କଟକ: ଆଗକୁ ଆସୁଛି ଐତିହାସିକ ବାଲିଯାତ୍ରା । ଏଥିପାଇଁ ଆରମ୍ଭ ହୋଇଯାଇଛି ପ୍ଲଟ ବୁକିଂ ପ୍ରକ୍ରିୟା । ଚଳିତ ବର୍ଷ ପ୍ଲଟର ଦର ବୃଦ୍ଧି ପାଇଛି । ୧ ହଜାର ବର୍ଗଫୁଟ ପ୍ଲଟ ପାଇଁ ୫୦ ହଜାର ଟଙ୍କା ବୃଦ୍ଧି ପାଇଛି । ଏନେଇ ନିଲାମ ପ୍ରକ୍ରିୟା ଆରମ୍ଭ ହେଲା । 2019 ବାଲିଯାତ୍ରା ସମୟରେ ରିଜେଷ୍ଟ୍ରେସନ ଟଙ୍କା ଯେତିକି ରହିଥିଲା ତାହାର ଅନେକ ଗୁଣା ଟଙ୍କା ବୃଦ୍ଧି ହୋଇଥିବାରୁ ଚିନ୍ତାରେ କ୍ଷୁଦ୍ର ବ୍ୟବସାୟୀ ।
ଐତିହାସିକ ବାଲିଯାତ୍ରା ପାଇଁ ଆରମ୍ଭ ହୋଇଯାଇଛି ଜମି ଆବଣ୍ଟନ କାର୍ଯ୍ୟ । ପ୍ରଥମେ ରେଜିଷ୍ଟ୍ରସନ ଓ ପରେ ନିଲାମ ପ୍ରକ୍ରିୟା ପାଇଁ ଗତକାଲି (ଶନିବାର)ଠାରୁ ପ୍ରକ୍ରିୟା ଆରମ୍ଭ ହୋଇଛି । ରେଜିଷ୍ଟ୍ରସନ ପାଇଁ 5 ହଜାର ଟଙ୍କା ରହିଥିଲା ବେଳେ ଜଣେ ବ୍ୟବସାୟୀ ମୋଟ 3ଟି ପ୍ଲଟ କିଣି ପାରିବ ବୋଲି ଚଳିତବର୍ଷ ନିୟମ ରହିଛି । କିନ୍ତୁ ବ୍ୟବସାୟୀଙ୍କ ପାଇଁ ଜିଲ୍ଲା ପ୍ରଶାସନ କରିଥିବା ଏଭଳି ନିୟମକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ବ୍ୟବସାୟୀ । ପ୍ରଥମେ ରେଜିଷ୍ଟ୍ରେସନ ଫିକୁ ଆକାଶ ଛୁଆଁ କରିବା ଅନ୍ୟପଟେ ନିଲାମ ପ୍ରକ୍ରିୟାକୁ ସାମିଲ କରିବା ଯାହା କ୍ଷୁଦ୍ର ବ୍ୟବସାୟୀମାନଙ୍କୁ ନିରାଶ କରିଛି ।
ଅନେକ ଆଶା ନେଇ ରେଜିଷ୍ଟ୍ରସନ କରିବାକୁ ଆସିଥିଲେ ସୁଦ୍ଧା ଷ୍ଟଲ ପକାଇବା ସ୍ୱପ୍ନକୁ ଭାଙ୍ଗି ଅନେକ ମୁହଁ ଫେରାଇଛନ୍ତି । ତେବେ ଚଳିତ ଥର ଜିଲ୍ଲା ପ୍ରଶାସନର ଏଭଳି ନିଷ୍ପତ୍ତିକୁ ନେଇ ସେମାନେ ଅସନ୍ତୋଷ ପ୍ରକାଶ କରିବା ସହ କେମିତି ବ୍ୟବସାୟ କରିବେ ତାକୁ ନେଇ ଏବେ ଚିନ୍ତାରେ। ଏନେଇ ଜଣେ ବ୍ୟବସାୟୀ କହିଛନ୍ତି, " ଯେତିକି ରୋଜଗାର ନୁହେଁ, ତା ଠାରୁ ଅଧିକ ଟଙ୍କାରେ ପ୍ଲଟ ନିଲାମ ହେଉଛି । ଯାହା ଆମ ପାଇଁ ସମ୍ଭପର ନୁହେଁ ।" ଯେଉଁ ନିୟମ ହୋଇଛି ତାହା ସମ୍ପୂର୍ଣ୍ଣ ଅନ୍ୟାୟ ବୋଲି ବ୍ୟବସାୟୀ କହିଛନ୍ତି।
ଏହା ମଧ୍ୟ ପଢ଼ନ୍ତୁ: NGTଙ୍କ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ, କେବଳ ୩୪ ଏକର ଜମିରେ ହେବ ବାଲିଯାତ୍ରା
କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ୫୦ ଟଙ୍କା ବର୍ଗଫୁଟ ଦର ରହିଥିବା ବେଳେ ସେମାନେ ୫ ହଜାର ଟଙ୍କା ଦେଇ ପ୍ରଥମେ ପଞ୍ଜିକରଣ କରିବେ। ଏହା ପରେ ଉକ୍ତ ସ୍ଥାନର ନିଲାମ ହେବ । ଏକ ହଜାର ବର୍ଗଫୁଟ ତଳକୁ ପ୍ଲଟ ନେବା ପାଇଁ ଚାହୁଁଥିବା ବ୍ୟବସାୟୀ ଏଥିରେ ସାମିଲ ହୋଇଛନ୍ତି। ସେପଟେ କଟକ ବାରବାଟୀ ପ୍ୟାଲେସରେ ଆରମ୍ଭ ହୋଇଥିବା ଏହି ନିଲାମ ପ୍ରକ୍ରିୟାକୁ ଜିଲ୍ଲାପାଳ ତଦାରଖ କରିଛନ୍ତି । ବାଲିଯାତ୍ରାରେ ସବୁ ବ୍ୟବସାୟୀଙ୍କୁ ଅଗ୍ରାଧିକାର ଦେବା, ବଡ଼ ଓ କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ସମାନ ନିୟମ କରିବା ସହ ପ୍ଲଟ ବିକ୍ରିରେ ପାରଦର୍ଶିତା ଆଣିବା ପାଇଁ ନିଲାମ ପ୍ରକ୍ରିୟା କରାଯାଇଛି ବୋଲି ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ କହିଛନ୍ତି ।
ଏହାସହ ବାଲିଯାତ୍ରା ପ୍ଲଟ ବିକ୍ରିରେ ମଧ୍ୟସ୍ଥତା ବ୍ୟବସ୍ଥାକୁ ବନ୍ଦ କରିବା ପାଇଁ ଏପରି ନିୟମ କରାଯାଇଛି ବୋଲି କହିଛନ୍ତି । କୌଣସି ବ୍ୟବସାୟୀ ଏଥିରୁ ବଞ୍ଚିତ ହୋଇପାରିବେ ନାହିଁ ବୋଲି ସେ ମତ ରଖିଛନ୍ତି । ବାଲିଯାତ୍ରା ପାଇଁ ଆରମ୍ଭ ହୋଇଥିବା ପ୍ଲଟ ବୁକିଂ ବ୍ୟବସ୍ଥା କେତେ ସଠିକ ସେନେଇ ଏବେ କଳ୍ପନା ଜଳ୍ପନା ଚାଲିଛି । ଏଥିରେ କ୍ଷୁଦ୍ର ବ୍ୟବସାୟୀ ଲାଭବାନ ହେବେ ନା ନାହିଁ ସେନେଇ ପ୍ରଶ୍ନ ଉଠିଛି।
ଇଟିଭି ଭାରତ, କଟକ