ଭୁବନେଶ୍ବର : ଆର୍ଥିକ ଓ ସାମାଜିକ କ୍ଷେତ୍ରର ବିକାଶ ପାଇଁ ମହିଳା ବିକାଶ କେନ୍ଦ୍ର ପ୍ରତିଷ୍ଠା । ପରିଚୟ ଫାଉଣ୍ଡେସନ ଆନୁକୂଲ୍ୟରେ ଖୋର୍ଦ୍ଧା ବାଲିପାଟଣା ଠାରେ ଉଦଘାଟିତ ହୋଇ ଯାଇଛି ।
୭୫ତମ ସ୍ବାଧୀନତା ଦିବସ ତଥା ଭାରତ ଅମୃତ ମହୋତ୍ସବ ଅବସରରେ ମହିଳା ମାନଙ୍କ ବାସ୍ତବ ଆର୍ଥିକ ସ୍ବାଧୀନତା ନିମନ୍ତେ ଏକ ବହୁମୁଖୀ ବିକାଶ କେନ୍ଦ୍ର ଉଦଘାଟିତ ହୋଇ ଯାଇଛି । ପରିଚୟ ଫାଉଣ୍ଡେସନ ଆନୁକୂଲ୍ୟରେ ଖୋର୍ଦ୍ଧା ବାଲିପାଟଣା ଠାରେ ଉଦଘାଟିତ ହୋଇ ଯାଇଛି । ପୂର୍ବତନ ସାଂସଦ କବି ପ୍ରସନ୍ନ ପାଟ୍ଟଶାଣୀ, ହାଉସିଂ ବୋର୍ଡ ଅଧ୍ୟକ୍ଷ ପ୍ରିୟଦର୍ଶୀ ମିଶ୍ରଙ୍କ ଉପସ୍ଥିତିରେ ପରିଚୟ ଫାଉଣ୍ଡେସନର ଅଧ୍ୟକ୍ଷା ଡ. ରୋଜାଲିନ ପାଟ୍ଟଶାଣୀ ଏହି କେନ୍ଦ୍ରର ଉଦଘାଟନ କରିଛନ୍ତି । ଏହି ବହୁମୁଖୀ ବିକାଶ କେନ୍ଦ୍ରର ପ୍ରତିଷ୍ଠା ଦିଗରେ ବାହରିନ ଓଡ଼ିଆ ସମାଜର ପ୍ରତିଷ୍ଠାତା ଅଧ୍ୟକ୍ଷ, ବାହରିନ ଭାରତ ସଂସ୍କୃତି ଓ କଳା କେନ୍ଦ୍ରର ଉପାଧ୍ୟକ୍ଷ, ବିଶ୍ବ ଓଡ଼ିଶା ସଦ୍ଭାବନା ରାଷ୍ଟ୍ରଦୂତ ଡ. ଅରୁଣ କୁମାର ପ୍ରହରାଜ ସହାୟତା ପ୍ରଦାନ କରିଥିବାରୁ ଅନୁଷ୍ଠାନ ପକ୍ଷରୁ ତାଙ୍କୁ କୃତଜ୍ଞତା ପ୍ରକାଶ କରାଯାଇଛି । ଏହି କେନ୍ଦ୍ରର ପ୍ରତିଷ୍ଠାରେ ନ୍ୟୁୟର୍କର ୱେଡୋ ସଂସ୍ଥା ମଧ୍ୟ ସହାୟତା କରିଛନ୍ତି ।
ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ଦୁର୍ବଳ ମହିଳା, କିଶୋରୀଙ୍କ ଶିକ୍ଷା, ସ୍ବାସ୍ଥ୍ୟ, ଆର୍ଥିକ ସଚେତନା, ମାର୍ଗଦର୍ଶନ, ପରାମର୍ଶ ଓ ଆଇନଗତ ସହାୟତା ପାଇଁ ଏହି କେନ୍ଦ୍ର କାର୍ଯ୍ୟ କରିବ ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି । ଏହା ମାଧ୍ୟମରେ ବିଭିନ୍ନ ପ୍ରକାର କୌଶଳ ବିକାଶ ତାଲିମ ଦିଆଯାଇ ପାରିବ ବୋଲି କୁହାଯାଇଛି । ଓଡ଼ିଶାର ବାସ୍ତବ ବିକାଶ ପାଇଁ ତାଙ୍କର ଏହି ଉଦ୍ୟମ ଜାରି ରହିବ ବୋଲି ଡ. ଅରୁଣ କୁମାର ପ୍ରହରାଜ ତାଙ୍କ ପ୍ରତିକ୍ରିୟାରେ ଜଣାଇଛନ୍ତି ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ