ଥିଲେ।
ତେବେ ଡିଏମଇଟି କହିଛନ୍ତି ଯେ, “ସରକାରୀ ନିୟମ ଅନୁସାରେ ପ୍ରଥମେ ଏଲଓପି ନିଆଯାଏ । ଆମେ ଏନେଇ କେନ୍ଦ୍ର ସରକାରଙ୍କୁ ବି ଦରଖାସ୍ତ କରିଛୁ । କେମିତି ଭିତ୍ତିଭୂମି ରହିଛି, କେତେ କର୍ମଚାରୀର ଆବଶ୍ୟକତା ରହିଛି ତାହାକୁ ମଧ୍ୟ ଦେଖାଯିବ। ଏହା ପରେ ହିଁ ସବୁ ନିଷ୍ପତ୍ତି ହୁଏ। ବର୍ତ୍ତମାନ ସମୟରେ କେନ୍ଦ୍ର ସରକାର ୧୦୦ ପିଲାଙ୍କୁ ଆଡମିଶନ କରିବା ପାଇଁ ଅନୁମତି ଦେଇଛନ୍ତି । ତେଣୁ ସେମାନେ ସବୁ ଦେଖିବେ ଓ ଅନୁଧ୍ୟାନ କରିବେ” ବୋଲି ଡିଏମଟି କହିଛନ୍ତି ।
ପୁରୀରେ ୧୦୦ ସିଟ୍ କଲେଜ ଓ ୬୫୦ ଶଯ୍ୟାର ହସ୍ପିଟାଲ ହେବ। ପୁରୀ ମେଡିକାଲ କଲେଜ ପାଇଁ ୨୨୪ କୋଟି ୫୫ ଲକ୍ଷ ଖର୍ଚ୍ଚ ହେବ । ମେଡିକାଲ କଲେଜ ନିର୍ମାଣ କାର୍ଯ୍ୟ ୩ ବର୍ଷ ମଧ୍ୟରେ ସରିବ ବୋଲି ସରକାର ନିଷ୍ପତ୍ତି ନେଇଥିଲେ ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ