କଟକ: ଜେଲ ଭିତରେ ରହି ବେଧଡକ ଭାବେ ଫୋନ ବ୍ୟବହାର କରୁଛନ୍ତି ଅପରାଧୀ । ଫୋନ ମାଧ୍ୟମରେ ନିଜ ସଙ୍ଗଠନକୁ ସକ୍ରିୟ କରିବା ସହିତ ନିଜ ଅପରାଧ ସାମ୍ରାଜ୍ୟକୁ ବଢାଇବାରେ ଲାଗିଛି ସକିଲ ସଂଗଠନ । ଏମିତିକି ଫୋନ ମାଧ୍ୟମରେ ବଟି ମଧ୍ୟ ଆଦାୟ କରୁଛନ୍ତି ଏମାନେ । ବୁଧବାର ଏହି ଘଟଣାରେ ସକିଲର ୪ ଜଣ ସହଯୋଗୀଙ୍କୁ ଗିରଫ କରିଛି କ୍ୟାଣ୍ତେନମେଣ୍ଟ ଥାନା ପୋଲିସ ।
ସୂଚନା ଅନୁଯାୟୀ, ଗତ ଅଗଷ୍ଟ ୧୬ ତାରିଖରେ ବାବୁ ଇଲକ୍ଟ୍ରୋନିକସ ଦୋକାନ ମାଲିକଙ୍କୁ ସକିଲର ୪ ସହଯୋଗୀ ବଟି ମାଗିଥିଲେ । ବଟି ଦେବାକୁ ମନା କରିବାରୁ ଏହି ଅପରାଧୀ ମାନେ ତାଙ୍କୁ ବନ୍ଧୁକ ଦେଖାଇ ଧମକ ଦେଇଥିଲେ । ଏପରିକି ବଟି ନଦେଲେ ଜୀବନରୁ ମାରିଦେବେ ବୋଲି ଧମକ ଦେଇଥିଲେ ।
କେବଳ ସେତିକି ନୁହେଁ ସକିଲ ଫୋନ ଯୋଗେ ବଟି ଦେବାକୁ ମଧ୍ୟ ଧମକ ଚମକ ଦେଇଥିବାର ଅଭିଯୋଗ ମଧ୍ୟ ହୋଇଥିଲା । ଏନେଇ ସମ୍ପୃକ୍ତ ବ୍ୟକ୍ତି କ୍ୟାଣ୍ତେନମେଣ୍ଟ ଥାନାରେ ଅଭିଯୋଗ କରିଥିଲେ। ତେବେ କ୍ୟାଣ୍ତେନମେଣ୍ଟ ଥାନା ପୋଲିସ ଘଟଣାର ତଦନ୍ତ କରି ୪ ଅଭିଯୁକ୍ତଙ୍କୁ ଗିରଫ କରିଛି ।
ସେମାନଙ୍କ ନିକଟରୁ ଗୋଟିଏ ଦେଶୀ ବନ୍ଧୁକ,ମୋବାଇଲ ଫୋନ,ଗୋଟିଏ ସ୍କୁଟିକୁ ଜବତ କରିଛି ପୋଲିସ । ଗିରଫ ହୋଇଥିବା ଅଭିଯୁକ୍ତ ମାନେ ସକିଲର ସହଯୋଗୀ ବୋଲି କଟକ ଡିସିପି ସୂଚନା ଦେଇଛନ୍ତି।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ