ପୁରୀ : ଦିନକୁ ଦିନ ଆକାଶ ଛୁଆଁ ହେବାରେ ଲାଗିଛି ତୈଳ ଓ ରନ୍ଧନ ଗ୍ୟାସ ଦର । ଗତ ମାର୍ଚ୍ଚ ୨୨ ତାରିଖରୁ ଦେଶରେ ଏହି ମହଙ୍ଗା ମାଡ ଜାରି ରହିଛି । ଏନେଇ ପୁରୀରେ ତୈଳ ଓ ରନ୍ଧନ ଗ୍ୟାସ ଦର ବୃଦ୍ଧିକୁ ନେଇ ପୁରୀ ଜିଲ୍ଲା ସିପିଏମ ପକ୍ଷରୁ ହସ୍ପିଟାଲ ଛକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।
ଦେଶରେ କ୍ରମାଗତ ଭାବେ ୧୨ ଦିନ ହେଲା ତେଲ ଓ ରନ୍ଧନ ଗ୍ୟାସ ଦର ବୃଦ୍ଧି ପାଇବାରେ ଲାଗିଛି । ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଦର ବଢିବା ଯୋଗୁଁ ଖାଉଟିଙ୍କ ଅଣ୍ଟା ଭାଙ୍ଗି ଯାଇଛି। ଆଜି ଠାରୁ ୮୦୦ ପ୍ରକାର ଔଷଧ ଉପରେ 10% ଟିକସ ବଢ଼ିବା ସହ ବସ ଭଡା ଓ ଟୋଲ ଟିକସ ମଧ୍ୟ ବୃଦ୍ଧି ପାଇଛି ।
ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଟିକସ ହ୍ରାସ ନକଲେ ଜନସାଧାରଣଙ୍କ ଆକ୍ରୋଶ ଉଗ୍ର ରୂପ ନେବ ବୋଲି CPM ପକ୍ଷରୁ ଚେତାବନୀ ଦିଆଯାଇଛି। CPM ପକ୍ଷରୁ କରାଯାଇଥିବା ଏହି ବିକ୍ଷୋଭ ପ୍ରଦର୍ଶନରେ ଶରତ କୁମାର ରାୟଗୁରୁ, ଜଗନ୍ନାଥ ଦେଓ, ମନୋରଞ୍ଜନ ମହାରଣା, ସୁଶାନ୍ତ ମହାପାତ୍ର, ବିଭୁତି ରାଉତରାୟ, ରବି ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ