ଭୁବନେଶ୍ବର: କେନ୍ଦ୍ର ସରକାରଙ୍କ ବାଣିଜ୍ୟ ବିଭାଗ, ରାଜ୍ୟ ସରକାରଙ୍କ MSME ବିଭାଗ ଓ ରପ୍ତାନୀ ପ୍ରୋତ୍ସାହନ ବିପଣନ ନିର୍ଦ୍ଦେଶାଳୟର ମିଳିତ ଭାବେ ବୁଧବାର ଗୁଣବତ୍ତାର ସହ ରପ୍ତାନୀ ପ୍ରୋତ୍ସାହନ ଉପରେ ଏକ ଆଞ୍ଚଳିକ କର୍ମଶାଳାର ଆୟୋଜନ ହୋଇଛି । ଏହି କର୍ମଶାଳାରେ ପୂର୍ବାଞ୍ଚଳ ଓ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଆସାମ, ମଣିପୁର, ସିକିମ୍, ଝାରଖଣ୍ଡ, ମେଘାଳୟ, ଛତିଶଗଡ଼, ତ୍ରିପୁରା, ମିଜୋରାମ, ବିହାର ଓ ଓଡ଼ିଶା ଭଳି ୧୦ଟି ରାଜ୍ୟର ପ୍ରତିନିଧି ଅଂଶଗ୍ରହଣ କରିଛନ୍ତି ।
ଉତ୍ପାଦ ରପ୍ତାନୀ ସମ୍ପର୍କିତ ଅନେକ ବିଷୟରେ ଆଲୋଚନା ହୋଇଛି । ବିଦେଶକୁ ରପ୍ତାନୀରେ ସହଯୋଗ ପ୍ରଦାନକାରୀ ସଂସ୍ଥା ବିଦେଶ ବାଣିଜ୍ୟ ମହାନିର୍ଦ୍ଦେଶାଳୟର ଆଞ୍ଚଳିକ ଶାଖା ରାଜ୍ୟଗୁଡ଼ିକରେ ନଥିବାରୁ ରପ୍ତାନୀ କ୍ଷେତ୍ର ଅନେକ ସମସ୍ୟା ଉପୁଜୁଛି । ଏ ନେଇ କର୍ମଶାଳାରେ ଉଦବେଗ ପ୍ରକାଶ ପାଇଛି । ରାଜ୍ୟ MSME ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ କହିଛନ୍ତି ଯେ, କୋଭିଡ୍ ମହାମାରୀ ସମୟରେ ମଧ୍ୟ ଓଡ଼ିଶା ରପ୍ତାନୀ କ୍ଷେତ୍ରରେ ଭଲ ପ୍ରଦର୍ଶନ କରିଛି । ଓଡ଼ିଶାର ରପ୍ତାନୀ କ୍ଷେତ୍ରରେ ରହିଛି ବିପୁଳ ସମ୍ଭାବନା ।
ଉପଯୁକ୍ତ ଭିତ୍ତିଭୂମିଜନିତ ଅଭାବ, ବିଦେଶକୁ ସିଧାସଳଖ ବିମାନ ସେବା ନଥିବା ଏବଂ ବିଦେଶ ରପ୍ତାନୀ ମହାନିର୍ଦ୍ଦେଶାଳୟର ଶାଖା କାର୍ଯ୍ୟାଳୟ ନଥିବା ତଥା ପାରାଦ୍ୱୀପକୁ ସିପ୍ଲାଇନ୍ର ଚଳାଚଳ ନଥିବା ହେତୁ ଓଡ଼ିଶା ଏ କ୍ଷେତ୍ରରେ ପଛୁଆ ରହିଛି । ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ ଏ ଧରଣର କାର୍ଯ୍ୟକ୍ରମ ପାଇଁ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ପୂର୍ବରୁ ଭୁବନେଶ୍ୱରରେ କାର୍ଯ୍ୟ କରୁଥିବା ଡିଜିଏଫ୍ଟି କାର୍ଯ୍ୟାଳୟ ବନ୍ଦ ହେବା ଯୋଗୁଁ ଖାଦ୍ୟ ପ୍ରକ୍ରିୟାକରଣ, ସାମୁଦ୍ରିକ ଖାଦ୍ୟ ଭଳି ସାମଗ୍ରୀ କାରବାର କରୁଥିବା କ୍ଷୁଦ୍ର ରପ୍ତାନୀକାରୀ ସଂସ୍ଥାଗୁଡ଼ିକ ବିଶେଷ କ୍ଷତିଗ୍ରସ୍ତ ହେଉଥିବା ସେ ଦର୍ଶାଇଛନ୍ତି ।
ଉତ୍ପାଦିତ ସାମଗ୍ରୀକୁ ମୂଲ୍ୟଯୁକ୍ତ କରିବା, ଉତ୍ପାଦର ଜି.ଆଇ ଟ୍ୟାଗ୍ କରିବା, ରପ୍ତାନୀ ଲାଗି କମନ୍ କ୍ଲଷ୍ଟର ଆପ୍ରୋଚ୍ ନୀତି ଗ୍ରହଣ କରିବା ତଥା ଉପଯୁକ୍ତ ଭିତ୍ତିଭୂମିର ବିକାଶ କରିବା ଆଦି କେତେକ ପ୍ରମୁଖ ସମସ୍ୟା ଉପରେ ରାଜ୍ୟଗୁଡ଼ିକ ଆଲୋକପାତ କରିଛନ୍ତି । ମଣିପୁର, ତ୍ରିପୁରା ଭଳି କେତେକ ରାଜ୍ୟ ଅର୍ଗାନିକ୍ ଉଦ୍ୟାନ କୃଷି ଉତ୍ପାଦ ଅମଳ କରୁଛନ୍ତି । ହେଲେ ସେସବୁ ଦ୍ରବ୍ୟର ପ୍ରମାଣପତ୍ର ନାହିଁ । ଏହି କାରଣରୁ ସେଗୁଡ଼ିକୁ ଅର୍ଗାନିକ୍ ଭାବେ ବାହାର ରାଜ୍ୟ ତଥା ଅନ୍ୟ ଦେଶକୁ ରପ୍ତାନୀ କରିବାରେ ସମସ୍ୟା ସୃଷ୍ଟି ହେଉଛି । ସେ ଦିଗରେ କେନ୍ଦ୍ର ସରକାର ଦୃଷ୍ଟି ଦେବାକୁ କହିଛନ୍ତି ।
ରପ୍ତାନୀ ନିମନ୍ତେ ଉପଯୁକ୍ତ ତାଲିମ, ଉତ୍ପାଦନକାରୀଙ୍କୁ ମାର୍ଗଦର୍ଶନ, ମାର୍କେଟ ଇନ୍ଟେଲିଜେନ୍ସ ବ୍ୟବସ୍ଥା ହେବା ସହ ପ୍ରତି ରାଜ୍ୟରେ ନିଜର ରପ୍ତାନୀ ପ୍ରୋତ୍ସାହନ ନିର୍ଦ୍ଦେଶାଳୟ ଖୋଲିବା ଉପରେ ମତ ପ୍ରକାଶ ପାଇଛି । ଓଡ଼ିଶାରେ ରପ୍ତାନୀକୁ ଅଧିକ କ୍ରିୟାଶୀଳ ଏବଂ ସରଳ କରିବାକୁ ଉନ୍ନତ ମାନର ଅତ୍ୟାଧୁନିକ ପରୀକ୍ଷାଗାର ସ୍ଥାପନ, ପାରାଦ୍ୱୀପ ବନ୍ଦରକୁ ସିପ୍ଲାଇନର୍ ପ୍ରଚଳନ ଏବଂ ଭୁବନେଶ୍ୱରରେ ବିଦେଶ ରପ୍ତାନୀ ମହାନିର୍ଦ୍ଦେଶାଳୟକୁ ପୁନଃଚାଲୁ କରିବାକୁ ଗୁରୁତ୍ୱ ଦିଆଯାଇଛି ।
ଆଜିର କାର୍ଯ୍ୟକ୍ରମରେ ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା, ଭାରତ ସରକାରଙ୍କ ବାଣିଜ୍ୟ ମନ୍ତ୍ରଣାଳୟର ଅର୍ଥନୈତିକ ଉପଦେଷ୍ଟା ଡ. ସି. ଭାନ୍ଲାଲ୍ରାମ୍ସାଙ୍ଗା, କୃଷି ଓ ପ୍ରକ୍ରିୟାକୃତ ଖାଦ୍ୟ ଉତ୍ପାଦ ରପ୍ତାନୀ ପ୍ରାଧିକରଣର ଅଧ୍ୟକ୍ଷ ଡ. ଏମ୍. ଅଙ୍ଗମୁଥୁ, ରାଜ୍ୟ ସରକାରଙ୍କ ଶିଳ୍ପ ବିଭାଗ ପ୍ରମୁଖ ସଚିବ ହେମନ୍ତ ଶର୍ମା, ବୟନ ଓ ହସ୍ତଶିଳ୍ପ ବିଭାଗ ସଚିବ ଶୋଭା ଶର୍ମା, ଶିଳ୍ପ ନିର୍ଦ୍ଦେଶକ ମହମ୍ମଦ ସାଦ୍ଦିକ୍ ଆଲାମ୍ ପ୍ରମୁଖ ଯୋଗ ଦେଇଥିଲେ ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ