କଟକ: ଲଗାଣ ବର୍ଷା ଯୋଗୁଁ ବୃଦ୍ଧି ପାଉଛି ମହାନଦୀ ଓ କାଠଯୋଡିର ଜଳସ୍ତର । ଫଳରେ ମହାନଦୀ ଅବବାହିକାରେ ବନ୍ୟା ସ୍ଥିତି ଦେଖାଦେଇଛି । ତେବେ ସୋମବାର ମଧ୍ୟରାତ୍ରୀ ସୁଦ୍ଧା ମୁଣ୍ଡଳି ବ୍ୟାରେଜ ଦେଇ ୧୧ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବ ।
ସୂଚନାଅନୁସାରେ, ରାତି ୯ ଟା ସୁଦ୍ଧା ଖଇରମାଳ ଦେଇ ୧୨ଲକ୍ଷ ୬ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଥିବା ବେଳେ ବରମୂଳ ଦେଇ ୧୧ ଲକ୍ଷ ୧୬ ହଜାର ୫୦୦ କ୍ୟୁସେକ ଜଳ ପ୍ରବାହିତ ହେଉଛି । ସେହିପରି ମୁଣ୍ଡଳି ଦେଇ ୧୦ ଲକ୍ଷ ୭୩ ହଜାର ୨୯୭ କ୍ୟୁସେକ ଜଳ ପ୍ରବାହିତ ହେଉଥିବା ବେଳେ ନରାଜ ଦେଇ କାଠଯୋଡି ନଦୀରେ ୫ ଲକ୍ଷ ୨୫ ହଜାର ୭୩୨ କ୍ୟୁସେକ ଜଳ ପ୍ରବାହିତ ହେଉଛି । ତେବେ ଆଜି(ସୋମବାର) ମଧ୍ୟରାତ୍ରୀ ସୁଦ୍ଧା ମୁଣ୍ଡଳି ବ୍ୟାରେଜ ଦେଇ ୧୧ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବା ନେଇ ପୂର୍ବାନୁମାନ କରିଛି ଜଳସମ୍ପଦ ବିଭାଗ ।
SRCଙ୍କ ମୁତାବକ, "କଟକର ନିଶ୍ଚିନ୍ତକୋଇଲି, ଆଠଗଡ଼ ଓ ବାଙ୍କୀରେ ପ୍ରଭାବ ପଡ଼ିବ ।ବନ୍ୟାରେ ପ୍ରଭାବିତ ହେବାକୁ ଥିବା ଜିଲ୍ଲାଗୁଡ଼ିକର ଜିଲ୍ଲାପାଳଙ୍କ ସହ SRC କଥା ହୋଇଛନ୍ତି ।ଏହାର ମୁକାବିଲା ଲାଗି ଗତକାଲି ବିଭିନ୍ନ ଜିଲ୍ଲାକୁ NDRF, ODRAF ଓ ଅଗ୍ନିଶମ ବାହିନୀକୁ ନିୟୋଜିତ କରାଯାଇଛି । ଏହା ବାଦ ବିଭିନ୍ନ ଜିଲ୍ଲାକୁ ଆଜି ODRAFର ଓ NDRF ୧୨ଟି ଓ ଅଗ୍ନିଶମ ବିଭାଗର ୨୦ଟି ଟିମ ଅତିରିକ୍ତ ପଠାଯାଇଛି ।"
ଇଟିଭି ଭାରତ, କଟକ