କଟକ: ଶିକ୍ଷା ବିଭାଗରେ ବଡ଼ କେଳେଙ୍କାରୀ । ମାଟ୍ରିକ ପରୀକ୍ଷାରେ 46 ହଜାର ଛାତ୍ରଛାତ୍ରୀଙ୍କ ଅନୁପସ୍ଥିତି ଖୋଲିଲା ଶିକ୍ଷା କେଳେଙ୍କାରୀର ଗୁମର । ଏଭଳି ସଙ୍ଗୀନ ଅଭିଯୋଗ ଆସିଛି ମାଧ୍ୟମିକ ଶିକ୍ଷା ପରିଷଦ ବିରୁଦ୍ଧରେ । ଛାତ୍ରଛାତ୍ରୀଙ୍କ ସଂଖ୍ୟା ଅଧିକ ଦେଖାଇ ସରକାରୀ ସୁବିଧା ହାତେଇବାକୁ କରାଯାଇଛି ଷଡ଼ଯନ୍ତ୍ର । ସ୍କୁଲ ସ୍ବୀକୃତି ବଜାୟ ରଖିବାକୁ ମିଛ ନାଁରେ କରାଯାଇଛି ଫର୍ମ ଫିଲ୍ଅପ୍ ।
ଅନ୍ୟପଟେ ବିଦ୍ୟାଳୟ ସମ୍ମିଶ୍ରଣ ଏବଂ ଗ୍ରାଣ୍ଡ ଇନ ଏଡ଼ ପାଇବା ପାଇଁ ଏଭଳି ଚଞ୍ଚକତା କରାଯାଇଥିବା ଅଭିଯୋଗ କରିଛନ୍ତି ବରିଷ୍ଠ ଶିକ୍ଷାବିତ । ତେବେ କୁଆଡେ ଗଲେ ଏହି 46 ହଜାରରୁ ଊର୍ଦ୍ଧ୍ବ ପରୀକ୍ଷାର୍ଥୀ ? ମାଟ୍ରିକ ପରୀକ୍ଷା ପାଇଁ ନାମ ପଞ୍ଜୀକରଣ କରି ଛାତ୍ରଛାତ୍ରୀ କାହିଁକି ଦେଲେନାହିଁ ପରୀକ୍ଷା ? କେତେ ଛାତ୍ରଛାତ୍ରୀ ବର୍ତ୍ତମାନ ସୁଦ୍ଧା ପରୀକ୍ଷା ଦେଇନାହାନ୍ତି ତା'ର ପ୍ରକୃତ ସଂଖ୍ୟା କାହିଁକି ଲୁଚାଉଛି ବୋର୍ଡ଼ ? ସାଧାରଣରେ ଏପରି ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ପରୀକ୍ଷା ସରିବା ପରେ ପରୀକ୍ଷାରେ ଅନୁପସ୍ଥିତ ପିଲା ସଂଖ୍ୟା ବୋର୍ଡ଼କୁ ଅନଲାଇନରେ ଜଣାଇବାକୁ ବ୍ୟବସ୍ଥା କରିଥିଲା ବୋର୍ଡ଼ । ତେବେ 5 ଟି ପରୀକ୍ଷା ସରିବା ପରେ ମଧ୍ୟ କେତେ ପିଲା ଅନୁପସ୍ଥିତ ତାହା ସ୍ପଷ୍ଟ କରିପାରୁନାହାନ୍ତି ବୋର୍ଡ଼ ସଭାପତି । ରେକର୍ଡ ସଂଖ୍ୟକ ପିଲାଙ୍କ ଅନୁପସ୍ଥିତି ପଛର କାରଣ କହିବାକୁ କାହିଁକି ଡ଼ରୁଛନ୍ତି ବୋର୍ଡ଼ ସଭାପତି । ପିଲାଙ୍କ ଅନୁପସ୍ଥିତି ନେଇ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ରଖିବାକୁ ଅକୁଣ୍ଠ ପ୍ରକାଶ କରୁଛନ୍ତି ବୋର୍ଡ଼ ସଭାପତି ରାମଶିଷ ହାଜେରା ।
ଏନେକ ବରିଷ୍ଠ ଶିକ୍ଷାବିତ ସତ୍ୟକାମ ମିଶ୍ର କହିଛନ୍ତି ଯେ, 'ଚଳିତ ବର୍ଷ 5ଲକ୍ଷ 85 ହଜାର 700 ଛାତ୍ରଛାତ୍ରୀ ପରୀକ୍ଷା ଦେଉଥିବାବେଳେ 46 ହଜାର ପିଲାଙ୍କ ଅନୁପସ୍ଥିତି ପାଇଁ ସନ୍ଦେହ ଘେରକୁ ଆସିଛି ଶିକ୍ଷା ବିଭାଗ । ଯଦି ସମ୍ମେଟିଭ-1ରେ ଏତେ ସଂଖ୍ୟକ ପିଲା ଅନୁପସ୍ଥିତ ଥିଲେ ତେବେ କାହିଁକି ତଥ୍ୟ ଲୁଚାଇଥିଲେ ବୋର୍ଡ଼ କର୍ତ୍ତୃପକ୍ଷ । ତାହାକୁ ନେଇ ଉଠିଛି ଏବେ ବଡ଼ ପ୍ରଶ୍ନ । ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସଂଖ୍ୟା ଆବଶ୍ୟକ ଠାରୁ କମ ରହିଲେ ବିଦ୍ୟାଳୟ ସମ୍ମିଶ୍ରଣ ତଥା ସରକାରୀ ସ୍ୱୀକୃତି ପାଇବାର ଅସୁବିଧାକୁ ଦୂରେଇବା ପାଇଁ ଏଭଳି ଚଞ୍ଚକତା କରାଯାଇଛି । କେବଳ ସେତିକି ନୁହେଁ, ସମ୍ପୃକ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଆସିଥିବା ସରକାରୀ ଯୋଜନାର ଲାଭ ହାତେଇବାକୁ ଏଭଳି ଯୋଜନା ହୋଇଛି ।' କେବଳ ବୋର୍ଡ଼ ନୁହେଁ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ବ୍ଲକ ଶିକ୍ଷା ଅଧିକାରୀ ମଧ୍ୟ ଏଥିପାଇଁ ଦାୟୀ ବୋଲି ବରିଷ୍ଠ ଶିକ୍ଷାବିତ ସତ୍ୟକାମ ମିଶ୍ର କହିଛନ୍ତି । ତେବେ ମାଟ୍ରିକ ପରୀକ୍ଷାରେ ଏତେବଡ଼ କେଳେଙ୍କାରୀର ବିଧିବଦ୍ଧ ତଦନ୍ତ ହେଲେ ଘଟଣାର ପ୍ରକୃତ କଥା ଜଣାପଡିବ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ